ରେଳଯାତ୍ରା ଏକ ସୁନ୍ଦର ଯାତ୍ରା: ରାଜ୍ୟପାଳ

‘ଓଡ଼ିଶା ଦ ରେଲୱେ ଷ୍ଟୋରି’ ଲୋକାର୍ପିତ

ଭୁବନେଶ୍ବର : ରେଳଯାତ୍ରା ଏକ ସୁନ୍ଦର ଯାତ୍ରା। ଏଥିରେ ଜାତି, ଧର୍ମ, ବର୍ଣ୍ଣ, ରଙ୍ଗର ଭେଦଭାବ ନଥାଏ। ରେଳଯାତ୍ରା ବେଳେ ସମସ୍ତେ ସମସ୍ତଙ୍କ ପାଇଁ ଅପରିଚିତ ହୋଇଥିଲେ ମଧ୍ୟ ପରସ୍ପରକୁ ସମ୍ମାନ ଦିଅନ୍ତି। ସେତେବେଳେ ସମସ୍ତଙ୍କ ଭିତରେ ଏକମାତ୍ର ଲକ୍ଷ୍ୟ ଥାଏ, ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚିବା। ଜୟଦେବ ଭବନରେ ଅନୁଷ୍ଠିତ ଦିଲୀପ ସାମନ୍ତରାୟଙ୍କ ଇଂରାଜୀ ପୁସ୍ତକ ‘ଓଡ଼ିଶା ଦ’ ରେଲୱେ ଷ୍ଟୋରି’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ରବିବାର ଦିନ ଏହା କହିଛନ୍ତି। ଏହି ଅବସରରେ ସେ ଟ୍ରେନ୍‌ର ବଗିଗୁଡ଼ିକୁ ବିଭିନ୍ନ ମହାପୁରୁଷଙ୍କ ନାମରେ ନାମିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରତ କୁମାର ଶ୍ରୀବାସ୍ତବ କହିଲେ, ଏହି ପୁସ୍ତକରେ ଅତି ସାବଳୀଳ ଭାଷାରେ ରେଳବାଇର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟ ଏବଂ ଭବିଷ୍ୟତ ବିଷୟରେ ଉଲ୍ଲେଖ ରହିଛି। ୧୮୫୩ ମସିହାରୁ ଭାରତକୁ ରେଳବାଇ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେ ସବୁ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବାରେ ସକ୍ଷମ ହୋଇପାରିଛି। ଅନ୍ୟତମ ଅତିଥି ଉଚ୍ଚଶିକ୍ଷା ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ, ପାଠ୍ୟ ପୁସ୍ତକ ଦୃଷ୍ଟିରୁ ଏହି ବହିଟି ଅନେକ ଗୁରୁତ୍ବପୂର୍ଣ୍ଣ। ଲେଖକଙ୍କ ପ୍ରସ୍ତାବ ଅନୁସାରେ ଏହି ବହିକୁ ଆମେ ଆମ ଗ୍ରନ୍ଥାଗାରରେ ସ୍ଥାନ ଦେବା ପାଇଁ ସମସ୍ତେ ଚେଷ୍ଟା କରିବୁ। ଅତିଥି ସୂଚନା ଓ ପ୍ରଯୁକ୍ତି ସଚିବ ମନୋଜ ମିଶ୍ର କହିଲେ, ଭାରତର ବିକାଶ ପାଇଁ ବ୍ରିଟିସ୍‌ ସରକାର ସେତେବେଳେ ରେଳପଥର ପ୍ରଚଳନ କରିନଥିଲେ। ସେମାନଙ୍କ ଲକ୍ଷ୍ୟ ଆମ ପ୍ରାକୃତିକ ଖଣିଜ ସମ୍ପଦ ଉପରେ ରହିଥିଲା। ତେଣୁ ସେମାନେ ଭାରତର‌େ ରେଳବାଇର ପ୍ରତିଷ୍ଠା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଇତିହାସ ବିଭାଗ ପ୍ରଫେସର୍‌ ସସ୍ମିତ ପ୍ରସାଦ ପାଣି କହିଲେ, ଏ ବହିରେ ଲେଖାଥିବା ତୃତୀୟ ଶ୍ରେଣୀ ବଗିରେ ପାଇଖାନା ସ୍ଥାପନ କରିବା ବିଷୟ ସବୁଠୁ ଆଗ୍ରହପୂର୍ଣ୍ଣ ବିଷୟ। ଏଥିସହ ଓଡ଼ିଶା ସମ୍ବନ୍ଧିତ ସମସ୍ତ ରେଳ ବିବରଣୀ ଏଥିରେ ସ୍ଥାନ ପାଇଛି। ଜଣେ ସାଧାରଣ ବର୍ଗର ଲୋକ ଏହି ବହି ମାଧ୍ୟମରେ ରେଳବାଇର ଜ୍ଞାନକୌଶଳ ବିଷୟରେ ଜାଣିବାର ସୁଯୋଗ ପାଇପାରିବ।

ରେଳ ମନ୍ତ୍ରାଳୟର ଅବସରପ୍ରାପ୍ତ ଅର୍ଥନୈତିକ ଆୟୁକ୍ତ ସଞ୍ଜୟ ମୁଖାର୍ଜୀ କହିଲେ, ଏ ବହି ସାହାଯ୍ୟରେ ମୁଁ ଓଡ଼ିଶାର ଇତିହାସ ସଂପର୍କରେ ଅନେକ କିଛି ଜାଣିବାକୁ ପାଇଛି। ଏ ବହିରେ ଇତିହାସ ଓ ରେଳବାଇ ଆଦି ବିଷୟରେ ଜାଣିବା ପାଇଁ ସମସ୍ତ ପ୍ରକାର ତଥ୍ୟ ଉପଲବ୍ଧ ଅଛି।

ପୁସ୍ତକର ଲେଖକ ତଥା ପୂର୍ବତଟ ରେଳପଥର ଅବସରପ୍ରାପ୍ତ ଅର୍ଥନୀତିକ ପରାମର୍ଶଦାତା ଦିଲୀପ ସାମନ୍ତରାୟ ନିଜ ଲେଖକୀୟ ଅଭିବ୍ୟକ୍ତିରେ, ଏହି ବହିକୁ ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଗ୍ରନ୍ଥାଗାରରେ ସ୍ଥାନ ଦେବା ପାଇଁ ବିଭାଗୀୟ ସଚିବଙ୍କୁ ପ୍ରସ୍ତାବ ଦେଇଥିଲେ। ଏଭଳି ବହି କୌଣସି ବି ରାଜ୍ୟରେ ନାହିଁ। ଏହା ରେଳବାଇ ବିଷୟରେ ପ୍ରଥମ ବହି। ଏହାସହ ଶ୍ରୀ ସାମନ୍ତରାୟ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ପୁସ୍ତକ ପାଇଁ ପ୍ରତ୍ୟକ୍ଷ ସହଯୋଗ କରିଥିବା ସମ୍ବିତ ରାୟ ଚୌଧୁରୀ, ନିରାକାର ଦାସ, ବିଷ୍ଣୁମୋହନ ଅଧିକାରୀ ଓ ଚିତ୍ତରଂଜନ ପଣ୍ଡା ପ୍ରମୁଖଙ୍କୁ ରାଜ୍ୟପାଳ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର