ଭୁବନେଶ୍ୱର: ଶକ୍ତିକ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା ସଂସ୍କାରଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁର ଏବଂ ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ୍ ଫର୍‌ ଗ୍ଲୋବାଲ୍ ଚେଞ୍ଜ ମଧ୍ୟରେ ଏହି ବୁଝ‌ାମଣାପତ୍ର ହୋଇଛି।  କାର୍ଯ୍ୟକ୍ରମ ସମୟରେ ଟୋନି ବ୍ଲେୟାର୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଓ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେ ଭି ସିଂହଦେଓ ଉପସ୍ଥିତ ଥିଲେ। 

Advertisment

ଦେଶର ବିଭିନ୍ନ ରାଜ୍ୟର ଶକ୍ତିମନ୍ତ୍ରୀମାନଙ୍କର କମ୍ୟୁନିଟି ପ୍ରାକ୍ଟିସ୍ ପାଇଁ ଓଡ଼ିଶା ନେତୃତ୍ୱ ନେବ। ଚଳିତ ବର୍ଷ ଶେଷରେ ଓଡ଼ିଶାରେ ବିଭିନ୍ନ ରାଜ୍ୟର ଶକ୍ତିମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଟୋନି ବ୍ଲେୟାର କହିଛନ୍ତି ଓଡ଼ିଶା ବିଦ୍ୟୁତ୍‌ ସଂସ୍କାରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଗତ ଏକ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଆକର୍ଷିତ କରିଛି। ଖଣିଜ ଆଧାରିତ ଶିଳ୍ପ ଏବଂ ତାପଜ ବିଦ୍ୟୁତ୍ କେନ୍ଦ୍ର ଯୋଗୁଁ ଓଡ଼ିଶା ସାଧାରଣତଃ ଅସୁବିଧାର ସମ୍ମୁଖୀନ ହେଉଛି। ସ୍ଥାୟୀ ଶକ୍ତି ସମାଧାନକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସହିତ ନିରନ୍ତର ସହଯୋଗ ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଟୋନି ବ୍ଲେୟାର କହିଛନ୍ତି। ନେଟ୍ ଜିରୋ କାର୍ବନ୍‌ ହାସଲ ପାଇଁ ଓଡ଼ିଶା ପ୍ରତିବଦ୍ଧ ଏବଂ ଏହାକୁ ହାସଲ କରିବା ପାଇଁ ରାଜ୍ୟ ସର୍ବୋତ୍ତମ ଅନ୍ତର୍ଜାତୀୟ ମାନଦଣ୍ଡ ସହ ସମନ୍ୱିତ ଏକ ରଣନୈତିକ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।

ପଶ୍ଚିମ ଓଡ଼ିଶାର ଦାଦନ ଖଟିବାକୁ ଯାଉଥିବା ପ୍ରବାସୀ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ  ଶ୍ରୀ ସିଂହଦେଓ ଆଲୋଚନା କରିଥିଲେ । ଓଡ଼ିଶା ସରକାରଙ୍କ କ୍ୟାବିନେଟ୍‌ ଅନୁମୋଦିତ କୃତ୍ରିମ ବୁଦ୍ଧିମତା ନୀତିକୁ ଟୋନି ବ୍ଲେୟାର ପ୍ରତିଷ୍ଠାନ ସମର୍ଥନ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି। ଭାରତ ପାଇଁ ଥିବା ଟିବିଆଇର ପ୍ରାଦେଶିକ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ କହିଛନ୍ତି ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟାରେ ଓଡ଼ିଶାର ନେତୃତ୍ୱ ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଏକ ନୂତନ ମାନକ ସ୍ଥାପନ କରୁଛି। ଶକ୍ତିମନ୍ତ୍ରୀଙ୍କ କମ୍ୟୁନିଟି ପ୍ରାକ୍ଟିସ୍‌ର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ଟିବିଆଇ ଏହି ଯାତ୍ରାର ଏକ ଅଂଶୀଦାର ହୋଇ ଗର୍ବିତ। ଟିବିଆଇର ଭାରତର ନିର୍ଦ୍ଦେଶକ ବିବେକ ଅଗ୍ରୱାଲ, ଆଇଆଇଟି କାନପୁରର ଡିନ୍ ପ୍ରଫେସର ସଚ୍ଚିଦାନନ୍ଦ ତ୍ରିପାଠୀ ଓ ଓଡ଼ିଶା ଶକ୍ତି ବିଭାଗର ବିତ୍ତୀୟ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଦେବୀଦତ୍ତ ତ୍ରିପାଠୀ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି।