ଭୁବନେଶ୍ବର: ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ଓ ପରେ ଭାରତ ପକ୍ଷରୁ ଅପରେସନ୍ ‘ସିନ୍ଦୂର’ ପରେ ଭାରତ-ପାକିସ୍ତାନ ଯୁଦ୍ଧ ଭୟ ବଢ଼ିଛି। ଲଗାତାର ଭାବେ ସୀମାରେ ଗୁଳି ବିନିୟମ ଜାରି ରହିଛି। ଯୁଦ୍ଧ ଭୟ ଭିତରେ କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ପତ୍ର ଲେଖି ବେସାମରିକ ପ୍ରତିରକ୍ଷା (ସିଭିଲ୍ ଡିଫେନ୍ସ) ନିୟମ-୧୯୬୮ ଲାଗୁ କରିଛନ୍ତି। ଏଥିରେ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ଜରୁରି କ୍ଷମତାକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ରାଜ୍ୟରେ ମଧ୍ୟ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୧୦୦ଟି ନୂଆ ସାଇରନ୍ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଖୁବ୍ଶୀଘ୍ର ଏହି ସାଇରନ୍ ଜିଲ୍ଲାମାନଙ୍କୁ ବଣ୍ଟାଯିବ। ଏହାସହ ଭୁବନେଶ୍ବରର ବରମୁଣ୍ଡାସ୍ଥିତ ସିଭିଲ୍ ଡିଫେନ୍ସ ମୁଖ୍ୟାଳୟରେ ଏକ ହଟ୍ଲାଇନ୍ ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇସାରିଥିବା ସୂଚନା ମିଳିଛି।
ଅଧିକ ସଂଖ୍ୟାରେ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବା ଲାଗି ଉଦ୍ୟମ
ସିଭିଲ୍ ଡିଫେନ୍ସର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୧୨ଟି ସ୍ଥାନରେ ସାଇରନ୍ ବ୍ୟବସ୍ଥା ରହିଛି। ତେବେ ଏସବୁ ବହୁ ପୁରୁଣା ହୋଇଥିବା କାରଣରୁ ମକ୍ଡ୍ରିଲ୍ ସମୟରେ ଲୋକମାନେ ଏହାକୁ ଠିକ୍ରେ ଶୁଣିପାରି ନ ଥିଳେ। ମାତ୍ର ନୂଆ ସାଇରନ୍ ଅତି କମ୍ରେ ୪ କି.ମି. ପର୍ଯ୍ୟନ୍ତ ଶୁଣିବାକୁ ମିଳିବ। ଏହା ସହ ଆହୁରି ୯ଟି ଜିଲ୍ଲାରେ ସ୍ଥାୟୀ ଭାବେ ଏହି ସାଇରନ୍ ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ରହିଛି। ସେହିପରି ରାଜ୍ୟର ସିଭିଲ୍ ଡିଫେନ୍ସ ମୁଖ୍ୟାଳୟରେ ହଟ୍ଲାଇନ୍ ବ୍ୟବସ୍ଥା ଆରମ୍ଭ ହେବା ପରେ ପଶ୍ଚିମବଙ୍ଗର ସୁଲିଆସ୍ଥିତ ଏୟାରଫୋର୍ସ ଷ୍ଟେସନ୍ ସହ ଯୋଗାଯୋଗ କରାଯିବ। ସେଠାରୁ ପ୍ରତି ଅଧ ଘଣ୍ଟାରେ ଥରେ ବିଭିନ୍ନ ସୂଚନା ଦିଆଯାଇଥାଏ। ଏହି ସୂଚନାକୁ ଆଧାର କରି ଜିଲ୍ଲାମାନଙ୍କୁ ଜଣାଇ ଦିଆଯିବ। କେନ୍ଦ୍ର ସରକାର ସିଭିଲ ଡିଫେନ୍ସ ଜରୁରିକାଳୀନ ନିୟମ ଲାଗୁ କରିବା ପରେ ଏହା ଅଧୀନରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଗୋଟିଏ ଛାତ ତଳେ କାମ କରିବେ ବୋଲି ସେ କହିଛନ୍ତି।
ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଅଧିକ ସଂଖ୍ୟାରେ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବା ଲାଗି ଉଦ୍ୟମ କରାଯାଉଛି। ସ୍ବେଚ୍ଛାସେବୀ ନିୟୋଜିତ ହେବା ପରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ସିଭିଲ୍ ଡିଫେନ୍ସର ନିୟନ୍ତ୍ରକ। ତେଣୁ ଜିଲ୍ଲାର ଆବଶ୍ୟକତା ଅନୁସାରେ ଜିଲ୍ଲାପାଳମାନେ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବେ। କେନ୍ଦ୍ର ସରକାର ବେସାମରିକ ପ୍ରତିରକ୍ଷା ନିୟମ-୧୯୬୮ରେ ଜରୁରି କ୍ଷମତା କାର୍ଯ୍ୟକାରୀ ସଂପର୍କିତ ପତ୍ର ରାଜ୍ୟ ସରକାର ଜାରି କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
ଉଲ୍ଲେଖ ଯେ ଗତକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଜନ ଗହଳିପୂର୍ଣ୍ଣ ଶିଳ୍ପାଞ୍ଚଳ ଓ ସହରରେ ଅଧିକ ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ ମୁତୟନ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସମେତ ଜାତୀୟ ସେବା ସଂସ୍ଥା(ଏନ୍ଏସ୍ଏସ୍), ସମର ଶିକ୍ଷାର୍ଥୀ ବାହିନୀ, ନେହରୁ ଯୁବ କେନ୍ଦ୍ର, ସେଣ୍ଟ ଜୋନ୍ ଆମ୍ବୁଲାନ୍ସ ଭଳି ସଂସ୍ଥା ସହ ବୈଠକ କରି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସମନ୍ବୟକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।