ଭୁବନେଶ୍ବର : ନିଆଁ ଗିଳି ଚାଲିଛି ଓଡ଼ିଶାର ଜଙ୍ଗଲ। ଦ୍ବିତୀୟ ପର୍ଯ୍ୟାରେ ଲାଗିଥିବା ଏହି ନିଆଁ ଗୋଟିଏ ପରେ ଗୋଟିଏ ନୂଆ ବନଖଣ୍ଡକୁ ଗ୍ରାସ କରୁଛି। ଉପକୂଳ ଓଡ଼ିଶାର ଜଙ୍ଗଲଗୁଡ଼ିକୁ ଟିକିଏ ଆଶ୍ବସ୍ତି ମିଳିଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ଜଙ୍ଗଲ ନିଆଁ ହୁ’ ହୁ’ ହୋଇ ଜଳୁଛି। ସ୍ଥିତି ଏମିତି ହେଲାଣି ଯେ ଗତ ୭ ଦିନର ବନାଗ୍ନିରେ ତ୍ରିପୁରାକୁ ପଛରେ ପକାଇ ଓଡ଼ିଶା ପୁଣିଥରେ ଶୀର୍ଷ ସ୍ଥାନକୁ ଫେରିଛି। ଏପ୍ରିଲ ୭ରୁ ଆଜି ମଧ୍ୟରେ ଓଡ଼ିଶାରେ ୩୭୭୦ ଚିହ୍ନଟ କରାଯାଇଛି। ଜଙ୍ଗଲ ନିଆଁର ଭୟଙ୍କର ଚିତ୍ର ସାମ୍ନାକୁ ଆସୁଥିଲେ ମଧ୍ୟ ବନ ବିଭାଗର ଅଧିକାରୀଙ୍କ ପଦକ୍ଷେପ ଆଖିଦୃଶିଆ ହୋଇପାରୁ ନାହିଁ। ଅଧିକାଂଶ ବନଖଣ୍ଡରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ଯେଉଁଠି ବନ କର୍ମଚାରୀଙ୍କୁ ଅତ୍ୟାଧୁନିକ ସାମଗ୍ରୀ ଯୋଗାଇ ଦିଆଯାଇଛି, ସେମାନଙ୍କୁ ବ୍ୟବହାରର ତାଲିମ ଦିଆଯାଇ ନ ଥିବାରୁ ସମସ୍ୟା ହେଉଛି। ଏବେ ମଝିରେ ମଝିରେ କାଳବୈଶାଖୀ ପ୍ରଭାବ ରହୁଥିବାରୁ କର୍ମଚାରୀମାନେ ଜଙ୍ଗଲ ଭିତରକୁ ଯିବାକୁ ଭୟ କରୁଥିବା ନଜରକୁ ଆସିଛି। ତେଣୁ ବିଭାଗୀୟ ବାବୁମାନେ ସବୁ ଆଡ଼ୁ ବିଫଳ ହେବା ପରେ ବର୍ଷାକୁ ଭରସା କରି ବସି ପଡ଼ିଛନ୍ତି।
/sambad/media/post_attachments/wp-content/uploads/2023/03/forest-fire-n-750x430.jpg)
ଓଡ଼ିଶାର ୯୩୩ଟି ସ୍ଥାନରେ ଆଜି ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଅଧିକାଂଶ କୋରାପୁଟ, ବ୍ରହ୍ମପୁର ଓ ଭବାନୀପାଟଣା ସର୍କଲରେ ଲାଗିଛି। ବାରିପଦାରେ ପୁଣିଥରେ ଜଙ୍ଗଲ ନିଆଁ ବ୍ୟାପୁଥିବାର ଖବର ସାମ୍ନାକୁ ଆସିଛି। ରାଉରକେଲା ଓ ଅନୁଗୁଳ ସର୍କଲରେ ମଧ୍ୟ ଲାଗିଥିବା ନେଇ ଜଣାପଡ଼ିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ଦ୍ବାରା ଜାରି ତଥ୍ୟ ଅନୁଯାୟୀ, ଦେଶର ୫୪୮ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଓଡ଼ିଶା ପୁଣିଥରେ ଶତକ ଡେଇଁଛି। ଗତକାଲି ୮୫ଟି ସ୍ଥାନରେ ବଡ଼ଧରଣ ବନାଗ୍ନି ଥିବା ବେଳେ ଆଜି ୧୦୨ଟି ସ୍ଥାନରେ ଚିହ୍ନଟ ହୋଇଛି, ଯାହାକି ଦେଶରେ ସର୍ବାଧିକ। ଏହା ତଳକୁ ଝାଡ଼ଖଣ୍ଡରେ ୬୨, ତ୍ରିପୁରାରେ ୫୯, ମଣିପୁର ଓ ଆସାମରେ ୫୧ଟି ଲେଖାଏଁ, ଛତିଶଗଡ଼ରେ ୪୧, ଆନ୍ଧ୍ରପ୍ରଦେଶରେ ୩୮ଟି ସାମ୍ନାକୁ ଆସିଛି।
