କଥା ରଖିଲେ ନବୀନ : ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ଗାନ୍ଧୀ ଜୟନ୍ତୀରୁ ଲାଗୁ ହେବ

୩୪ଲକ୍ଷ ୪୪ ହଜାର ଲୋକ ଉପକୃତ ହେବେ, ବ୍ୟୟ ଅଟକଳ ୫୦୦ କୋଟିରୁ ଅଧିକ

ଭୁବନେଶ୍ୱର : ଯେତେ ଗୁହାରି କଲେ ମଧ୍ୟ କେନ୍ଦ୍ର ଶୁଣିଲା ନାହିଁ। ଶେଷରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍‌ ପଡିଥିବା ହିତାଧିକାରୀଙ୍କ ପାଇଁ ଓଡ଼ିଶା ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିଛି। ଆସନ୍ତା ଅକ୍ଟୋବର ୨ ତାରିଖ ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀରୁ ନୂଆ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ପାଖାପାଖି ୩୪ଲକ୍ଷ ୪୪ ହଜାର ଲୋକ ଉପକୃତ ହେବେ ଓ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ପାଖାପାଖି ୫୦୦ କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡିବ ବୋଲି ସୂଚନା ମିଳିଛି। ଗତ ସାଧାରଣ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପଦକ୍ଷେପ ନେଇଛନ୍ତି।

ନିର୍ବାଚନ ବର୍ଷରେ ନବୀନଙ୍କ ଏଭଳି ପଦକ୍ଷେପକୁ ରାଜନୈତିକ ମହଲ ମାଷ୍ଟରଷ୍ଟ୍ରୋକ୍‌ ବୋଲି ବର୍ଣ୍ଣନା କରିଛନ୍ତି। ବିଜେପି ସହିତ ସଂପର୍କ ଛିନ୍ନ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ନିର୍ବାଚନ (୨୦୦୯) ପୂର୍ବରୁ ଅର୍ଥାତ୍‌ ୨୦୦୮ ମସିହାରେ ୨ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ। ଏହାର ପରିଣାମ ସ୍ୱରୂପ ରାଜ୍ୟରେ ବିଜେଡି ସରକାର ବଡ଼ ସଂଖ୍ୟାରେ ବିଜୟୀ ହୋଇଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ମଧ୍ୟ ନବୀନ (୨୦୧୩ରେ) ଅନୁରୂପ ଏକ ପଦକ୍ଷେପ ନେଇଥିଲେ। ଏଥର ୨ ଟଙ୍କିଆ ଚାଉଳକୁ ଟଙ୍କିକିଆ କରି ଦିଆଯାଇଥିଲା। ଆଉ ଆସନ୍ତା ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରୁ ବାଦ୍‌ ପଡିଥିବା ସମସ୍ତ ହିତାଧିକାରୀଙ୍କୁ ନେଇ ନୂଆ ଖାଦ୍ୟ ଯୋଜନାର ନକ୍ସା ପ୍ରସ୍ତୁତ କରିଛନ୍ତି।

‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା ସଂପର୍କରେ ସୂଚାଇଥିଲେ। କହିଥିଲେ, ‘ଆପଣମାନେ ଜାଣିଛନ୍ତି ଯେ ମୁଁ ସବୁବେଳେ ଖାଦ୍ୟ ସୁରକ୍ଷା ଉପରେ ଜୋର ଦେଇ ଆସିଛି। ପ୍ରଥମେ ୨ ଟଙ୍କା ଓ ପରେ ଏକ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇ ଦିଆଯାଉଥିଲା। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହା ସାରା ଦେଶରେ ବଡ଼ ପଦକ୍ଷେପ ଥିଲା।’

ମୁଖ୍ୟମନ୍ତ୍ରୀ କହିଥିଲେ, ‘୨୦୧୪ରେ ମୁଁ ପ୍ରତିଶ୍ରୁତି ଦେଇଥିଲି ଯେ ଆମେ ନିଜର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ। ଆପଣମାନେ ଜାଣନ୍ତି, କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେବା

