ତାପମାତ୍ରା: ଟିଟିଲାଗଡ଼-ମାଲକାନଗିରି-ବଲାଙ୍ଗୀରରେ ତାପମାତ୍ରା ୪୦ ଡିଗ୍ରି ଟପିଲା, ପାଣିପାଗ କାର୍ଯ୍ୟାଳୟ କହିଲା ଆହୁରି ବଢ଼ିବ

ଭୁବନେଶ୍ୱର: ଟିଟିଲାଗଡ଼, ମାଲକାନଗିରି ଓ ବଲାଙ୍ଗୀରରେ ଗୁରୁବାର ତାପମାତ୍ରା ୪୦ ଡ୍ରିଗ୍ରି ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି । ପାଣିପାଗ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ସର୍ବାଧିକ ୪୦.୫ ଡିଗ୍ରି, ମାଲକାନଗିରିରେ ୪୦.୨ ଡିଗ୍ରି ଓ ବଲାଙ୍ଗୀରରେ ୪୦ ଡ୍ରିଗି ତାପମାତ୍ର ରେକର୍ଡ ହୋଇଛି ।

ସେହିପରି ଆଜି କଟକରେ ୩୯.୫ ଡ୍ରିଗ୍ରି ସେଲସିୟସ ଓ ରାଜଧାନୀ ଭୁବନେଶ୍ୱରରେ ୩୯.୨ ଡିଗ୍ରି ତାପମାତ୍ର ରେକର୍ଡ କରାଯାଇଥିବା ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଏଥି ସହ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ । ଯାହା ଆଶଙ୍କା କରାଯାଉଛି ଆଗାମୀ ଦିନର ତାପମାତ୍ରା ଏହା ୨ ରୁ ୩ ଡିଗ୍ରି  ଅଧିକ ରହିବ ।

ଲକଡାଉନ ଘୋଷଣା ଯଦିଓ ଲୋକମାନେ ଘରୁ ବାହାରକୁ ଯାଉନାହାନ୍ତି, ତଥାପି ଲୋକେ ଘର ଭିତରେ ଥାଇ ମଧ୍ୟ ଆଜି ବର୍ଦ୍ଧିତ ତାପମାତ୍ରାକୁ ଅନୁଭବ କରିପାରିଛନ୍ତି । ଅତ୍ୟାବଶ୍ୟକ ଯୋଗାଣ କାର୍ଯ୍ୟରେ ଯୋଗଦେଉଥିବା ଲୋକ ମଧ୍ୟ ଆଜି ତାପାମାତ୍ରାର ସମ୍ମୁଖୀନ ହୋଇଛନ୍ତି । ସେହିପରି ରାଜ୍ୟବ୍ୟାପୀ କୋଭିଡ-୧୯ ପାଇଁ ମୁତୟନ ପୁଲିସ କର୍ମୀମାନେ ମଧ୍ୟ ଆଜି ତାପମାତ୍ରାର ସମ୍ମୁଖୀନ ହୋଇଛନ୍ତି ।

ସମ୍ବନ୍ଧିତ ଖବର