ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିବାହ କଲେ ସରକାର ଦେବେ ୨.୫ ଲକ୍ଷ

ଭୁବନେଶ୍ୱର: ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିବାହ କଲେ ରାଜ୍ୟ ସରକାର ଏଣିକି ଦମ୍ପତିଙ୍କୁ ୨.୫ ଟଙ୍କାର ସହାୟତା ମୂଳକ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ପୂର୍ବରୁ ଏହି ରାଶିର ପରିମାଣ ଥିଲା ୫୦ ହଜାର ଟଙ୍କା।

ଏହି ଯୋଜନା ଅନ୍ତର୍ଗତ ପ୍ରୋତ୍ସାହନ ରାଶିକୁ ବର୍ତ୍ତମାନ ଯୋଗ୍ୟ ଦମ୍ପତିଙ୍କ ପାଇଁ ୫୦ ହଜାରରୁ ୨.୫ ଲକ୍ଷକୁ ବୃଦ୍ଧି କରାଯାଇଛି, ବୋଲି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ଭାସ୍କର ଶର୍ମା କହିଛନ୍ତି। ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏକ ପତ୍ର ଲେଖି ଏହିପରି ବିବାହକୁ ସୁଗମ ତଥା ଉତ୍ସାହିତ କରିବା ପାଇଁ ବିଭାଗ ଏକ ସଂଶୋଧିତ ଗାଇଡଲାଇନ ଜାରି କରଥିବା ଜଣାଇଛନ୍ତି।

ଫେବ୍ରୁଆରି ୨୩ରେ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ସଚିବ ଶ୍ରୀ ଶର୍ମା ଉଲ୍ଲେଖ କରିଛନ୍ତି ଯେ ଏହି ଯୋଜନା ଅନୁଯାୟୀ ଯଦି ଜଣେ ସକ୍ଷମ ବା ସାଧାରଣ ବ୍ୟକ୍ତି ଦିବ୍ୟାଙ୍ଗଙ୍କୁ ବିବାହ କରନ୍ତି ତେବେ ଉଭୟ ପତି-ପତ୍ନୀଙ୍କୁ ନଗଦ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇପାରିବ। ତେବେ, ବର ଏବଂ କନ୍ୟାଙ୍କର ବୟସ ନିଶ୍ଚିତ ଭାବରେ ବିବାହ ସମୟରେ ଯଥାକ୍ରମେ ୨୧ ବର୍ଷ ଏବଂ ୧୮ ବର୍ଷ ପୂରଣ କରିଥିବ ବୋଲି ଗାଇଡଲାଇନରେ କୁହାଯାଇଛି। ଏବଂ ଉଭୟ ପତି-ପତ୍ନୀ ଓଡିଶାର ବାସିନ୍ଦା ହୋଇଥିବା ଜରୁରୀ।

ସମ୍ବନ୍ଧିତ ଖବର