ରାଜ୍ୟରେ କୋଭିଡ-୧୯ ହସପିଟାଲ୍ ଓ ଆଇସୋଲେସନ୍ ସେଣ୍ଟର ସଂଖ୍ୟା ୩୪କୁ ବଢିବ : ବାଗଚୀ

ଭୁବନେଶ୍ୱର : ରାଜ୍ୟର କରୋନା ସଂକ୍ରମିତ ରୋଗୀମାନେ କେବଳ ସ୍ୱତନ୍ତ୍ର କୋଭିଡ୍୧୯ ହସପିଟାଲରେ ଚିକିତ୍ସିତ ହୋଇପାରିବେ । ସାଧାରଣ ହସପିଟାଲ ଓ ଘରୋଇ ହସପିଟାଲଗୁଡ଼ିକ ସେମାନଙ୍କ ଚିକିତ୍ସା କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ  ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଏବେ ୭ଟି ସ୍ୱତନ୍ତ୍ର କୋଭିଡ-୧୯ ହସପିଟାଲ ଓ ଆଇସୋଲେସନ ସେଣ୍ଟର ଥିବାବେଳେ ଏହାକୁ ୩୪କୁ ବଢାଇବାକୁ ଲକ୍ଷ୍ୟରଖାଯାଇଛି । ଏଗୁଡ଼ିକରେ ମୋଟ ୫୬୯୭ ରୋଗୀ ରହି ଚିକିତ୍ସିତ ହୋଇପାରିବେ ।

କରୋନା ରୋଗୀ ଥିବା ଭୟରେ ରାଜଧାନୀର କ୍ୟାପିଟାଲ ହସପିଟାଲ ଓ କଟକର ଏସସିବି ମେଡିକାଲ କଲେଜକୁ ଅନେକ ସାଧାରଣ ରୋଗୀ ଆସିବାକୁ ଭୟ କରୁଛନ୍ତି । ତେବେ ଏହି ଦୁଇଟି ହସପିଟାଲରେ କୌଣସି କରୋନା ରୋଗୀ ନାହାନ୍ତି, ଏଣୁ ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ରାଜ୍ୟରେ ଏବେ ଥିବା ୭ଟି ସ୍ୱତନ୍ତ୍ର କୋଭିଡ୧୯ ହସପିଟାଲ ହେଲା ଭୁବନେଶ୍ୱରର କିମ୍ସ ହସପିଟାଲ ଓ ସମ ହସପିଟାଲ, କଟକର ଅଶ୍ୱିନୀ ହସପିଟାଲ, ଯାଜପୁରର ଟାଟା ହସପିଟାଲ, କେନ୍ଦୁଝରର ଟାଟା ହସପିଟାଲ,ପୁରୀର ଆଇଡିଏଚ ଓ ରାଉରକେଲାର ହାଇ-ଟେକ ମେଡିକାଲ କଲେଜ ହସ୍ପିଟାଲ୍ । ମିଳିତଭାବେ ଏସବୁ ସ୍ୱତନ୍ତ୍ର କୋଭିଡ୍୧୯ ହସପିଟାଲ ଗୁଡ଼ିକରେ ୧୪୯୭ଟି ଶଯ୍ୟା ଅଛି ।

ଗତକାଲି ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର କୋଭିଡ-୧୯ ହସପିଟାଲ ସୋଆ କ୍ୟାମ୍ପସ-୨ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ହସପିଟାଲରେ ୫୦୦ଟି ଶଯ୍ୟା ଓ ୨୦ଟି ଆଇସିୟୁ ରହିଛି । ଏମସିଏଲ ସହଯୋଗିତାରେ ଏହା ନିର୍ମାଣ କରାଯାଇଛି ।

ସମ୍ବନ୍ଧିତ ଖବର