/sambad/media/post_attachments/wp-content/uploads/2018/03/vbk-forest-fire.jpg)
କୋରାପୁଟର ବୋରିଗୁମ୍ମା, ଲକ୍ଷ୍ମୀପୁର, କଳାହାଣ୍ଡିର ମଦନପୁର ରାମପୁର, ସିମନ୍ବାଡ଼ି, ଥୁଆମୂଳ ରାମପୁର ଉତ୍ତର, କର୍ଲାପାଟ ଅଭୟାରଣ୍ୟ, ବିଶ୍ବନାଥପୁର, ଭବାନୀପାଟଣା, ରାୟଗଡ଼ାର କାଶିପୁର, ମୁନିଗୁଡ଼ା, ଗୁଡ଼ାରି, ସୁନ୍ଦରଗଡ଼ର ହେମଗିରି, ରାଜଗାଙ୍ଗପୁର, କୁଲିପୋଷ, କନ୍ଧମାଳର ବେଲଘର, କୋଟାଗଡ଼, ବାଲିଗୁଡ଼ା, ଗଜପତିର ଆର୍. ଉଦୟଗିରି, ଚନ୍ଦ୍ରଗିରି, ସମ୍ବଲପୁରର ବଡରମା, ନାକଟିଦେଉଳ, ସଦର, ରାମପୁର, ବୌଦ୍ଧର ପୁରୁଣା କଟକ, ମନମୁଣ୍ଡା, କଣ୍ଟାମାଳ, ଝାରସୁଗୁଡ଼ାର ବେଲପାହାଡ଼, କେନ୍ଦୁଝରର ବ୍ରହ୍ମଣୀପାଳ, ବିଜେପି, କୋଇରା, ବଲାଙ୍ଗୀରର ଟିଟିଲାଗଡ଼, ଅନୁଗୁଳର ଆଠମଲ୍ଲିକ, ହଣ୍ଡପା, ରାୟଗଡ଼, ନୟାଗଡ଼ର ମଦନପୁର, ମୟୂରଭଞ୍ଜର ଡୁକୁରା, ନୱାନ, ମାନଦା ରେଞ୍ଜରେ ବଡ଼ଧରଣର ବନାଗ୍ନି ଲାଗିଥିବା ଏଫ୍ଏସ୍ଆଇ ପକ୍ଷରୁ କୁହାଯାଇଛି।
ବୁଧବାର ରାଜ୍ୟର ୭୭୦ଟି ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିଲା, ଯାହାକି ଗୁରୁବାର ୯୯୪ରେ ପହଞ୍ଚିଥିଲା। ନଭେମ୍ବରରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୪ ହଜାର ୬୪୯ଟି ବନାଗ୍ନି ହୋଇଛି। ସେଥିମଧ୍ୟରୁ ସର୍ବାଧିକ କୋରାପୁଟ ସର୍କଲରେ ସୃଷ୍ଟି ହୋଇଥିବା ବେଳେ ଏହା ତଳକୁ ବ୍ରହ୍ମପୁର, ଭବାନୀପାଟଣା, ଅନୁଗୁଳ ଓ ରାଉରକେଲା ସର୍କଲ ରହିଛି। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶରେ ୧୭ ହଜାର ୪୦୮, କର୍ଣ୍ଣାଟକରେ ୧୪ହଜାର ୯୯, ମହାରାଷ୍ଟ୍ରରେ ୧୧ ହଜାର ୪୭୩, ତେଲେଙ୍ଗାନାରେ ୧୦ ହଜାର ୭୯୮ ବନାଗ୍ନି ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/forest-fire.jpg)