‘ଓଡ଼ିଶା ରସଗୋଲା’ ନାଁରେ ଜିଆଇ ମାନ୍ୟତା ପାଇଁ ଆବେଦନ କଲେ ସରକାର

ଭୁବନେଶ୍ୱର : ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ରସଗୋଲାକୁ ଭୌଗଳିକ ଉତ୍ପତ୍ତି ବା ଜିଆଇ ମାନ୍ୟତା ପାଇଁ ଆବେଦନ କରିଛନ୍ତି। ‘ଓଡ଼ିଶା ରସଗୋଲା’ ନାଁରେ ରାଜ୍ୟ କ୍ଷୁଦ୍ର ଶିଳ୍ପ ବିଭାଗ ବା ଓଏସ୍‌ଆଇସି ପକ୍ଷରୁ ଆଜି ଚେନ୍ନାଇସ୍ଥିତ ବୌଦ୍ଧିକ ସଂପତ୍ତି କାର୍ଯ୍ୟାଳୟରେ ଆବେଦନ କରାଯାଇଛି। ଓଏସ୍‌ଆଇସିର ପରିଚାଳନା ନିର୍ଦେଶକ ରତ୍ନାକର ରାଉତ ଓ ତାଙ୍କ ସହଯୋଗୀ କେ.କେ ସାହୁ ଏହାର ନେତୃତ୍ୱ ନେଇଛନ୍ତି। ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିବା ଫର୍ମର ନମ୍ବର ରହିଛି ୬୧୨। ଏହି ଆବେଦନପତ୍ର ସହିତ ବିଭାଗୀୟ ଅଧିକାରୀମାନେ ରସଗୋଲାକୁ ଜିଆଇ ଟ୍ୟାଗ୍‌ ପ୍ରଦାନ ପାଇଁ ଆବଶ୍ୟକ ତଥ୍ୟ ବୌଦ୍ଧିକ ସଂପତ୍ତି କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି ରସଗୋଲା ସଂପର୍କରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ତଥ୍ୟ ସହିତ ଏ ପର୍ଯ୍ୟନ୍ତ ସଂଗ୍ରହ ହୋଇଥିବା ନୂତନ ତଥ୍ୟ ଆବେଦନ ପତ୍ରରେ ପ୍ରଦାନ କରାଯାଇଛି। ଏହାସହିତ ରସଗୋଲାର ବିଭିନ୍ନ ନମୁନାର ପରୀକ୍ଷାଗାର ରିପୋର୍ଟ ମଧ୍ୟ ଏଥିରେ ରହିଛି। ଯାହାକି ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରିବା ଦିଗରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।

ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଗତ ଦୁଇ ବର୍ଷ ତଳେ ବିବାଦ ଉପୁଜିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି କମିଟି ଗଠନ କରାଯାଇଥିଲା। ଏହି କମିଟି ଓଡ଼ିଶାରେ ରସଗୋଲା ସଂପର୍କରେ ଇତିହାସ ଓ ବୈଜ୍ଞାନିକ ଭିତ୍ତିଭୂମି ଉପରେ ତଥ୍ୟ ହାସଲ କରିବା ପାଇଁ କୁହାଯାଇଥିଲା। ତେବେ ଶ୍ରୀ ମହାନ୍ତି ବ୍ୟକ୍ତିଗତ ଭାବେ ରାଜ୍ୟ ସରକାରଙ୍କୁ ଓଡ଼ିଶାରେ ରସଗୋଲା ଇତିହାସ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲେ ହେଁ ଜିଆଇ ପାଇଁ ଆବେଦନ କରିବାରେ ରାଜ୍ୟ ସରକାର ବିଳମ୍ବ କରିଥିଲେ। ଏହାର ସୁଯୋଗ ନେଇ ଗତବର୍ଷ ପଶ୍ଚିମବଙ୍ଗ ସରକାର ‘ବାଂଲା ରସଗୋଲା ନାଁରେ ଆବେଦନ କରି ଜିଆଇ ଟ୍ୟାଗ୍‌ ହାସଲ କରି ନେଇଥିଲେ।

ସମ୍ବନ୍ଧିତ ଖବର