ରାଜ୍ୟ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରତିଷ୍ଠାନ ଶୀଘ୍ର

ମାର୍ଚ ୩୧ ସୁଦ୍ଧା ଆଗୁଆ ସତର୍କ ସୂଚନା ବ୍ୟବସ୍ଥା

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରତିଷ୍ଠାନ ସ୍ଥାପନ କରାଯିବ। ଏଥିପାଇଁ ବ୍ୟୟ ହେବ ପ୍ରାୟ ୫୦ କୋଟି ଟଙ୍କା। ସେହିପରି ମାର୍ଚ ୩୧ ତାରିଖ ସୁଦ୍ଧା ଉପକୂଳବାସୀଙ୍କୁ ସୁନାମି, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଆଗୁଆ ସତର୍କ ସୂଚନା ଦେବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମାର୍ଚ ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଯିବ।

ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସ୍‌ଡମା)ର ପରିଚାଳନା କମିଟିର ୩୧ତମ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ସୂଚନାନୁସାରେ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଉପକୂଳବର୍ତୀ ୬ଟି ଜିଲ୍ଲା ଯଥା: ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକର ୨୨ଟି ବ୍ଲକରେ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପ ବାବଦରେ ବିଶ୍ୱବ୍ୟାଙ୍କ ଶତ ପ୍ରତିଶତ ଅନୁଦାନ ଦେଇଛି। ସୁନାମି କି ବାତ୍ୟା ସଂପର୍କିତ ସୂଚନା ଏହି ବ୍ୟବସ୍ଥା ଜରିଆରେ ରାଜ୍ୟ ମୁଖ୍ୟ ଦପ୍ତରରୁ ତୁରନ୍ତ ଏହାର ୧୨୨ଟି କେନ୍ଦ୍ରକୁ ପ୍ରସାରିତ ହୋଇଯିବ। ଉପକୂଳ ପର୍ଯ୍ୟଟନ କେନ୍ଦ୍ର, ମାଛଧରା କେନ୍ଦ୍ର ସମେତ ୧୨୨ଟି ଟାଓ୍ଵାରରୁ ସାଇରେନ୍‌ ବାଜିଉଠିବ। ଫଳରେ ଉପକୂଳବାସୀ ସତର୍କ ହୋଇ ପ୍ରତିକାରମୂଳକ ବ୍ୟବସ୍ଥା ଅବଲମ୍ବନ କରିବେ। ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ। ମାର୍ଚ ୩୧ ତାରିଖ ସୁଦ୍ଧା ଏହି ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ତଥା ଓସ୍‌ଡମାର ପରିଚାଳନା ନିର୍ଦେଶକ ବିଷ୍ଣୁପଦ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର