ଓଡ଼ିଶା ଅଫିସରଙ୍କୁ କୋଟିଆରେ ଅସହଯୋଗ

ଗଲେ, ବୁଲିଲେ; କଥା ହେଲେନି

ଗଂଜେଇପଦର ପୁରୁଷଶୂନ୍ୟ, ମହିଳା କିଛି କହିଲେନି

କୋରାପୁଟ/ପଟାଙ୍ଗୀ : ବିବାଦୀୟ କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶର ଠିକ ମାସକ ପରେ ଆଜି ସେଠାକୁ ଯାଇଥିଲେ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ଟିମ୍‌। ହେଲେ ସେଠାରେ ଲୋକଙ୍କ ସହ ମିଶିଲେନି। କାହା ଅଭିଯୋଗ ଶୁଣିଲେନି। କେବଳ ପରିଦର୍ଶନ ସାରି ଫେରି ଆସିଲେ। କୋରାପୁଟରେ ଶୀତତାପ ନିୟନ୍ତ୍ରିତ କୋଠରୀରେ ସମୀକ୍ଷା କଲେ। ଏଭଳି ଉପରଠାଉରିଆ ପରିଦର୍ଶନ ଓ ସମୀକ୍ଷାକୁ ନେଇ ଆଜି କୋଟିଆ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ୨୧ଟି ଗ୍ରାମକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଗତ ଜାନୁଆରି ୯ତାରିଖରେ ବିଜୟନଗରମ ଜିଲ୍ଲାପାଳ ଙ୍କ ସମେତ ବହୁ ଅଧିକାରୀ ଓ ନେତା କୋଟିଆ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଏହି ପଞ୍ଚାୟତର ତଳ ଗଂଜେଇ ପଦର ଗ୍ରାମରେ ବିଭିନ୍ନ ସରକାରୀ ସହାୟତା ବଣ୍ଟନ କରିବା ସହ ସରକାରୀ ଯୋଜନାର ସମୀକ୍ଷା କରିଥିଲେ। ଏହାପରେ କୋଟିଆର ବିଭିନ୍ନ ଅଂଚଳରେ ରାସ୍ତା ନିର୍ମାଣ ସହ ଭୋଟର କାର୍ଡ ଓ ଆଧାର କାର୍ଡ ବି ବାଣ୍ଟିବାରେ ଲାଗିଛି ଆନ୍ଧ୍ର। ଏଥିନେଇ ଗଣମାଧ୍ୟମରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ଠିକ ଏକ ମାସ ପରେ ଏକ ଉଚ୍ଚ ସ୍ତରୀୟ ଟିମ୍‌ କୋଟିଆକୁ ପଠାଇଥିଲେ।

ଆଜି ପୂର୍ବାହ୍ନରେ ଏସ୍‌.ପି. ଠାକୁରଙ୍କ ନେତୃତ୍ୱରେ ଗଠିତ ଟିମ୍‌ କୋଟିଆରେ ଯାଇ ପହଞ୍ଚିଥିଲା। ଏହି ଟିମ୍‌ରେ ପୁଲିସ ଆଇଜି ସଂଜୀବ ପଣ୍ଡା, ରାଜସ୍ୱ ବିଭାଗ ନିର୍ଦ୍ଦେଶକ ଅଶୋକ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ଶଶଧନର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଆଶୁତୋଷ ମଲ୍ଲିକ ପ୍ରମୁଖ ଯାଇଥିଲେ। ସାଙ୍ଗରେ ଜିଲ୍ଲାପାଳ କେ.ଏସ. ଚକ୍ରବର୍ତ୍ତୀ, ଏସପି ଡଃ କନଓ୍ଵର ବିଶାଳ ସିଂହ, ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଉପଜିଲ୍ଲାପାଳ କୃତ୍ତିବାସ ରାଉତଙ୍କ ସହ ଗଣ୍ଡା ଗଣ୍ଡା ଅଧିକାରୀ ମଧ୍ୟ ଯାଇଥିଲେ। ଏହି ଟିମ ପ୍ରଥମେ କୁରୁଡି ପଦର ଯାଇଥିଲେ। ରାସ୍ତା ଉପରୁ ଗାଁକୁ ଦେଖିବା ପରେ ପହଞ୍ଚିଥିଲେ କୋଟିଆରେ। ସେଠାରେ ଜଗନ୍ନାଥ ମନ୍ଦିିର ବୁଲି ଦେଖିବା ସହ ସେବାଶ୍ରମକୁ ଯାଇଥିଲେ। ସେଠାରୁ ତଳ ଗଂଜେଇ ପଦରକୁ ବାହାରିଥିଲେ। ସେଠାରେ କିଛି ସମୟ ରହି କୋରାପୁଟ ଫେରି ଆସିଥିଲେ।

କୋଟିଆକୁ ଉଚ୍ଚସ୍ତରୀୟ ଟିମ୍‌ ଆସୁଥିବା ଖବର ପାଇ କୋଟିଆ ପଞ୍ଚାୟତର ବିଭିନ୍ନ ଗାଁ ଲୋକେ ଅଧିକାରୀଙ୍କ ସହ ମିଶିବାକୁ ଅପେକ୍ଷା କରି ରହିଥିଲେ। ସେମାନେ ଭାବିଥିଲେ, ଅଧିକାରୀମାନେ ସେମାନଙ୍କ ଦୁଃଖ ଶୁଣିବେ। କିନ୍ତୁ ଏମାନଙ୍କ କଥା ଶୁଣିବା ପାଇଁ ଅଧିକାରୀଙ୍କ ପାଖରେ ସମୟ ନ ଥିଲା। ବରଂ କହିଥିଲେ, ଯାହାର ଯାହା କହିବାର ଅଛି କୋରାପୁଟ ଆସ। ଅଧିକାରୀଙ୍କ ଏମିତି ଉତ୍ତର କୋଟିଆ ଲୋକଙ୍କୁ ତତାଇ ଦେଇଥିଲା। ସେମାନେ ଅଧିକାରୀଙ୍କ ଏମିତି ବ୍ୟବହାରକୁ ସହଜରେ ଗ୍ରହଣ କରି ନ ଥିଲେ। ଏହାକୁ ଅଂଚଳବାସୀ ବିରୋଧ କରୁଛନ୍ତି। ଏଠାକୁ ଆସି ଲୋକଙ୍କ ସମସ୍ୟା ନ ଦେଖି ଫେରିଗଲେ କ’ଣ ଲାଭ ବୋଲି ପ୍ରଶ୍ନ କରିଛନ୍ତି। ଏପଟେ କମିଟି ତଳ ଗଂଜେଇ ପଦରକୁ ଯାଇଥିଲାବେଳେ ସେଠାରେ ଗ୍ରାମବାସୀ ଅସହଯୋଗ କରିଥିଲେ। କମିଟି ଆସୁଥିବା ଜାଣି ଗ୍ରାମ ପୁରୁଷଶୂନ୍ୟ ହୋଇ ଯାଇଥିଲା। ଏପଟେ ମହିଳାମାନେ ଅଧିକାରୀଙ୍କୁ କୌଣସି ଉତ୍ତର ଦେଇ ନ ଥିଲେ।

କୋଟିଆରେ ଉପର ଠାଉରିଆ ଅନୁଧ୍ୟାନ ପରେ ଏବେ ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠିଛି। ଫଳରେ କୋଟିଆ ବିବାଦ ଅଧିକ ଜଟିଳ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସମୀକ୍ଷା ବୈଠକରେ ବିକାଶକୁ ଗୁରୁତ୍ୱ

ବିବାଦୀୟ କୋଟିଆରୁ ଫେରିବା ପରେ ଉଚ୍ଚସ୍ତରୀୟ ଅଧିକାରୀ ଦଳ ଆଜି କୋରାପୁଟ ସଦଭାବନା ସଭାଗୃହରେ ସମୀକ୍ଷା ବୈଠକ କରିଛନ୍ତି। କେବିକେ ମୁଖ୍ୟ ପ୍ରଶାସକ ଏସ.ପି.ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋଟିଆର ସାମ୍ପ୍ରତିକ ସ୍ଥିତି ଓ ସର୍ବାଙ୍ଗୀନ ବିକାଶ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ କରି ଏହି ଅଂଚଳରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଗୁଡିକୁ ସମୀକ୍ଷା କରିଥିଲେ। ବୈଠକ ଶେଷରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ କହିଛନ୍ତି ଯେ, କୋଟିଆର ସର୍ବାଙ୍ଗୀନ ବିକାଶ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର