ମାଲକାନଗିରି: ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବା ପରେ ପ୍ରଥମଥର ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ୱାଇବି ଖୁରାନିଆ। ନକ୍ସଲ ଓ ଗଞ୍ଜେଇ ଚାଷକୁ ମୂଳରୁ ଉପାଡ଼ିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ଶାନ୍ତି ଫେରିଛି, ଆଗକୁ ବଜାୟ ରହିବ ବୋଲି ଜିଲ୍ଲାବାସୀଙ୍କୁ ଆଶ୍ବାସନା ଦେଇଛନ୍ତି। ଦୁଇ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତର ପ୍ରାରମ୍ଭ ଆଜି ସ୍ବାଭିମାନ ଅଞ୍ଚଳରୁ କରିଥିଲେ ଡିଜିପି। ନକ୍ସଲ ଲଢ଼େଇକୁ ନିର୍ଣ୍ଣାୟକ ମୋଡ଼ ଦେବାକୁ ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତ କରିଥିବା ସୂଚନା ମିଳିଛି। ଗୋରାସେତୁସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପ ପରିଦର୍ଶନ ପରେ ମାଲକାନଗିରିରେ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ବରିଷ୍ଠ ପୁଲିସ ଏବଂ ବିଏସ୍‌ଏଫ୍‌ ଅଧିକାରୀ ପରିସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ୨୦୨୬ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି।

Advertisment

ଓଡ଼ିଶାରେ ଏହି ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ ଅବଧିରେ ସଂପୂର୍ଣ୍ଣ କରିବା ପ୍ରଥମ ଲକ୍ଷ୍ୟ ବୋଲି ଡିଜିପି କହିଥିଲେ। ନକ୍ସଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପୁଳ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛନ୍ତି। ଯାହାକୁ ଖୋଜି ବାହାର କରାଯିବ। ଜିଲ୍ଲାରେ ଗୋଟିଏ ବାଟାଲିୟନ୍‌ ବିଏସ୍‌ଏଫ୍‌ ଯବାନ ପ୍ରତ୍ୟାହାର ହୋଇଛନ୍ତି। ବଦଳରେ ଜିଲ୍ଲାରେ ଯଥେଷ୍ଟ ସୁରକ୍ଷା ଯୋଗାଇ ଦେବାକୁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ଆତଙ୍କର ବାତାବରଣ ଆଦୌ ନାହିଁ। ଅଞ୍ଚଳବାସୀଙ୍କୁ ସୁରକ୍ଷା ବଳ ୨୪ଘଣ୍ଟିଆ ସୁରକ୍ଷା ପ୍ରଦାନ କରୁଛନ୍ତି। ପୂର୍ବର ଏବଂ ବର୍ତ୍ତମାନର ସ୍ବାଭିମାନ ଅଞ୍ଚଳରେ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଲୋକ ଚାଷ କରି ବେଶ୍‌ ଶାନ୍ତିରେ ଜୀବନଯାପନ କରୁଛନ୍ତି। ନକ୍ସଲଙ୍କ ଉପଦ୍ରବ କମିବା ପରେ ରାଜ୍ୟକୁ ଗଞ୍ଜେଇମୁକ୍ତ କରାଯିବ। ଜିଲ୍ଲାରେ ନିୟୋଜିତ ଏସ୍‌ଓଜି, ଡିଭିଏଫ୍‌ ଯବାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ କରାଯିବ। ଅଞ୍ଚଳବାସୀ କିଭଳି ଶାନ୍ତିରେ ତଥା ନିରାପଦରେ ରହିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ଆଜି ମାଲକାନଗିରିରେ ରାତ୍ରିଯାପନ ପରେ ଆସନ୍ତାକାଲି ଡିଜିପି କୋରାପୁଟ ଜିଲ୍ଲାରେ ସମୀକ୍ଷା କରି ଭୁବନେଶ୍ବର ଫେରିବେ।