ଭୁବନେଶ୍ବର: ଓଡ଼ିଶାରେ ମିସନ ୯୦ ସଫଳ ହେବ। ତେଲେଙ୍ଗାନା ପରି ଓଡ଼ିଶାରେ କଂଗ୍ରେସ ୩ ନମ୍ବରରୁ ଉଠି ୧ ନମ୍ବର ହେବ। ରାଜ୍ୟବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ଏଥିରେ ସଫଳ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ତେଲେଙ୍ଗାନାରେ ଆଞ୍ଚଳିକ ଦଳକୁ ମାତ୍ ଦେଇ କଂଗ୍ରେସ ସରକାର ଗଢ଼ିବାକୁ ସକ୍ଷମ ହୋଇଛି। ରେୱନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି। ତେଣୁ ସମାନ ଢଙ୍ଗରେ ଓଡ଼ିଶାରେ ବିଜେଡିକୁ ମାତ୍ ଦେବାକୁ ଯୋଜନା କରୁଛି ରାଜ୍ୟ କଂଗ୍ରେସ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତିରେ କଂଗ୍ରେସ ସରକାର ଗଢ଼ିବ। ତେଲେଙ୍ଗାନାର ରେୱନ୍ତ ରେଡ୍ଡୀ ହେବି କି ନାହିଁ ଜାଣିନି, ହେଲେ ଦଳର ଶୀର୍ଷ ନେତୃତ୍ବ କଂଗ୍ରେସକୁ ଏକ ନମ୍ବର କରିବାକୁ ଯେଉଁ ଦାୟିତ୍ବ ଦେଇଛନ୍ତି ସେ ଦିଗରେ କାମ କରୁଛି। ଆଗକୁ ମଧ୍ୟ କାମ ଜାରି ରହିବ। ତେଲେଙ୍ଗାନା ପଡ଼ୋଶୀ ରାଜ୍ୟ ହୋଇଥିବାରୁ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ବିଜୟର ପ୍ରଭାବ ପଡ଼ିବ। ୨୦୨୪ ନିର୍ବାଚନରେ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ବ ଦିଆଯିବ। ଯାହାର ଜିତିବା କ୍ଷମତା ଅଧିକ ଥିବ ସେମାନଙ୍କୁ ଦଳ ଟିକେଟ୍ ଦେବ ବୋଲି ସେ କହିଛନ୍ତି।
ଅପରପକ୍ଷରେ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ଦଳ ଜାତି, ଧର୍ମର କାର୍ଡ ଖେଳେନାହିଁ। କଂଗ୍ରେସ ଏକ ଧର୍ମନିରପେକ୍ଷ ଦଳ। ସବୁ ଜାତି, ଧର୍ମ ଓ ସମସ୍ତଙ୍କୁ ନେଇ ଦଳ ଆଗକୁ ବଢ଼ିଥାଏ। ସ୍ବାଧୀନତା ସମୟରେ ସବୁ ଧର୍ମର ଲୋକ ଏକାଠି ହୋଇଥିଲେ। ଦେଶରେ କଂଗ୍ରେସ ନେତା ଯଦି ଏକତ୍ରିତ ହେବେ ତାହାଲେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବ। ମୁଖ୍ୟମନ୍ତ୍ରୀ ପାଇଁ ବିଭିନ୍ନ ସ୍ଥାନରେ ଯେଉଁଭଳି ଭାବେ ପରସ୍ପର ଭିତରେ ବିବାଦ ରହିଛି ଦଳକୁ ତଳିତଳାନ୍ତ କରିଥିବା ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ରାଜ୍ୟରେ ନବୀନ ବାବୁ ୨୫ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି। ବିଭିନ୍ନ ଲୋକଙ୍କ ନାଁରେ ସରକାର ଚାଲିଛି। ବିଜେଡି-ବିଜେପି ଗୋଟିଏ ଦଳ ବୋଲି ଲୋକମାନେ ଜାଣି ସାରିଲେଣି। ସବୁକିଛି ଠିକ୍ ଚାଲିଲେ ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ୨୫-୩୦ ସିଟ୍ରେ ବିଜୟୀ ହୋଇପାରିବ। ଦକ୍ଷିଣ ଓଡ଼ିଶାର ନେତୃତ୍ବ ନେବାକୁ ପ୍ରସ୍ତୁତ। ନୂଆ ମୁହଁକୁ ଟିକେଟ୍ ଦିଆଯିବା ଦରକାର ବୋଲି ଶ୍ରୀ ବାହିନୀପତି କହିଛନ୍ତି। ଉଲ୍ଲେଖ ଯେ ବିଜେପିର ହିନ୍ଦୁତ୍ବ ଛବିକୁ କାଉଣ୍ଟର କରିବା ପାଇଁ ବିଜେଡି ପକ୍ଷରୁ ଚାଲିଥିବା ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ରାଜ୍ୟରେ ଆଉ କିଛିଦିନ ଭିତରେ ଶେଷ ହୋଇଯିବ। ଏହା ରାଜ୍ୟରେ ବିଜେଡିକୁ ଫାଇଦା ଦେଇପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟ କଂଗ୍ରେସ ମଧ୍ୟ ପଛରେ ନ ରଖି ସଂକୀର୍ତ୍ତନ ସମାବେଶଠାରୁ ଆରମ୍ଭ କରି ତୁଳସୀ ଯାତ୍ରା କରିଥିଲା।