ନିର୍ବାଚନ ମୁଡ୍‌ରେ ଓଡ଼ିଶା : କେନ୍ଦ୍ରର ତତ୍ପରତା ଦେଖି ରାଜ୍ୟର ପ୍ରସ୍ତୁତି

୪୦ ଅଫିସର, ୫ ଆଇପିଏସ୍‌ଙ୍କ ନାମ ମାଗିଲେ କମିସନ, ଆରମ୍ଭ ହେଲାଣି ନୂଆ ଘୋଷଣା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ଆଇପିଏସ୍‌ ବଦଳିଲେ, ଜିଲ୍ଲାପାଳ, ସଚିବ ବି ବଦଳିବେ

ଭୁବନେଶ୍ୱର : ବିମୁଦ୍ରାକରଣ ଭଳି ସାଧାରଣ ନିର୍ବାଚନ କ୍ଷେତ୍ରରେ କେନ୍ଦ୍ର ସରକାର ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ପଦକ୍ଷେପ ନେଇପାରନ୍ତି। ଭାରତର ନିର୍ବାଚନ କମିସନଙ୍କ ପ୍ରସ୍ତୁତି ଏଭଳି ସଙ୍କେତ ଦେଉଛି। ଯେହେତୁ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ, ଏଣୁ ରାଜ୍ୟ ସରକାର ଫୁଲଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଗୋଟିଏ ପଟେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଭଳି ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଘୋଷଣା ଆରମ୍ଭ ହୋଇଛି। ଅନ୍ୟପଟେ ଅଫିସର ବଦଳି, ଆଗୁଆ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଜି ଆଇପିଏସ୍‌ ସ୍ତରରେ ପ୍ରଥମ ପର୍ଯ୍ୟାୟ ଅଦଳବଦଳ ହୋଇଛି। ଖୁବ୍‌ଶୀଘ୍ର ଜିଲ୍ଲାପାଳ, ସଚିବ ସ୍ତରରେ ମଧ୍ୟ ଏକ ବଡ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ବିଜେପି ସପକ୍ଷରେ ଆଉଥରେ ଜନମତ ଯିବା ସମ୍ଭାବନା କ୍ଷୀଣ। ନିର୍ବାଚନ ବର୍ଷରେ ଏହି ତିନିଟି ରାଜ୍ୟର ଫଳାଫଳ ଯଦି ନିଜ ସପକ୍ଷରେ ନ ଯାଏ ତେବେ କ୍ଷମତାସୀନ ଦଳ ଭାବେ ବିଜେପିକୁ ଜବରଦସ୍ତ ଝଟ୍‌କା ଲାଗିପାରେ। ଧୀରେ ଧୀରେ ବିରୋଧୀ ଦଳମାନେ କେନ୍ଦ୍ରରେ ସରକାରୀ ବିରୋଧୀ ଆଭିମୁଖ୍ୟକୁ ଟିକିଏ ଶାଣିତ କରୁଛନ୍ତି। ଏଭଳି ପରିସ୍ଥିତିରେ ସାଧାରଣ ନିର୍ବାଚନ ନିର୍ଦିଷ୍ଟ ସମୟରେ ହେଲେ କେନ୍ଦ୍ରରେ ଶାସନାଧୀନ ଦଳକୁ କ୍ଷତି ପହଞ୍ଚିପାରେ। ଏଣୁ ଗୋଟିଏ ପଟେ କେନ୍ଦ୍ର ସରକାର ଏକାଠି ବିଧାନସଭା ଓ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଆଲୋଚନାର ବାଟ ଖୋଲିଥିବା ବେଳେ ଅନ୍ୟପଟେ ଆଗୁଆ ସାଧାରଣ ନିର୍ବାଚନ କରିବା ଲାଗି ମଧ୍ୟ ପଦକ୍ଷେପ ନେଲେଣି।

ଭାରତର ନିର୍ବାଚନ କମିସନଙ୍କ ପ୍ରସ୍ତୁତି ଏହି ସମ୍ଭାବନାକୁ ଆହୁରି ବଢାଇ ଦେଇଛି। କାରଣ ଓଡ଼ିଶା ଲାଗି ଏବେଠାରୁ ଭୋଟିଂ ମେସିନ୍‌ ଆସିଗଲାଣି। ଅତିରିକ୍ତ ନିର୍ବାଚନ କମିସନ ପଦବି ଆଦି ପୂରଣ ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି। କେବଳ ସେତିକି ନୁହେଁ, ଭାରତର ନିର୍ବାଚନ କମିସନ ଆସନ୍ତା ନିର୍ବାଚନ ପରିଚାଳନା ପାଇଁ ଅଫିସରଙ୍କ ତାଲିକା ମାଗିସାରିଲେଣି। ନିର୍ବାଚନ ଅଭିଜ୍ଞତା ଥିବା ପ୍ରାୟ ୪୦ ଜଣ ଆଇଏଏସ୍‌ ଓ ୫ ଆଇପିଏସ୍‌ ଅଫିସରଙ୍କ ନାମ ତାଲିକା ପଠାଇବା ଲାଗି ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ୨୭ ଆଇଏଏସ୍‌ଙ୍କ ନାମ ପଠାଇଛି। ହେଲେ କମିସନ ବଳକା ନାମ ତାଲିକା ମାଗିବା ପରେ ଏହି ତାଲିକା ରାଜ୍ୟ ସରକାର ପଠାଇ ସାରିଥିବା ସୂଚନା ମିଳୁଛି।

ଏସବୁ ପ୍ରସ୍ତୁତି ଆଗୁଆ ନିର୍ବାଚନ ପାଇଁ ସଙ୍କେତ ବୋଲି ବିଚାର କରି ରାଜ୍ୟ ସରକାର ମଧ୍ୟ କସରତ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍‌ ବିଭିନ୍ନ ଜିଲ୍ଲା ଗସ୍ତ ଆରମ୍ଭ କରିଦେଇଛନ୍ତି। ଇତିମଧ୍ୟରେ ସେ ସୋନପୁର, ବୌଦ୍ଧ, ସୁନ୍ଦରଗଡ ଓ ମାଲକାନଗିରି ଜିଲ୍ଲା ଯାଇ ଫେରିଲେଣି। ଏଥିସହିତ ସଚିବାଳୟରେ ନୀତିପ୍ରତି ନୂଆ ନୂଆ କାର୍ଯ୍ୟକ୍ରମ ଘୋଷଣା କରାଯାଉଛି।

ଯେହେତୁ ନୂଆ କାର୍ଯ୍ୟକ୍ରମ ପାଇଁ ବଜେଟ୍‌ରେ ଅର୍ଥ ବରାଦ ନାହିଁ, ଏଣୁ ରାଜ୍ୟ ସରକାର ସେ ଦିଗରେ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପ୍ରତିଥର ଅଗଷ୍ଟ ମାସରେ ବିଧାନସଭାର ମୌସୁମୀ ଅଧିବେଶନ ବସିଥାଏ ଓ ଶୀତ ଅଧିବେଶନରେ ସରକାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆସନ୍ତା ସେପ୍‌ଟେମ୍ବର ମାସରେ ମୌସୁମୀ ଅଧିବେଶନ ଡାକି ସେଥିରେ ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବା ଲାଗି ସ୍ଥିର କରିଛନ୍ତି। ଅର୍ଥ ବିଭାଗ ଏବେଠାରୁ ଏ ସଂକ୍ରାନ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି ଓ ପ୍ରସ୍ତାବ ପଠାଇବା ଲାଗି ବିଭିନ୍ନ ବିଭାଗକୁ ଚିଠି ଲେଖାସରିଲାଣି।

ସବୁଠାରୁ ବଡ କଥା ହେଉଛି, ଆଗୁଆ ନିର୍ବାଚନକୁ ଲକ୍ଷ୍ୟ ରଖି ସରକାର ଅଫିସରସ୍ତରରେ ମଧ୍ୟ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନ ପୂର୍ବରୁ ମୁଖ୍ୟ ସଚିବ ଓ ଡିଜି ବଦଳି ହେବାର ଆଶା କ୍ଷୀଣ। ଉଭୟଙ୍କୁ ନେଇ ସରକାର ଆସନ୍ତା ନିର୍ବାଚନ ପରିଚାଳନା କରିବାକୁ ବର୍ତମାନ ଯାଏ ମନସ୍ଥିର କରି ରହିଛନ୍ତି। ହେଲେ ଅକ୍ଟୋବର ମାସରେ ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ ଅବସର ନେଉଥିବାରୁ ସରକାର ଏ ସ୍ଥାନରେ ବର୍ତମାନର ଗୃହ ସଚିବ ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାର ଅଫିସର ଅସିତ କୁମାର ତ୍ରିପାଠୀ ଓ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ଵରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାର ଅଫିସର ସୁରେଶ କୁମାର ମହାପାତ୍ରଙ୍କ ମଧ୍ୟରୁ ଜଣକୁ ନିଯୁକ୍ତି ଦେବା ଲାଗି ବିଚାର କରୁଛନ୍ତି। ଏମାନଙ୍କ ବ୍ୟତୀତ କୃଷି ଉତ୍ପାଦନ କମିସନର ଗଗନ ବିହାରୀ ଧଳଙ୍କ ନାମ ମଧ୍ୟ ବିଚାରରେ ଅଛି।

ସେହିଭଳି ଖୁବ୍‌ଶୀଘ୍ର ପୁରୀ, ଯାଜପୁର, ଅନୁଗୁଳ, କଟକ, ଖୋର୍ଧା, ସୋନପୁର ଭଳି ଜିଲ୍ଲାର ଜିଲ୍ଲାପାଳ ବଦଳିବା ସମ୍ଭାବନା ସୃଷ୍ଟି ହୋଇଛି। ଯେଉଁ ଜିଲ୍ଲାପାଳମାନଙ୍କର ଗୋଟିଏ ଗୋଟିଏ ଜିଲ୍ଲାରେ ତିନି ବର୍ଷ ହୋଇଗଲାଣି, ସେମାନଙ୍କୁ ପରିବର୍ତନ କରାଯିବ। କେନ୍ଦ୍ରାଞ୍ଚଳ ଆର୍‌ଡିସି ଦାୟିତ୍ଵ ଅତିରିକ୍ତ ଭାବେ ମହେନ୍ଦ୍ର ମଲ୍ଲିକ ତୁଲାଉଛନ୍ତି। ଏଠାରେ ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ସରକାରୀ ସ୍ତରରେ ବିଚାର ଚାଲିଛି। ଏହାବ୍ୟତୀତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ଅଫିସର ନିଯୁକ୍ତି ଦେବାକୁ ସରକାର ଚିନ୍ତା କରୁଛନ୍ତି।

ଅନ୍ୟପଟେ ସଚିବସ୍ତରରେ ମଧ୍ୟ ବଡ ପରିବର୍ତନ କରିବା ଲାଗି ବିଚାର ଆଲୋଚନା ଚାଲିଛି। ଯେଉଁ ଅଧିକାରୀମାନେ ଦୀର୍ଘ ବର୍ଷ ଧରି ଗୋଟିଏ ଗୋଟିଏ ବିଭାଗରେ ରହିଛନ୍ତି, ସେମାନଙ୍କୁ ବଦଳି କରାଯିବ। କେବଳ ସେତିକି ନୁହେଁ, ଏହି କ୍ରମରେ କିଛି ବିବାଦୀୟ ଅଧିିକାରୀଙ୍କ ବିଭାଗ ପରିବର୍ତ୍ତନ ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ସଂପୃକ୍ତ ସଚିବମାନଙ୍କ ବିରୋଧରେ ସରକାରଙ୍କ ପାଖରେ ଅନେକ ଅଭିଯୋଗ ରହିଛି। ପ୍ରକାଶଥାଉକି, ନିକଟରେ ତିନି ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କର ବଦଳି ହୋଇଛି। ଏବେ ଆଉ ୮ରୁ ୧୦ ବରିଷ୍ଠ ଅଧିକାରୀଙ୍କ ବିଭାଗ ବଦଳିପାରନ୍ତି।

ଏହି ପ୍ରକ୍ରିୟା ଶେଷ ହେବା ପରେ ସରକାର ଶେଷ ଚାଲ୍‌ ଖେଳିପାରନ୍ତି। ଏଥିରେ ଚାଷୀଙ୍କୁ ଋଣ ଛାଡ଼ ଭଳି ପ୍ରସଙ୍ଗ ଆସିପାରେ।

ସମ୍ବନ୍ଧିତ ଖବର