ଏଣିକି କେନ୍ଦ୍ରୀୟ ଫୋର୍ସ ବାବଦରେ ୧୦% ଅର୍ଥ ଦେବ ଓଡ଼ିଶା

ସାଂସଦ ଅମର ପଟ୍ଟନାୟକଙ୍କ ଚିଠି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, ବକେୟା ୨,୯୦୭ କୋଟି ବାବଦରେ ଓଡ଼ିଶା ଦେବ ୨୯୧ କୋଟି

ଭୁବନେଶ୍ବର : ନକ୍ସଲ ପ୍ରଭାବିତ ରାଜ୍ୟମାନେ ଏଣିକି କେନ୍ଦ୍ରୀୟ ବାହିନୀ ମୁତୟନ ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାରଙ୍କୁ ୧୦% ଅର୍ଥ ଦେବେ। ଓଡ଼ିଶା ସରକାରଙ୍କ ଉପରେ କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦରେ ବକେୟା ଅର୍ଥ ଛାଡ଼ି କରିବା ନେଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଥିବା ଚିଠିର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ୨୦୧୭ ଅକ୍ଟୋବର ପହିଲା ସୁଦ୍ଧା କେନ୍ଦ୍ରୀୟ ଫୋର୍ସ ବାବଦରେ ଥିବା ୨ ହଜାର ୯୦୭ କୋଟି ଟଙ୍କାର ଓଡ଼ିଶା ସରକାରଙ୍କୁ ମାତ୍ର ୨୯୦ କୋଟି ୭୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସାଂସଦ ଅମର ପଟ୍ଟନାୟକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମୁତୟନ ଖର୍ଚ୍ଚ ବାବଦରେ ୯୦% ଅର୍ଥ ଛାଡ଼ କରିବାକୁ କେନ୍ଦ୍ର ସରକାର ୨୦୧୭ରୁ ନିଷ୍ପତ୍ତି ନେଇଛନ୍ତି। ଏହି ଛାଡ଼ ନିଷ୍ପତ୍ତି ଆଗାମୀ ୫ ବର୍ଷ ପାଇଁ ବଳବତ୍ତର ରହିବ। ଓଡ଼ିଶା ସମେତ ନକ୍ସଲ ପ୍ରଭାବିତ ରାଜ୍ୟମାନେ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ମୁତୟନ ବାବଦରେ କେବଳ ୧୦% ଅର୍ଥ ପ୍ରଦାନ କରିବେ। ଏ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଗତମାସ ୬ ତାରିଖରେ ପତ୍ର ଲେଖି ଜଣାଇଥିବା ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ପ୍ରକାଶ ଥାଉକି, ନକ୍ସଲମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି। ଦେଶର ଐକ୍ୟ, ସଂହତି ଓ ଆନ୍ତରିକ ସୁରକ୍ଷା କ୍ଷେତ୍ରରେ ମାଓବାଦୀମାନେ ଚାଲେଞ୍ଜ୍ ସୃଷ୍ଟି କରିଛନ୍ତି। ନକ୍ସଲ ସମସ୍ୟା ନେଇ ଓଡ଼ିଶା ବହୁ ବର୍ଷ ଧରି ମୁକାବିଲା କରିଆସୁଛି। ନକ୍ସଲମାନଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ ଓଡ଼ିଶା ପରି ନକ୍ସଲ ପ୍ରଭାବିତ ଅନ୍ୟ ରାଜ୍ୟମାନେ ମଧ୍ୟ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ସହାୟତା ନେଇଆସୁଛନ୍ତି। ଏଥିପାଇଁ ସେସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦରେ ଦେୟ ଦେବାକୁ ପଡ଼ୁଛି। ଏ ନେଇ ନକ୍ସଲ ପ୍ରଭାବିତ ରାଜ୍ୟମାନେ ୨୦୧୭ ଅକ୍ଟୋବର ସୁଦ୍ଧା ୩୪ ହଜାର ୬୫୫ କୋଟି ଟଙ୍କା ଦେବାକୁ ବାକି ଅଛି। ଯେହେତୁ ମାଓବାଦୀ ସମସ୍ୟା ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କ ଉପରେ ଥିବା କେନ୍ଦ୍ର ସରକାରଙ୍କ ବକେୟା ଅର୍ଥ ଛାଡ଼ି କରିବାକୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ସଂସଦର ଗତ ଅଧିବେଶନରେ ରାଜ୍ୟସଭାରେ ଏକ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଜାଣିବାକୁ ଚାହିଁଥିଲେ। କିନ୍ତୁ ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ରଖିଥିବା ଉତ୍ତରରେ ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିନଥିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ଶ୍ରୀ ପଟ୍ଟନାୟକ ଗତ ଅଗଷ୍ଟ ୨୦ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାକୁ ପତ୍ର ଲେଖିଥିଲେ। ପତ୍ରରେ ଶ୍ରୀ ପଟ୍ଟନାୟକ ଜଣାଇଥିଲେ, ନକ୍ସଲ ପ୍ରଭାବିତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ପୂର୍ବରୁ ମିଳୁଥିବା ପଛୁଆ ଅଞ୍ଚଳ ବିକାଶ ପାଣ୍ଠି (ବିଆରଜିଏଫ), ସମନ୍ବିତ କାର୍ଯ୍ୟାନ୍ବୟନ ପାଣ୍ଠି (ଆଇଏପି) କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ନକ୍ସଲ ସମସ୍ୟାର ସମାଧାନ ପାଇଁ ଏହିସବୁ ଯୋଜନା ଜାରି ରଖିବାକୁ ଯାଇ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗଙ୍କ ଠାରୁ ଆରମ୍ଭ କରି ପ୍ରାୟ ସବୁ ସଂସ୍ଥା ବାମପନ୍ଥୀ ଉଗ୍ରବାଦ ସମସ୍ୟା ଦେଶର ଆନ୍ତରିକ ସୁରକ୍ଷା ପାଇଁ ବଡ଼ ଚାଲେଞ୍ଜ ବୋଲି ଦର୍ଶାଇଛନ୍ତି। ଦେଶର ଆନ୍ତରିକ ସୁରକ୍ଷା ଓ ପ୍ରତିରକ୍ଷା ବାବଦରେ ଭାରତ ସରକାର ଅବିଭକ୍ତ କରପାଣ୍ଠି(ଇନଡିଭିଜିବୁଲ) ପୁଲରୁ ଖର୍ଚ୍ଚ କରିବା ପାଇଁ ପଞ୍ଚଦଶ ଅର୍ଥ କମିସନଙ୍କ ପାଖରେ ପ୍ରସ୍ତାବ ରଖିଥିବାବେଳେ ନକ୍ସଲ ମୁକାବିଲା କରୁଥିବା ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଫୋର୍ସ ମୁତୟନ ବାବଦରେ ଅର୍ଥ ଛାଡ଼ ନ କରିବା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ଶ୍ରୀ ପଟ୍ଟନାୟକ ଚିଠିରେ ଦର୍ଶାଇଥିଲେ। ଏ ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ଉପରେ ୨୦୧୭ ଅକ୍ଟୋବର ପହିଲା ସୁଦ୍ଧା ବକେୟା ଥିବା ୨ ହଜାର ୯୦୭ କୋଟି ଟଙ୍କା ଛାଡ଼ କରିବାକୁ ସେ ଗୃହ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର