ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ଅଣ୍ଟା ଭିଡ଼ିଲେ

ଗୃହ ବିଭାଗକୁ ଚିଠି ଲେଖିଲା ଜଙ୍ଗଲ ଓ ପରିବେଶ ବିଭାଗ, କେନ୍ଦ୍ରାପଡ଼ାରେ ଏନଆରସି ପଞ୍ଜିକା ପ୍ରଚଳନ ପାଇଁ କହିଲେ

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଚିନ୍ତାରେ ସରକାର। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ବେଆଇନ କାରବାର ଯୋଗୁଁ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ଯାଇ ରାଜ୍ୟ ସରକାର କେନ୍ଦ୍ରାପଡ଼ାରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ପ୍ରଚଳନ ପାଇଁ କେନ୍ଦ୍ରର ଅନୁମତି ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛି।

ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ରାଜ୍ୟ ଗୃହ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଲେଖିଥିବା ଚିଠିରୁ ଜଣାପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁପ୍ରବେଶକାରୀ ସମସ୍ୟା ନେଇ ଓଡ଼ିଶା ହାଇକୋର୍ଟ ଏକ ରିଟ୍ ପିଟିସନର ଶୁଣାଣି କରି ଏନଆରସି ପ୍ରଚଳନ କରିବାକୁ ୨୦୧୭ରେ ଆଦେଶ ଦେଇଥିଲେ।

ଏ ନେଇ ହାଇକୋର୍ଟ ମୋହିତ ଅଗ୍ରଵାଲଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରିଛନ୍ତି। ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରି କରିବାକୁ ଯାଇ ଗତ ଜୁନ୍ ୨୪ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ମୁତାବକ କେନ୍ଦ୍ରାପଡ଼ାରେ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ଏନଆରସି ପ୍ରଚଳନ କରିବା ପାଇଁ କେନ୍ଦ୍ର ସରକାରଙ୍କଠୁ ଅନୁମତି ଆଣିବାକୁ ଉଲ୍ଲେଖ କରାଯାଇଛି।

ପ୍ରକାଶଥାଉକି, ୨୦୦୪ରେ ୟୁପିଏ ସରକାର ଅମଳରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସ୍ବାଲ୍ ଓଡ଼ିଶାରେ ବେଆଇନ ଭାବେ ୩୦ ହଜାର ୮୫୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଥିବା ନେଇ ରାଜ୍ୟସଭାରେ ଏକ ପ୍ରଶ୍ନରେ ଉତ୍ତର ରଖିଥିଲେ।

ବର୍ତ୍ତମାନ ସେମାନଙ୍କ ସଂଖ୍ୟା ପ୍ରାୟ ଲକ୍ଷାଧିକ ହେବ ବୋଲି ଅନୁମାନ କରାଯାଉଛି। ଆମିକସ୍ କ୍ୟୁରିଙ୍କ ତଥ୍ୟ ଅନୁଯାୟୀ, ଅଧିକାଂଶ ବାଂଲାଦେଶୀ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଆସି କେନ୍ଦ୍ରାପଡ଼ାର ଭିତରକନିକାରେ ରହିଛନ୍ତି। ସେଠାରେ ସେମାନେ ବେଆଇନ ଚିଙ୍ଗୁଡ଼ି ଘେରି କରି ହେନ୍ତାଳ ବଣ ନଷ୍ଟ କରିଚାଲିଛନ୍ତି। ଚିଲିକା ହ୍ରଦର କେତେକ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଭିତରକନିକାରେ ବାଂଲା ଅନୁପ୍ରବେଶକାରୀଙ୍କ ଅବାଧ ବୋଟ୍ ଚାଳନା ଓ ଶିକାର ଯୋଗୁଁ ସେଠାକାର ଜୈବ ପରିବେଶ ପ୍ରଦୂଷଣ ହେବା ସହ ଜଳଚର ଜୀବ ଓ ବନ୍ୟଜନ୍ତୁମାନଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର