ଭୁବନେଶ୍ୱର : ରାଜ୍ୟରେ ପ୍ରତିବର୍ଷ ବଜ୍ରପାତ ଯୋଗୁଁ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟୁଛି। ବହୁସଂଖ୍ୟାରେ ଗୃହପାଳିତ ପଶୁ ମୃତ୍ୟୁମୁଖରେ ପଡ଼ୁଛନ୍ତିି। ଗତ ତିନିଦିନରେ ୧୮ଜଣଙ୍କର ଜୀବନ ଯାଇଛି। ବଜ୍ରପାତ ଜନିତ ମୃତ୍ୟୁ ସବୁ ମହଲରେ ଉଦ୍ବେଗ ଖେଳାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଳମ୍ବରେ ହେଉ ପଛେ ଆଗାମୀ ଦିନରେ ଆର୍ଥ ନେଟ୍ଓ୍ଵାର୍କସ୍ ସହିତ ବୁଝାମଣାପତ୍ର(ଏମ୍ଓୟୁ) ସ୍ୱାକ୍ଷର କରିବାକୁ ଯାଉଛନ୍ତି।
ଆଜି ଏ ନେଇ ସୂଚନା ଦେଇଛନ୍ତିି ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଆଗୁଆ ସୂଚନା ପାଇବା ପାଇଁ ୩୦ଟି ଯାକ ଜିଲ୍ଲାରେ ଲାଇଟ୍ନିଂ ସେନ୍ସର ସ୍ଥାପନ କରାଯିବ। ଫଳରେ ବଜ୍ରପାତ ସଂପର୍କରେ ଆଗୁଆ ସୂଚନା ମୋବାଇଲ୍ରେ ମେସେଜ୍, ବିଭିନ୍ନ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇପାରିବ। ଫଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସମୟ ମିଳିବ। କେବଳ ସେତିକି ନୁହେଁ, ଅଟ୍ଟାଳିକା, ମନ୍ଦିର, ବାତ୍ୟାଶ୍ରୟସ୍ଥଳୀରେ ଲାଇଟ୍ନିଂ ଆରେଷ୍ଟର ଲଗାଇବାକୁ ଯୋଜନା କରାଯାଉଛି। ଏ ନେଇ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଥିଲେ। ଆର୍ଥ ନେଟ୍ଓ୍ଵାର୍କସ କମ୍ପାନି ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଆଦି ରାଜ୍ୟରେ ସୁଚାରୁ ରୂପେ କାର୍ଯ୍ୟ କରୁଛି। ଏହି ସଂସ୍ଥାକୁ ନିୟୋଜିତ କରାଯିବା ଦ୍ୱାରା ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ। ଏହି କମ୍ପାନି ରାଜ୍ୟର ବିଭିନ୍ନ ସମ୍ବେଦଳଶୀଳ ସ୍ଥାନରେ ଲାଇଟ୍ନିଂ ସେନ୍ସର ସ୍ଥାପନ କରିବ।