କ୍ୟାବିନେଟ୍ରେ ଖାଦ୍ୟ ସୁରକ୍ଷା ଯୋଜନାକୁ ମୋହର : ପ୍ରଥମ ଦଫାରେ ପଚିଶ ଲକ୍ଷଙ୍କୁ ଟଙ୍କିକିଆ ଚାଉଳ, ୬ ମାସରେ ଖର୍ଚ ହେବ ୨୨୧ କୋଟି
ଭୁବନେଶ୍ୱର : ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସ୍ଥିର ହୋଇଛି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ୨୫ ଲକ୍ଷ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ କେଜି ପିଛା ଟଙ୍କାଏ ମୂଲ୍ୟରେ ୫ କିଲୋ ଲେଖାଏଁ ଚାଉଳ ମିଳିବ। ଏଥିପାଇଁ ଆଗାମୀ ୬ ମାସରେ ଖର୍ଚ ହେବ ପ୍ରାୟ ୨୨୧ କୋଟି।
କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ୨୦୦୧ରୁ ୨୦୧୧ ମଧ୍ୟରେ ରାଜ୍ୟ ଜନସଂଖ୍ୟାରେ ୧୪ ପ୍ରତିଶତ ବୃଦ୍ଧି ଘଟିଥିଲା। ଗତ ୭ ବର୍ଷରେ ଏହି ବୃଦ୍ଧି ହାର ୧୦.୨୨ ପ୍ରତିଶତ ରହିଛି। ୨୦୧୧ ଜନଗଣନା ଭିତ୍ତିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଉଥିବା ପରିପ୍ରେକ୍ଷୀରେ ୩୪.୪୪ ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖିଥିଲେ। କିନ୍ତୁ ଉତ୍ତର ମିଳିଲାନାହିଁ। ଏଣୁ ବାଦ୍ ପଡ଼ିଥିବା ରାଜ୍ୟର ସମସ୍ତ ଗରିବ, ଅସହାୟ ଓ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତିି। ଯୋଜନାର ରୂପରେଖ ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ କହିଲେ, ରାଜ୍ୟ ଯୋଜନାରେ ୫ଟି ସ୍ୱତଃ ଯୋଗ ମାନଦଣ୍ଡ ରହିଛି। ଜାତୀୟ ଖାଦ୍ୟ ଆଇନ ଅଧୀନରେ ୬ଟି ସ୍ୱତଃ ଯୋଗ ମାନଦଣ୍ଡ ରହିଥିଲା। ଏହି ସ୍ୱତନ୍ତ୍ର ମାନଦଣ୍ଡଗୁଡ଼ିକ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଓ ଅନ୍ନପୂର୍ଣ୍ଣା ଯୋଜନାର ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ସେହି ୫ଟି ମାନଦଣ୍ଡଗୁଡ଼ିକ ହେଉଛି ୬୦ ବର୍ଷ ବୟସରୁ ଅଧିକ ବୟସର ଲୋକଙ୍କୁ ନେଇ କୌଣସି ନିର୍ଭରଯୋଗ୍ୟ ଆୟର ଉତ୍ସ ନ ଥିବା ପରିବାର, ଭିନ୍ନକ୍ଷମଙ୍କ ଦାୟିତ୍ୱରେ ଥିବା ବୟସ୍କ ତଥା ଅକ୍ଷମ ବ୍ୟକ୍ତି ଯାହାଙ୍କ ପରିବାରରେ କେହି ରୋଜଗାରକ୍ଷମ ବ୍ୟକ୍ତି ନାହାନ୍ତି, ଦିନ ମଜୁରିଆ ଓ ଯେଉଁ ପରିବାରର ସଦସ୍ୟ କୁଷ୍ଠ/ଏଚ୍ଆଇଭି ବା ଦୁରାରୋଗ୍ୟରେ ପୀଡ଼ିତ।
ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ଏହି ଯୋଜନାର ହିତାଧିକାରୀ ପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତି ରାସନ କାର୍ଡ ପରିଚାଳନା ବ୍ୟବସ୍ଥା(ଆରସିଏମ୍ଏସ୍) ଜରିଆରେ ଆବେଦନ କରିପାରିବେ। ଯୋଗ୍ୟ ମନୋନୀତ ହେବା ପରେ ସେମାନଙ୍କୁ ରାସନ କାର୍ଡ ମିଳିବ। ନିର୍ଧାରିତ ତାରିଖରେ ସେମାନଙ୍କୁ ଚାଉଳ ବଣ୍ଟନ କରାଯିବ।
ପ୍ରତି ଏକ ଲକ୍ଷ ହିତାଧିକାରୀଙ୍କ ପିଛା ରାଜ୍ୟ ସରକାର ପ୍ରାୟ ୧୭.୭୫ କୋଟି ଟଙ୍କାର ବୋଝ ବହନ କରିବେ। ରାଜ୍ୟ ନିକଟରେ କଲ୍ୟାଣକର ଯୋଜନା ବାବଦରେ ୧୪୦ କୋଟି ଜମା ରହିଛି। ବଳକା ୮୧ କୋଟି ଅତିରିକ୍ତ ବଜେଟରେ ବ୍ୟୟ ବରାଦ କରାଯିବ।
ସୂଚନାଯୋଗ୍ୟ, ଓଡ଼ିଶାର ଗ୍ରାମାଞ୍ଚଳ ଜନସଂଖ୍ୟାର ୮୫ ପ୍ରତିଶତ, ସହରାଞ୍ଚଳର ୭୦ ପ୍ରତିଶତ ଏହିରୂପେ ମୋଟ ଜନସଂଖ୍ୟାର ୭୮ ପ୍ରତିଶତ ହେଉଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ।