ଟଙ୍କାଏରେ ମିଳିବ ୧ କିଲୋ ମାଣ୍ଡିଆ

ଜୁଲାଇରୁ ୭ଟି ଜିଲ୍ଲାରେ ଯୋଗାଣ ଆରମ୍ଭ, ଖରିଫରେ ୧ ଲକ୍ଷ କ୍ବିଣ୍ଟାଲ୍‌ କିଣାଯିବ

0

ଭୁବନେଶ୍ବର : ଏଣିକି ପ୍ରତି ରାସନ କାର୍ଡ ପିଛା ୧ ଟଙ୍କା ଦରରେ ୧ କିଲୋ ମାଣ୍ଡିଆ ଯୋଗାଇ ଦିଆଯିବ। କିନ୍ତୁ ମାଲକାନଗିରି ଜିଲ୍ଲାର ହିତାଧିକାରୀଙ୍କୁ ମିଳିବ ୨ କିଲୋ ମାଣ୍ଡିଆ। ଆସନ୍ତା ଜୁଲାଇ ମାସରୁ ୭ଟି ଜିଲ୍ଲାରେ ମାଣ୍ଡିଆ ଯୋଗାଣ ଆରମ୍ଭ ହେବ। ପରୀକ୍ଷାମୂଳକ ଭାବେ ଏହା ସଫଳତା ହାସଲ କଲେ ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଯୋଗାଣ ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ଆସନ୍ତା ଖରିଫ୍‌ ଋତୁରେ ୧ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ଏଭଳି ଅଭିନବ ପରିକଳ୍ପନାକୁ ରୂପରେଖ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କର ପୌଷ୍ଟିକ ଅଭିବୃଦ୍ଧି ସାଧନ କରିବା ହେଉଛି ଏହାର ଆଭିମୁଖ୍ୟ। ଆଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଲେଟ୍‌ ମିସନ୍‌ ବୈଠକରେ ଏଭଳି କାର୍ଯ୍ୟକ୍ରମର ପରୀକ୍ଷାମୂଳକ ପ୍ର‌େୟାଗ ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟର ଚାହିଦାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପଦକ୍ଷେପମାନ ସ୍ଥିର କରାଯାଇଥିଲା।

ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଦେଇଥିବା ସୂଚନାନୁସାରେ ଆସନ୍ତା ଜୁଲାଇ ମାସରେ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଓ ରାୟଗଡ଼ା ଭଳି ୭ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ। ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ମିଲେଟ୍‌ ମିସନ୍‌, ଟିଡିସିସି ଓ ଖାଦ୍ୟ ଯୋଗାଣ ବିଭାଗ କର୍ମକର୍ତାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସହରାଞ୍ଚଳରେ ବିଭିନ୍ନ ପାଉଁରୁଟି ଓ ବିସ୍କୁଟ ତିଆରି କମ୍ପାନି, ମିଠା ଯୋଗାଣକାରୀ ଓ ରିଟେଲର ‌ବ୍ୟବସାୟୀ ସଂସ୍ଥାମାନଙ୍କ ସହ ମିଳିତ ଭାବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟର ଚାହିଦା ବଢ଼ାଇବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୭୫୦୦ କ୍ୱିଣ୍ଟାଲ ମାଣ୍ଡିଆ ବଣ୍ଟନ କରାଯିବ। ଆଗାମୀ ଖରିଫ୍‌ ଋତୁରେ ମାଣ୍ଡିଆ ଚାଷୀମାନଙ୍କଠାରୁ କ୍ବିଣ୍ଟାଲ୍‌ ପିଛା ୨୮୯୭ ଟଙ୍କାର ସହାୟକ ମୂଲ୍ୟରେ ପ୍ରାୟ ୧ ଲକ୍ଷ କ୍ୱିଣ୍ଟାଲ୍‌ ମାଣ୍ଡିଆ କିଣିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରଦାନ ଏବଂ ଚାଷୀଙ୍କୁ ଶୋଷଣ ବିରୋଧରେ ସଶକ୍ତ କରିବା ହେଉଛି ମାଣ୍ଡିଆ କ୍ରୟର ଅସଲ ଲକ୍ଷ୍ୟ ବୋଲି ମୁଖ୍ୟ ସଚିବ କହିଥିଲେ। ଏ ନେଇ ବଜାରରେ ମାଣ୍ଡିଆ କାରବାରରେ ଅସାଧୁ ବ୍ୟବସାୟୀ ଓ ମଧ୍ୟସ୍ଥ ଶୋଷଣକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। କୃଷି ନିର୍ଦ୍ଦେଶକ ଡ. ମୁଥୁ କୁମାର ସୂଚେଇଥିଲେ ଯେ ୨୦୧୮ ଖରିଫ ଋତୁରେ ମାଣ୍ଡିଆ ଉତ୍ପାଦନକାରୀ ୨୪,୪୯୯ଜଣ କୃଷକଙ୍କର ପଞ୍ଜୀକରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୬୨୨ ଜଣ କୃଷକ ସେମାନଙ୍କର ବଳକା ଉତ୍ପାଦନ ଟିଡିସିସିଙ୍କୁ ବିକ୍ରି କରିଥିଲେ। ୮ଟି ଜିଲ୍ଲାର ୬୮ଟି ସମବାୟ ସମିତି ମାଧ୍ୟମରେ ୧୭୯୮୬ କ୍ୱିଣ୍ଟାଲ୍‌ ମାଣ୍ଡିଆ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର