ଭୁବନେଶ୍ବର: ପୂର୍ବ ଭାରତ ଦେଶ ପ୍ରଗତିର ଏକ ଅଭିବୃଦ୍ଧି ଇଞ୍ଜିନ୍‌। ସେଥିରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା ସହ ସମ୍ପର୍କ ବଢ଼ାଇବା ଲାଗି ସିଙ୍ଗାପୁର, ଆସିଆନ୍ ଓ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିକ ଉଦ୍ୟମ କରୁଛନ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟରେ ଏହି ଅଞ୍ଚଳରେ ପୂର୍ବାପେକ୍ଷା ଅଧିକ ସୁଯୋଗ ସୃ‌ଷ୍ଟି ହୋଇଛି। ଏହା ରାଜ୍ୟରେ ପୁଞ୍ଜିନିବେଶ କରିବାର ପ୍ରକୃତ ସମୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଶକମାନଙ୍କୁ କହିଛନ୍ତି। ଯେଉଁମାନେ ଏଠାରେ ନିବେଶ କରିବେ ସେମାନେ ବିକାଶର ଶିଖରରେ ପହଞ୍ଚିବେ। ଏହା ହେଉଛି ‘ମୋଦୀ ଗ୍ୟାରେଣ୍ଟି’ ବୋଲି ସେ କହିଛନ୍ତି। ମଙ୍ଗଳବାର ଜନତା ମଇଦାନରେ ବହୁ ପ୍ରତୀକ୍ଷିତ ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌’କୁ ସମ୍ବୋଧିତ କରି ସେ ଓଡ଼ିଶାର ବିକାଶ ଓ ପରମ୍ପରାର ଅଦ୍ଭୁତ ମଡେଲ୍‌କୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟ ଲାଗି ପୁଞ୍ଜିନିବେଶ ମାଗିଛନ୍ତି। ଓଡ଼ିଶାକୁ ସେ ଆକାଂକ୍ଷା, ଅସଲିପଣ ଓ ସୁଯୋଗର ପ୍ରତୀକ ବୋଲି କହିଛନ୍ତି। ଏହି ଅବସରରେ ସେ ମେକ୍‌ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ଉଦ୍‌ଘାଟନ କରି ତାହା ବୁଲି ଦେଖିଥିଲେ।

Advertisment

ମାସକ ଭିତରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ମୋଦୀ କହିଛନ୍ତି ଯେ ଏହା ହେଉଛି ଓଡ଼ିଶାର ସର୍ବକାଳୀନ ସର୍ବବୃହତ୍‌ ନିବେଶକ ସମ୍ମିଳନୀ। ପୂର୍ବରୁ ରାଜ୍ୟରେ ଆୟୋଜିତ ହୋଇଥିବା ନିବେଶକ ସମ୍ମିଳନୀ ତୁଳନାରେ ଏଥିରେ ୫-୬ ଗୁଣା ଅଧିକ ନିବେଶକ ଅଂଶଗ୍ରହଣ କରିଛନ୍ତି। ଐତିହାସିକ ତଥ୍ୟ ଅବତାରଣା କରି ମୋଦୀ କହିଛନ୍ତି ଯେ ଅତୀତରେ ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଏହି ଅଞ୍ଚଳରେ ବହୁ କଳକାରଖାନା ଥିଲା। ଦକ୍ଷିଣ ପୂର୍ବ ଏସିଆ ସହ କାରବାର ଥିଲା। ଇଣ୍ଡୋନେସିଆର ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ଡିଏନ୍‌ଏରେ ଓଡ଼ିଶା ଥାଇପାରେ। ଏକବିଂଶ ଶତାବ୍ଦୀରେ ଓଡ଼ିଶା ନିଜର ସେହି ହୃତ ଗୌରବକୁ ଫେରିପାଇବା ଲାଗି ଉଦ୍ୟମ ଆରମ୍ଭ କରିଛି।

ଓଡ଼ିଶା ଆକାଂକ୍ଷା, ଅସଲିପଣର ପ୍ରତୀକ: ପ୍ରଧାନମନ୍ତ୍ରୀ
ପୁଞ୍ଜି ବିନିଯୋଗ କରିବାର ଉପଯୁକ୍ତ ସମୟ: ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଥିଲେ, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍, ବନ୍ଦର ଭିତ୍ତିକ ବିକାଶ, ଆଇଟି, ମତ୍ସ୍ୟଚାଷ, ଏଡୁଟେକ୍‌, ବୟନ, ପର୍ଯ୍ୟଟନ, ଖଣି, ସବୁଜ ଶକ୍ତି ଭଳି କ୍ଷେତ୍ରରେ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି। ଓଡ଼ିଶାରେ ଯେଉଁ ଖଣିଜ ସମ୍ପଦ ରହିଛି ତାହାର କାରଖାନା ଏହି ରାଜ୍ୟରେ ସ୍ଥାପନ ହେଉ ବୋଲି ଆମ ସରକାର ଚାହୁଛି। ଏଠାରୁ କଞ୍ଚାମାଲ ବାହାରକୁ ଯାଇ ସେଠାରେ ଜିନିଷ ତିଆରି ହୋଇ ପୁଣି ଫେରୁ ବୋଲି ଯେଉଁ ଧାରା ଚାଲିଛି ତାହା ଜାରି ରହୁ ବୋଲି ମୁଁ ଚାହୁନାହିଁ। ଏହି ଧାରା ବଦଳିବା ଦରକାର। ଭାରତ ଖୁବ୍‌ଶୀଘ୍ର ଏକ ୫ ଟ୍ରିଲିଅନ୍ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଥିବା ବେଳେ ବିନିର୍ମାଣର ହବ୍ ଭାବେ ଉଭା ହେଉଛି। ଆମର ମୁଖ୍ୟ ଆକର୍ଷଣ ହେଉଛି ନବସୃଜନ ଓ ଗୁଣାତ୍ମକ ମାନ। ଦେଶରେ କନସର୍ଟ ଓ ସମ୍ମିଳନୀ ଅର୍ଥନୀତିର ଅପାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟଗୁଡ଼ିକୁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଲଜିଷ୍ଟିକ୍‌ ଖର୍ଚ୍ଚ କମ୍ କରିବା ଲାଗି ବନ୍ଦର ସହିତ ଶିଳ୍ପ କେନ୍ଦ୍ରଗୁଡ଼ିକୁ ଯୋଡ଼ାଯାଉଛି। ନୀଳ ଅର୍ଥନୀତିରେ ଓଡ଼ିଶା ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସାମିଲ ହେବାକୁ ଯାଉଛି।

ଯୋଗାଣ ଶୃଙ୍ଖଳକୁ ମଜଭୁତ କରିବା ଉପରେ ସେ ଜୋର ଦେଇଛନ୍ତି ଯାହା ବିଶ୍ବରେ ଘଟୁଥିବା ଘଟଣା ଦ୍ବାରା ବିଶେଷ ପ୍ରଭାବିତ ହେବ ନାହିଁ। ଏଥିରେ ଶିଳ୍ପର ବଡ଼ ଭୂମିକା ରହିଛି। ସେମାନଙ୍କୁ ଏମ୍‌ଏସ୍‌ଏମ୍‌ଇ, ଯୁବବର୍ଗଙ୍କ ଷ୍ଟାର୍ଟଅପ୍‌କୁ ସହଯୋଗ କରିବାକୁ ପଡ଼ିବ। ଗବେଷଣା ଓ ନବସୃଜନ ମଧ୍ୟ ବହୁତ ଜରୁରି ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ରହିଥିବା ନିବେଶ ସମ୍ଭାବନା ଓ ସୁଯୋଗ ବିଷୟରେ ନିବେଶକମାନଙ୍କୁ ଅବଗତ କରିଛନ୍ତି। ଶିଳ୍ପକୁ ଦକ୍ଷ ଶ୍ରମଶକ୍ତି ଯୋଗାଇବା ଲାଗି ସ୍କିଲ୍‌ଡ ଇନ୍ ଓଡ଼ିଶାର ଭୂମିକା ଉପରେ ସେ ଆଲୋକପାତ କରିଥିଲେ। ଶିଳ୍ପ ପାଇଁ ପ୍ଲଗ୍‌ ଆଣ୍ଡ୍ ପ୍ଲେ ମଡେଲ୍‌ରେ ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ କରାଯାଇଥିବା ବେଳେ ୩୦ଟି ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ସ୍ଥାପନ କରାଯାଉଛି। ମାଲାକାନଗିରି, ଝାରସୁଗୁଡ଼ା ଓ କେନ୍ଦୁଝର ଭଳି ଜିଲ୍ଲାଗୁଡ଼ିକରେ ଖ‌ାଦ୍ୟ ପ୍ରକ୍ରିୟାକରଣ ସହ ଅନ୍ୟ ଶିଳ୍ପଗୁଡ଼ିକ ମୁଣ୍ଡ ଟେକୁଛି। କେବଳ ଖଣି, ଇସ୍ପାତ ଭଳି ପାରମ୍ପରିକ କ୍ଷେତ୍ର ନୁହେଁ, ଗ୍ରିନ୍ ହାଇଡ୍ରୋଜେନ୍, ପେଟ୍ରୋକେମିକାଲ୍‌ସ ଭଳି କ୍ଷେତ୍ରକୁ ମଧ୍ୟ ଧ୍ୟାନ ଦିଆଯାଉଛି। ଓଡ଼ିଶାରେ ନିବେଶ କରି ରାଜ୍ୟର ଅଭିବୃଦ୍ଧି ଯାତ୍ରାର ସାଥୀ ହେବା ଲାଗି ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ନିକଟରେ ସିଙ୍ଗାପୁର ସହ ହୋଇଥିବା ୮ଟି ଏମ୍‌ଓୟୁ ଉପରେ ସେ ଆଲୋକପାତ କରିଛନ୍ତି।

କନ୍‌କ୍ଲେଭ୍‌ରେ ବିଶିଷ୍ଟ ଶିଳ୍ପପତିଙ୍କ ମଧ୍ୟରେ ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲ, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାରର ମୁଖ୍ୟ ନବୀନ ଜିନ୍ଦଲ,‌ ବେଦାନ୍ତ ଲିମିଟେଡ୍‌ର ମୁଖ୍ୟ ଅନୀଲ ଅଗ୍ରୱାଲ୍, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ର ମୁଖ୍ୟ କରନ ଆଦାନୀ, ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟି ଭି ନରେନ୍ଦ୍ରନ, ବି ଡି ଗୋଏଙ୍କା, ହିତେଶ ଦୋଷୀ ପ୍ରମୁଖ ଭାଗ ନେଇଥିଲେ। କନ୍‌କ୍ଲେଭ୍‌ରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ୍‌ ଓରାମ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଅନ୍ୟମାନେ ଉପସ୍ଥିତ ଥିଲେ।