ପରେ ବି ବହୁ ଗରିବ ଲୋକ ଏଥିରେ ସାମିଲ ହୋଇପାରିନଥିଲେ। ମୁଁ ଚାହେଁ, ରାଜ୍ୟର ଜଣେ ବି କେହି ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତୁ। ୨୦୧୧ ଜନଗଣନା ଭିତ୍ତିରେ କେନ୍ଦ୍ର ସରକାର ଖାଦ୍ୟ ସାମଗ୍ରୀ ଯୋଗାଉଛନ୍ତି। ଏଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଏଥିରୁ ବଞ୍ଚିତ ହେଉଥିଲେ। ଏ ସଂପର୍କରେ କେନ୍ଦ୍ରକୁ ଚିଠି ଲେଖିଯାଇଥିଲେ ହେଁ, ଏ ଦିଗରେ କିଛି ବି ବିଚାର ହୋଇନଥିଲା।’ ଏଣୁ ରାଜ୍ୟ ସରକାର ରାଜ୍ୟର ନିଜସ୍ୱ ଟଙ୍କାରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚାଇଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଆହୁରି କହିଥିଲେ ଯେ ମୁଁ ସବୁବେଳେ କହିଆସିଛି, ଆମେ କାମରେ ବିଶ୍ୱାସ କରୁ। ଲୋକଙ୍କ କଲ୍ୟାଣରେ ବିଶ୍ୱାସ କରୁ। ମୁଁ ବହୁତ ଖୁସି ଯେ ଦିଆଯାଇଥିବା କଥା ରଖାଯାଇପାରିଛି। ଲୋକଙ୍କ ଆଶୀର୍ବାଦ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହେବ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ମେ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଶେଷ ଥର ପାଇଁ ଚିଠି ଲେଖି ବଞ୍ଚିତ ହିତାଧିକାରୀଙ୍କ ସଂପର୍କରେ ବିଚାର ପାଇଁ ଅନୁରୋଧ କରିଥିଲେ। ଦୁଇ ମାସ ଅପେକ୍ଷା କରିବା ପରେ ସରକାର ଆଜି ନୂଆ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୩ରେ ଖାଦ୍ୟ ସୁରକ୍ଷା ଆଇନ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିଲା। ସେତେବେଳେ ୨୦୧୧ ଜନସଂଖ୍ୟାକୁ ବିଚାରକୁ ନିଆଯାଇଥିଲା। ଏହି ଜନଗଣନାରେ ଓଡ଼ିଶାର ଲୋକସଂଖ୍ୟା ୪କୋଟି ୧୯ଲକ୍ଷ ୭୪ ହଜାର ୨୧୮ ଥିଲା। ଏହାର ୭୮ ପ୍ରତିଶତ ଅର୍ଥାତ୍‌ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟକୁ କୁହାଯାଇଥିଲା।

ଏବେ କିନ୍ତୁ ସରକାରଙ୍କର କହିବା କଥା ହେଉଛି, ୨୦୧୧ରେ ଜନଗଣନାରେ ଜଣାପଡିଥିଲା ଯେ ରାଜ୍ୟର ସେ ଦଶନ୍ଧିରେ ଲୋକସଂଖ୍ୟା ୧୪ ପ୍ରତିଶତ ବୃଦ୍ଧି ପାଇଥିଲା। ଏବେ ହିସାବ କରି ଦେଖାଯାଉଛି, ୨୦୧୮ ସୁଦ୍ଧା ରାଜ୍ୟର ଲୋକସଂଖ୍ୟା ପାଖାପାଖି ୧୦.୨୨ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥାତ୍‌ ବର୍ତମାନ ରାଜ୍ୟର ଲୋକସଂଖ୍ୟା ୪ କୋଟି ୬୨ଲକ୍ଷ, ୬୩ ହଜାର ୯୮୩ ରହିଛି। କେନ୍ଦ୍ର ସରକାରଙ୍କ ମାପକାଠିକୁ ବିଚାରକୁ ନେଲେ, ଏ ମଧ୍ୟରୁ ରାଜ୍ୟର ୩ କୋଟି ୬୦ଲକ୍ଷ ୮୫ହଜାର ୯୦୭ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବା କଥା।

ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ବଳକା ୩୪ଲକ୍ଷ ୪୪ ହଜାର ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିବେଦନ କରିଥିଲେ ହେଁ, କେନ୍ଦ୍ର ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା। ଶେଷରେ ରାଜ୍ୟ ସରକାର ବାଧ୍ୟ ହୋଇ ନିଜସ୍ୱ ଖାଦ୍ୟ ଯୋଜନା ଆରମ୍ଭ କରିଥିବା କୁହାଯାଇଛି।

ଏହା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟର ସବୁ ହିତାଧିକାରୀଙ୍କୁ ଛୁଉଁନଥିବା କାରଣ ଦର୍ଶାଇ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର