ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ : ଆରମ୍ଭ ହେବ ଝଞ୍ଜାବତୀ ବ୍ୟାରେଜ୍ ନିର୍ମାଣ

୨୦ ବର୍ଷ ପରେ ମାଟି ପରୀକ୍ଷା, ବ୍ୟୟ ଅଟକଳ ୧୦୬ କୋଟି

ଜୟପୁର : ପାଣି ପାଇଁ ଏକତରଫା ନିଷ୍ପତ୍ତି ନେଇ ବାରମ୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଥିବା ଆନ୍ଧ୍ର ସରକାରଙ୍କୁ ଲାଗିବ ଝଟ୍‌କା। ଆନ୍ଧ୍ରକୁ ଅନବରତ ବୋହି ଯାଉଥିବା ଝଞ୍ଜାବାତୀ ପାଣିକୁ ଅଟକାଇବେ ଓଡ଼ିଶା ସରକାର। ଏଥିପାଇଁ ଆରମ୍ଭ ହୋଇ ସାରିଲାଣି ପ୍ରସ୍ତୁତି। ୨୦ବର୍ଷର ପରେ ଚଳିତ ବର୍ଷ ଡିସେମ୍ବର ମାସରୁ ନିର୍ମାଣ ହେବ ଏହି ବହୁ ପ୍ରତୀକ୍ଷିତ ନଦୀବନ୍ଧ ଯୋଜନା। କେବଳ ପ୍ରଶାସନିକ ଅନୁମତିକୁ ଅପେକ୍ଷା ରହିଛି। ବ୍ୟୟ ବରାଦ ଏବଂ ଅନ୍ୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପୋଲାଭରମ ହେଉ କିମ୍ବା ବଂଶଧାରା ଜଳ ପ୍ରକଳ୍ପ। ଓଡ଼ିଶା ସରକାର ସରକାର ବାରମ୍ବାର ବିରୋଧ ସତ୍ତ୍ବେ ଶୁଣୁନଥିଲେ ଆନ୍ଧ୍ର ସରକାର। ଉଭୟ ପ୍ରକଳ୍ପ ବର୍ତମାନ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ଓଡ଼ିଶା ସରକାର ଖେଳିଛନ୍ତି ମାଷ୍ଟର‌‌ଷ୍ଟ୍ରୋକ୍। ଜଳସଂପଦ ବିଭାଗ ପକ୍ଷରୁ ଆନ୍ଧ୍ରକୁ ବିନା ବ୍ୟବହାରରେ ଚାଲି ଯାଉଥିବା ଝଞ୍ଜାବତୀ ନଦୀ ପାଣିକୁ ଅଟକାଇ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି। ମାଓ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁର ବ୍ଲକକୁ ଫୋକସ୍‌ରେ ରଖି ନିର୍ମାଣ ହେବାକୁ ଯାଉଛି ବିରାଟ ବ୍ୟାରେଜ୍। ପ୍ରାୟ ୧୦୬କୋଟି ଟଙ୍କା ବ୍ୟୟ ବରାଦରେ ଏହି ବ୍ୟାରେଜ ନିର୍ମାଣ ହେବାକୁ ଯାଉଛି। ଯାହା ଫଳରେ ଝଞ୍ଜାବତୀ ନଦୀ ପାଣିକୁ ବ୍ୟବହାର ପାଇଁ ଆନ୍ଧ୍ର ସରକାର ନିଜ ଅଞ୍ଚଳରେ କରିଥିବା ମେଗା ରବର ଡ୍ୟାମ୍ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ବର୍ତମାନ ସଂଶୟ ସୃଷ୍ଟି ହୋଇଛି। ଏଥିପାଇଁ ଓଡ଼ିଶା ସରକାର ଏହି ଅଞ୍ଚଳରେ ମାଟି ପରୀକ୍ଷା କରାଉଛନ୍ତି। ଜୁଲାଇ ମାସ ଶେଷ ସୁଦ୍ଧା ସରକାରଙ୍କୁ ମାଟି ପରୀକ୍ଷଣ ରିପୋର୍ଟ ଦିଆଯିବ। ଏହାପରେ ସରକାର ଯାଞ୍ଚ ରିପୋର୍ଟକୁ ଆଧାର କରି ପ୍ରଶାସନିକ ମଞ୍ଜୁରୀ ଦେବା ପାଇଁ ଯୋଜନା ଆରମ୍ଭ ହୋଇଥିବା ଜଣାପଡିଛି। ବ୍ୟାରେଜ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ ହୋଇ ସଚିବାଳୟରେ ଫାଇଲ ରହିଛି।

ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ନାରାୟଣପାଟଣା ବ୍ଲକର ଚିନ୍ତାଗୁଡା ଗାଁ ନିକଟରେ ୧୬୦ ମିଟର ଲମ୍ବା ବ୍ୟାରେଜ ଆରମ୍ଭ ହେବାକୁ ଯାଉଛି। ଏହି ବ୍ୟାରେଜରେ ୧୦ମିଟର ଲମ୍ବା ଓ ୬ମିଟର ଓସାର ବିଶିଷ୍ଟ ୧୨ଟି ଗେଟ୍ ଲାଗିବ। ମୋଟ ୨୫୪୬ ହେକ୍ଟର ଜମି ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଖରିଫ ଋତୁରେ ୧୯୦୯.୭୬ ହେକ୍ଟର ଜମି ଜଳସେଚିତ ହୋଇପାରିବ। ପ୍ରସ୍ତାବିତ ଏହି ପ୍ରକଳ୍ପରେ ୨୭୧ମିଟର ମାଟି ବନ୍ଧ ଏବଂ ମୋଟ ଜଳଧାରଣ କ୍ଷମତା ୨୭୦ ମିଟର ରହିବ। ୩୯୩ ବର୍ଗ କିଲୋମିଟର ଦୂରରୁ ୪୨୪୦ କ୍ୟୁସେକ ଜଳ ଆସିବ। ନାରାୟଣପାଟଣା ବ୍ଲକର ୯ଟି ପଞ୍ଚାୟତର ୧୨୭ଟି ଗାଁ ଓ ଲକ୍ଷ୍ମୀପୁର ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବ। କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠୀ କହିଛନ୍ତି ଯେ, ବ୍ୟାରେଜ ନିର୍ମାଣ ପାଇଁ ୨୦ବର୍ଷ ତଳେ ପରିକଳ୍ପନା କରାଯାଇଥିଲା। ପ୍ରଥମେ ରାୟଗଡା ଜିଲ୍ଲା ପ୍ରଶାସନ ଏଠାରେ ବ୍ୟାରେଜ କରିବାକୁ ପ୍ରସ୍ତାବ ଦେଇଥିଲା। ଯାହାକୁ ୨୦୧୪ରେ କୋରାପୁଟ ଜିଲ୍ଲା ପ୍ରଶାସନ ହାତକୁ ନେଇ ପଦକ୍ଷେପ ଗ୍ରହଣ କରିଛି। ୨୦୧୭ରେ ସର୍ଭେ ପରେ ଗତ ଦୁଇ ମାସ ହେଲା ମାଟି ପରୀକ୍ଷା ଚାଲିଛି। ପ୍ରଶାସନିକ ଅନୁମତି ମିଳିବା ପରେ ଡିସେମ୍ବର ମାସ ଶେଷ ଆଡକୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର