ଭୁବନେଶ୍ୱର : ରାଜ୍ୟରେ ଆଉ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବା ପିଏଚ୍ସି ଖୋଲିବ। ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାସହ ୬ଟି ସିଏଚ୍ସିରେ ଉପଖଣ୍ଡ ଚିକିତ୍ସାଳୟର ସୁବିଧା ମିଳିବ। ସେହିପରି ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଛି। ଏ ନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ଦକ୍ଷିଣବନ୍ଧ, ଯାଜପୁର ବ୍ଲକ୍ର କୁଞ୍ଜବିହାରିପୁର, ବିଞ୍ଝାରପୁର ବ୍ଲକ୍ର ସିଂହପୁର, ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ବେଲ୍ଗାଁ, ବାଲେଶ୍ୱର ରେମୁଣା ବ୍ଲକ୍ର ମହାରାଜପୁର, ରୁପ୍ସା ବ୍ଲକ୍ର ରନସାହି, ଭୋଗରାଇ ବ୍ଲକ୍ର ଜୟରାମୁପର, ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍ର ଜାମଖୁଣ୍ଟା, ସଇଁତଳା ବ୍ଲକ୍ର ବୁଢ଼ାବାହଲ, ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ୍ର ବରିଡ଼ା, ପୁରୁଷୋତ୍ତମପୁର ବ୍ଲକ୍ର ସୁନାଥରା, କୁକୁଡ଼ାଖଣ୍ଡି ବ୍ଲକ୍ର ହୁଗୁଳାପଟା ଓ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ୍ର ମହାଲିଙ୍ଗଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ।
ସେହିପରି ବରଗଡ଼ ଜିଲ୍ଲାର ଗାଇସିଲାଟ ବ୍ଲକ୍ର ଗାଇସିଲାଟ, କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକ୍ର ଗୋଲମୁଣ୍ଡା, ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ର ରେଢ଼ୁଆ, ବାଲିକୁା ବ୍ଲକ୍ର ବୋରିକିନା ଓ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ର ଜଗନ୍ନାଥପୁରଠାରେ ଥିବା ପିଏଚ୍ସିକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯିବ। ଏହାସହ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ, ନବରଙ୍ଗପୁର ଜିଲ୍ଲା ଉମରକୋଟ, ମାଲକାନାଗିରି ଜିଲ୍ଲା କୁଦୁମୁଲୁଗୁମା ବ୍ଲକ୍ର ଚିତ୍ରକୋଣ୍ଡା, ମାଥିଲି ବ୍ଲକ୍ର ମାଥିଲି, ନୂଆପଡ଼ା ଜିଲ୍ଲା ଖରିଆର ଓ ଗଞ୍ଜାମ ଜିଲ୍ଲା ଆସ୍କା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଖଣ୍ଡ ଚିକିତ୍ସାଳୟସ୍ତରୀୟ ଚିକିତ୍ସା ସୁବିଧା ଲୋକଙ୍କୁ ଉପଲବ୍ଧ ହେବ। ସେହିପରି କୋରାପୁଟ ଜିଲ୍ଲାର କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଦୃଷ୍ଟିରୁ ସେଠାରେ ଶଯ୍ୟାସଂଖ୍ୟା ୩୦କୁ ବୃଦ୍ଧି କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।