ପ୍ରତ୍ୟେକ ଜିଲ୍ଲାରେ ରହିବ ଗୋଟିଏ ମଡେଲ୍‌ ଥାନା

କଟକ : ପ୍ରତ୍ୟେକ ଜିଲ୍ଲାରେ ଚୟନ ହେବ ଗୋଟିଏ ମଡେଲ୍‌ ଥାନା। ୨୮ଟି ମାନଦଣ୍ଡ ଆଧାରରେ ଥାନା ଚୟନ କରିବେ ପୁଲିସ ଡିଜି । ଥାନା ସ୍ତରରେ ଥିବା ତ୍ରୁଟି ସୁଧାରିବା ସହିତ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ରିପୋର୍ଟ ଡିଜିପିଙ୍କ ନିକଟରେ ଦାଖଲ କରିବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ପୁଲିସ ଡିଜିପି ଡାକ୍ତର ଆର୍‌.ପି.ଶର୍ମା ମଡେଲ୍‌ ଥାନା ସମ୍ପର୍କରେ ଆଲୋଚନା କରିବା ସହ ଏ ପ୍ରକାର ନିଷ୍ପତ୍ତି ନେଇଛନ୍ତି ।

ପୁଲିସ ଡିଜିପି ଡାକ୍ତର ଆର୍‌.ପି. ଶର୍ମା ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ପ୍ରତ୍ୟେକ ପୁଲିସ ଜିଲ୍ଲାରେ ଖୋଲିବାକୁ ଥିବା ମଡେଲ୍‌ ଥାନା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରେଞ୍ଜ ଆଇଜି, ଜିଲ୍ଲା ଏସ୍‌ପି ଏବଂ କମିସନରେଟ୍‌ ପୁଲିସର ଡିସିପିଙ୍କ ସହିତ ଆଲୋଚନା କରିଥିଲେ। ମଡେଲ୍‌ ଥାନା ପାଇଁ ପ୍ରତ୍ୟେଜ ଜିଲ୍ଲା ପାଇଁ ୨୮ଟି ମାନଦଣ୍ଡ ସ୍ଥିର କରାଯାଇଛି । ଏଥିରେ ଥାନା କୋଠାର ଭିତ୍ତିଭୂମି, କ୍ୟାମ୍ପସ୍‌ର ସୌନ୍ଦର୍ଯ୍ୟକରଣ, କ୍ୟାମେରା, ଅଭ୍ୟର୍ଥନା ପ୍ରକୋଷ୍ଠ ବ୍ୟବସ୍ଥା, ମହିଳା ଓ ଶିଶୁ ଡେସ୍କ, ଆଧୁନିକ ଜିମ୍‌ ସେଣ୍ଟର, ବୈଠକ ଆୟୋଜନ କରିବା ପାଇଁ ବଡ଼ ଧରଣର ସମ୍ମିଳନୀ କକ୍ଷର ବ୍ୟବସ୍ଥା ଥିବା ଥାନାକୁ ଚୟନ କରାଯିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ସେହି ଆଧାରରେ ଜିଲ୍ଲା ଏସ୍‌ପି ଥାନାର ନାମ ଏବଂ ଭିତ୍ତିଭୂମି ସମ୍ପର୍କରେ ପୁଲିସ ଡିଜିଙ୍କ ନିକଟରେ ଦାଖଲ କରିଛନ୍ତି । ମଡେଲ ଥାନାରେ ପରିବର୍ତ୍ତନ କରିବା ପୂର୍ବରୁ ଅଧିକ ଚାରିଟି ଦିଗ ଉପରେ ସମୀକ୍ଷା କରିବାକୁ ଆଜି ଡିଜିପି ପରାମର୍ଶ ଦେଇଛନ୍ତି। ଭିତ୍ତିଭୂମି, କର୍ମଚାରୀ ସଂଖ୍ୟା, ଆର୍ଥିକ ବ୍ୟବସ୍ଥା, କର୍ମଚାରୀଙ୍କ ବ୍ୟବହାରକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ଆସନ୍ତା ଅଗଷ୍ଟ ୧୫ ତାରିଖରେ ପୁଲିସ ଡିଜିପି ଏକ ବୈଠକର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ତାରିଖରେ ମଡେଲ୍‌ ଥାନା କରିବା ପୂର୍ବରୁ ଯେଉଁ ଥାନାରେ କୌଣସି ତ୍ରୁଟି ରହିଛି, ସେଗୁଡ଼ିକ ସୁଧାରିବା ପରେ ପୂର୍ଣ୍ଣାଙ୍ଗ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ଅନେକ ଥାନାରେ କର୍ମଚାରୀ ଅଭାବ, ଆର୍ଥିକ ସମସ୍ୟା ଏବଂ ପର୍ଯ୍ୟାପ୍ତ ଗାଡ଼ିର ସମସ୍ୟା ଥିବା ଆଜି ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଏସ୍‌ପିମାନେ ଅବଗତ କରାଇଥିଲେ। ଆଜି ଆୟୋଜିତ ବୈଠକରେ ଡିଜିପିଙ୍କ ସମେତ ଏଡିଜି ସତ୍ୟତିଜ ମହାନ୍ତି, ସୌମେନ୍ଦ୍ର ପ୍ରିୟଦର୍ଶୀ, ଅସିତ ପାଣିଗ୍ରାହୀ, ପି.ଏସ୍‌. ରଣପିସେ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର