ଗ୍ରାମ ପଞ୍ଚାୟତ ଜିଆଇଏସ୍‌ ପ୍ଲାନ୍‌ରେ ଓଡ଼ିଶା ଶୀର୍ଷରେ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଉପରେ ଗୁରୁତ୍ବ ଦେଉଛନ୍ତି। ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ବଜାୟ ରଖିବା ପାଇଁ ଏରିଆ ଅଫିସର ଆପ୍, ନାସନାଲ ମୋବାଇଲ ମନିଟରିଂ ସିଷ୍ଟମ, ଜିଆଇଏସ୍‌ ଆଧାରିତ ଯୋଜନା, ସଂପତ୍ତିର ଜିଓ ଟ୍ୟାଗିଂ, ଆଧାର ସିଡିଂ, ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ଉପଯୋଗ ସହ ସାମାଜିକ ସମୀକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦର ସପ୍ତମ ବୈଠକ ଆଜି ଲୋକସେବା ଭବନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨୦୨୦/୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧/୨୨ ବର୍ଷ‌ରେ ରାଜ୍ୟ ଅଧିକ ସଫଳତା ପାଇଥିବା କୁହାଯାଇଛି। ଦେଶର ୧୦ଟି ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ଭିତରେ ଓଡ଼ିଶା ସ୍ଥାନ ବଜାୟ ରଖିଛି। ୧୪.୬ କୋଟି ଶ୍ରମ ଦିବସ ସୃଷ୍ଟି ସହିତ ସପ୍ତମ ସ୍ଥାନ, ୧୦୦ଦିନରୁ ଅଧିକ କାର୍ଯ୍ୟ କରିଥିବା ପରିବାରରେ ଦ୍ବିତୀୟ, ପ୍ରତି ପରିବାର ପିଛା ହାରହାରି କାର୍ଯ୍ୟ ଦିବସରେ ଦ୍ବିତୀୟ, ଉଚିତ୍ ସମୟରେ ଶ୍ରମିକମାନଙ୍କୁ ଦେୟ ପ୍ରଦାନରେ ଅଷ୍ଟମ, ଜିଓ-ମନରେଗାରେ ୭ମ ସ୍ଥାନ ଓ ଗ୍ରାମ ପଞ୍ଚାୟତ ଜିଆଇଏସ୍‌ ପ୍ଲାନ୍‌ରେ ଶୀର୍ଷ ସ୍ଥାନ ହାସଲ କରିପାରିଛି। ରାଜ୍ୟର ୨୦ଟି ଦାଦନ ପ୍ରବଣ ବ୍ଲକ୍‌ ଗୁଡ଼ିକରେ ମନରେଗା ଯୋଜାନରେ ବିଜ୍ଞାପିତ ମଜୁରି ଦର ଉପରେ ଅତିରିକ୍ତ ମଜୁରି ପ୍ରଦାନ କରି ଏହାକୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଛି। ମନରେଗାର ଅଧିନୟମରେ ଧାର୍ଯ୍ୟ ହୋଇଥିବା ୧୦୦ଦିନର ନିଶ୍ଚିତ କର୍ମନିଯୁକ୍ତି ବ୍ୟତିରକେ ଅତିରିକ୍ତ ୨ଶହ ଦିନର କର୍ମନିଯୁକ୍ତି ପ୍ରଦାନ କରାଯାଉଛି। ଏହି ୨ଶହ ଦିନର ପାଇଁ ଜବ୍ କାର୍ଡଧାରୀମାନଙ୍କୁ ତାଙ୍କର ଦୈନିକ ମଜୁରି ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଥିବା ଜଣାପଡ଼ିଛି।

ସେହିପରି ଲାଇନ୍ ବିଭାଗଗୁଡ଼ିକ ସହ ପ୍ରଭାବୀ ଏକାଭିମୁଖୀକରଣ ଜରିଆରେ ଚଳିତବର୍ଷ ୩୬୫୬ କୋଟି ଟଙ୍କାର କାର୍ଯ୍ୟ ଅନୁ ମୋଦନ କରାଯାଇଛି। ଏହି ପଦକ୍ଷେପ ଫଳରେ ୭୪୭,୮୮ କୋଟି ଟଙ୍କା ଖର୍ଚ କରାଯାଇ ୨.୮୯ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଉଦ୍ୟାନ କୃଷି ୨୧୧୧୫ ହେକ୍ଟର, ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ୨୫୧୫୫ ହେକ୍ଟର ବନୀକରଣ, ୬୦୬୬୩ ଫାର୍ମ ପୋଖରୀ କରାଯିବା ପାଇଁ ପଦକ୍ଷେପ ନିଆଯାଇ ଗରିବ ପରିବାରଙ୍କ ଜୀବିକା ସୁରକ୍ଷାକୁ ସୁଦୃଢ଼ କରାଯାଇଛି। ରାଜ୍ୟରେ ପକାଘର ନଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ି ପାଇଁ ପକାଘର ନିର୍ମାଣ କାର୍ଯ୍ୟ ଅଗ୍ରାଧିକାରୀ ଭିତ୍ତିରେ ଗ୍ରହଣ କରାଯିବ। ପ୍ରାରମ୍ଭରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ନିଶ୍ଚିତ କର୍ମନିଯୁକ୍ତି ପରିଷଦର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଆଲୋଚନାରେ ଉନ୍ନୟନ କମିସନର ପ୍ରଦୀପ ଜେନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସରପଞ୍ଚମାନେ ଉପସ୍ଥିତ ଥିଳେ। ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଅରିନ୍ଦମ ଡାକୁଆ ମନରେଗାର ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର