ଭୁବନେଶ୍ବର: ଡିଜିଟାଲ୍ ଶିକ୍ଷାମୁହାଁ ହେଉଛି ଓଡ଼ିଶା। କମ୍ପ୍ୟୁଟର ମାଧ୍ୟମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି। ଇଣ୍ଟରନେଟ୍ ସଂଯୋଗ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପିଲାମାନଙ୍କୁ ପଢ଼ାଯାଉଛି। ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ୟୁଡାଇଜ୍+’ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ବିଜେଡି ସରକାର ସମୟରେ ଯେତିକି ବିଦ୍ୟାଳୟରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସୁବିଧା ରହିଥିଲା ତାହା ବିଜେପି ସରକାର ସମୟରେ ବୃଦ୍ଧି ପାଇଛି। ଗୋଟିଏ ବର୍ଷ ମଧ୍ୟରେ ୮ ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ଲାଗିଛି। ସେହିପରି ପ୍ରାୟ ଏକ ହଜାର ନୂତନ ବିଦ୍ୟାଳୟରେ ଇଣ୍ଟରନେଟ୍ ସଂଯୋଗ ହୋଇଛି। କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସଂଯୋଗ ହୋଇଥିବା ତଥ୍ୟ ରାଜ୍ୟ ସରକାର ଦେଇଥିଲେ ମଧ୍ୟ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।
ଏହି ରିପୋର୍ଟରେ ଦର୍ଶାଯାଇଛି, ୨୦୨୩-୨୪ ଶିକ୍ଷାବର୍ଷ ତୁଳନାରେ ୨୦୨୪-୨୫ ଶିକ୍ଷାବର୍ଷରେ ଅଧିକ ସଂଖ୍ୟକ ବିଦ୍ୟାଳୟରେ କମ୍ପ୍ୟୁଟର ଉପଲବ୍ଧ ହୋଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୩୫ହଜାର ୬୨୮ ବିଦ୍ୟାଳୟ(୫୯.୪ %)ରେ କମ୍ପ୍ୟୁଟର ସୁବିଧା ଉପଲବ୍ଧ ରହିଥିଲା। ଗୋଟିଏ ବର୍ଷ ମଧ୍ୟରେ ଆଉ ୮ହଜାର ୯୮୬ ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା ଉପଲବ୍ଧ କରାଯାଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ରାଜ୍ୟର ୬୧ହଜାର ୫୬୫ ବିଦ୍ୟାଳୟ ମଧ୍ୟରୁ ୪୭ହଜାର ୨୪୧ ବିଦ୍ୟାଳୟ(୭୬.୭ %)ରେ କମ୍ପ୍ୟୁଟର ସୁବିଧା ଉପଲବ୍ଧ ହୋଇଛି, ସେଥିମଧ୍ୟରୁ ୭୧.୧% ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ କମ୍ପ୍ୟୁଟର ବ୍ୟବହାର ହେଉଛି। ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଏକ୍ଷେତ୍ରରେ ବେଶ୍ ଆଗୁଆ। ଅତ୍ୟାଧୁନିକ ଜ୍ଞାନକୌଶଳ ସହ ତାଳ ଦେଇ ଏହି ବର୍ଗର ୮୨.୭% ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି। ସେହି ତୁଳନାରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପଛରେ ରହିଛନ୍ତି। ତେବେ ପୂର୍ବ ବର୍ଷ ତୁଳନାରେ ସଂଖ୍ୟା ବଢ଼ିଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ୭୭.୨% ସରକାରୀ ବିଦ୍ୟାଳୟ, ୬୭.୮% ସରକାରୀ ଅନୁଦାନପ୍ରାପ୍ତ ଓ ୬୮.୧% ଅନ୍ୟାନ୍ୟ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ କମ୍ପ୍ୟୁଟର ରହିଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ୧୪ହଜାର ୩୨୪ ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା ନାହିଁ, ଯାହାକି ୨୦୨୩-୨୪ ଶିକ୍ଷାବର୍ଷରେ ୨୩ହଜାର ୩୧୦ ରହିଥିଲା।
ବର୍ଷକରେ ୯ହଜାର ବିଦ୍ୟାଳୟରେ ଲାଗିଲା କମ୍ପ୍ୟୁଟର
୮୩.୮% ବିଦ୍ୟାଳୟକୁ ଇଣ୍ଟରନେଟ୍ ସଂଯୋଗ ହୋଇଛି
କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ଅଭିଭାବକ
କମ୍ପ୍ୟୁଟର ନ ଥିଲେ ମଧ୍ୟ ବିଦ୍ୟାଳୟକୁ ଇଣ୍ଟରନେଟ୍ ସଂଯୋଗ ବଢ଼ିବାରେ ଲାଗିଛି। ୨୦୨୩-୨୪ରେ ୫୦ହଜାର ୫୮୨ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ଥିଲା। ଏବେ ତାହା ୫୧ହଜାର ୫୮୮ରେ ପହଞ୍ଚିଛି। ବର୍ଷକ ମଧ୍ୟରେ ପାଖାପାଖି ଏକ ହଜାର ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ହୋଇଥିବା ଜଣାପଡ଼ିଛି। ରାଜ୍ୟର ୭୬.୭ % ବିଦ୍ୟାଳୟରେ କମ୍ପ୍ୟୁଟର ରହିଥିବା ବେଳେ ୮୩.୮% ବିଦ୍ୟାଳୟକୁ ଇଣ୍ଟରନେଟ୍ ସଂଯୋଗ ହୋଇଛି। ୮୩% ସରକାରୀ ବିଦ୍ୟାଳୟ, ୮୫.୬% ସରକାରୀ ଅନୁଦାନପ୍ରାପ୍ତ, ୮୮.୬% ବେସରକାରୀ ଅନୁଦାନପ୍ରାପ୍ତ ଓ ୮୪.୬% ଅନ୍ୟାନ୍ୟ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି। ଇଣ୍ଟରନେଟ୍ ସଂଯୋଗ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ବହୁ ଆଗରେ ରହିଛି। ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷାଦ୍ବୀପର ସମସ୍ତ ବିଦ୍ୟାଳୟରେ ଇଣ୍ଟରନେଟ୍ ସଂଯୋଗ ହୋଇଛି।
କମ୍ପ୍ୟୁଟର ନ ଥିବା ବେଳେ ଇଣ୍ଟରନେଟ୍ କେଉଁ କାମରେ ଲାଗୁଛି ବୋଲି ତାହାକୁ ନେଇ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ଯେଉଁଠି କମ୍ପ୍ୟୁଟର ରହିଛି ସେଥିରୁ ଅଧିକାଂଶ ଅଚଳ। ବହୁ ବିଦ୍ୟାଳୟରେ କମ୍ପ୍ୟୁଟର ଚଳାଇବାକୁ ଶିକ୍ଷକ ହିଁ ନାହାନ୍ତି। ସ୍ମାର୍ଟ ବିଦ୍ୟାଳୟ ନେଇ ସରକାର ନାରାବାଜି କରୁଛନ୍ତି, ହେଲେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଉଦ୍ବେଗର ବିଷୟ ହେଲା, କମ୍ପ୍ୟୁଟର ନଥିଲେ ବି ଅନେକ ସ୍କୁଲ୍କୁ ଇଣ୍ଟର୍ନେଟ୍ ସୁବିଧା ଉପଲବ୍ଧ କରାଯାଇଛି। ଏହା କାହାର କି କାମରେ ଲାଗୁଛି, ତାହା ଅନୁସନ୍ଧାନ ସାପେକ୍ଷ।