ଭୁବନେଶ୍ୱର : ମହାନଦୀର ସୁରକ୍ଷା ପାଇଁ ସବୁଜ ମହାନଦୀ ମିସନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଅବବାହିକାରେ ନୂତନ ଜଙ୍ଗଲ ସୃଷ୍ଟି କରାଯିବ। ଏହାର ଦୁଇ ପାର୍ଶ୍ୱରେ ଏକ କିଲୋମିଟର ଓସାର ବିଶିଷ୍ଟ ଜଙ୍ଗଲ ସୃଷ୍ଟି ପାଇଁ ୨ କୋଟି ଚାରା ରୋପଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ଚଳିତ ମାସ ୭ ତାରିଖ ସୁଦ୍ଧା ୪୦ ଲକ୍ଷ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ୬୯ତମ ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ପାତ୍ରପଡ଼ା-ଭଗବାନପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଦୁଇଟି ଚାରା ରୋପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଗଛ ହେଉଛି ପ୍ରକୃତିର ଆତ୍ମା। ଗଛ ବଞ୍ଚିଲେ, ପ୍ରକୃତି ଓ ସଭ୍ୟତା ବଞ୍ଚିବ। ତେଣୁ ଗଛ ଲଗାଇ ପ୍ରକୃତିକୁ ସୁରକ୍ଷା ଦେବା ଆମର ପରମ କର୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବାର୍ତା ଦେଇଥିଲେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ଦେବବ୍ରତ ସ୍ୱାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଗତ ୨ ବର୍ଷ ଭିତରେ ରାଜ୍ୟରେ ୮୮୫ ବର୍ଗ କିଲୋମିଟର ଜଙ୍ଗଲ(ନୂତନ ଜଙ୍ଗଲ ଓ ପୁନରୁଦ୍ଧାର ଜଙ୍ଗଲ) ବୃଦ୍ଧି ପାଇଥିବାରୁ ଅତିଥିମାନେ ବନ ବିଭାଗର ଅଧିକାର ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ।
ଏହି ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ବାମ୍ରା ରେଞ୍ଜ୍ର ଓରାମ ନିତିମାଲ୍ ଜଙ୍ଗଲ ସୁରକ୍ଷା ସମିତି ଓ ଗଞ୍ଜାମ ଜିଲ୍ଲା ବଳିଆପୁଟ ଜଙ୍ଗଲ ସୁରକ୍ଷା ସମିତିକୁ ବିଜୁ ପଟ୍ଟନାୟକ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ବନ ମହୋତ୍ସବ ପାଇଁ ରାଜଧାନୀର ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା ଚିତ୍ରାଙ୍କନ, ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଚିତ୍ରାଙ୍କନ ପାଇଁ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରୁ ଅନୀଷା ଅନନ୍ୟା, ଡିଏଭି ପୋଖରୀପୁଟରୁ ସନ୍ଦୀପ ପରିଡ଼ା, ପ୍ରଭୁଜୀ ଇଂରାଜୀ ମିଡିୟମ୍ ସ୍କୁଲରୁ ଜିଜ୍ଞାସା ଦାସ, ତର୍କରେ ଡିଏଭି ଚନ୍ଦ୍ରଶେଖରପୁରରୁ ଆର୍ୟା ନାୟକ, ଡିଏଭି ପୋଖରୀପୁଟରୁ ଦୀକ୍ଷା ମହାନ୍ତି, ପ୍ରବନ୍ଧରେ ପ୍ରଭୁଜୀ ଇଂରାଜୀ ମିଡିୟମ୍ ସ୍କୁଲ୍ରୁ ଲେଖା ଶତପଥୀ ଓ ଡିଏଭି ପୋଖରୀପୁଟରୁ ସ୍ନେହାଶ୍ରୀ ସାହୁଙ୍କ ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ମଂଜୁଶ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜଙ୍ଗଲ ବିଭାଗ ପକ୍ଷରୁ ବିଦ୍ୟାଳୟ ପରିସରରେ ୨୫୦ ଚାରା ରୋପଣ କରାଯାଇଥିଲା ଓ ସାଧାରଣ ଲୋକଙ୍କୁ ୩ ହଜାର ଚାରା ମାଗଣାରେ ବଣ୍ଟନ କରାଯାଇଥିଲା।