ଭୁବନେଶ୍ବର : ଦୁଇ ଦିନ ହେଲା ଓଡ଼ିଶାରେ ସୂର୍ଯ୍ୟଙ୍କ କୋପ କମିଛି। ଏଥିସହ ଓଡ଼ିଶାରେ ବଡ଼ଧରଣର ବନାଗ୍ନି ବି ହ୍ରାସ ପାଇଛି। ଗତ ୭ ଦିନ ଅପେକ୍ଷା ଆଜି ଦେଶର ଅନ୍ୟ ରାଜ୍ୟଠାରୁ ଓଡ଼ିଶାରେ କମ୍ ବନାଗ୍ନି ରହିଛି। ମାତ୍ର ଏହା ମଧ୍ୟରେ ଓଡ଼ିଶା ସାରା ଦେଶରେ ରେକର୍ଡ ସୃଷ୍ଟି କରିଛି। ନଭେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ଦେଶରେ ସୃଷ୍ଟି ହୋଇଥିବା ବନାଗ୍ନି ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୧୨ ହଜାର ୨୧୭ଟି ଚିହ୍ନଟ ହୋଇଛି। ଯେଉଁଥିରେ ୮୮୨ଟି ବଡ଼ଧରଣର ବନାଗ୍ନି ରହିଛି, ଯାହାକି ଦେଶରେ ସର୍ବାଧିକ। କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ କିଛି ମାତ୍ରାରେ ସଫଳତା ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛି ବନ ବିଭାଗ।
/sambad/media/post_attachments/wp-content/uploads/2023/03/forest-fire-n-750x430.jpg)
ନଭେମ୍ବରରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ୧୨ ହଜାର ୨୧୭ଟି ନିଆଁ ମଧ୍ୟରୁ ସର୍ବାଧିକ କୋରାପୁଟ ସର୍କଲରେ ଦେଖିବାକୁ ମିଳିଛି। ଏହା ତଳକୁ ବାରିପଦା, ବ୍ରହ୍ମପୁର ଓ ରାଉରକେଲା ସର୍କଲ ରହିଛି। ଭୁବନେଶ୍ବର ଓ ଅନୁଗୁଳ ସର୍କଲରେ ସେତେ ବେଶି ଜଙ୍ଗଲ ନିଆଁ ହୋଇ ନ ଥିବା ସୂଚନା ମିଳିଛି। ଓଡ଼ିଶା ତଳକୁ ଆନ୍ଧ୍ରପ୍ରଦେଶରେ ୧୧ ହଜାର ୩୮୪, କର୍ଣ୍ଣାଟକରେ ୯ହଜାର ୭୭୨ ବନାଗ୍ନି ସୃଷ୍ଟି ହୋଇଛି। ଯଦି ଗତ ୭ ଦିନ କଥା ଦେଖିବା, କେବଳ ଓଡ଼ିଶାରେ ୬ ହଜାର ୮୨୯ଟି ଚିହ୍ନଟ କରାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମାର୍ଚ୍ଚ ମାସରେ କିଭଳି ଭାବେ ଓଡ଼ିଶାରେ ବନାଗ୍ନି ବଢ଼ିଛି। ଗତ ୪ମାସରେ ଯେତିକି ଜଙ୍ଗଲ ନିଆଁ ଓଡ଼ିଶାରେ ହୋଇଥିଲା ତା’ଠାରୁ ଅଧିକ କେବଳ ଗତ ୧୦ଦିନରେ ହୋଇଛି। ସେହିପରି ମାର୍ଚ୍ଚ ୩ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଦେଶର ସର୍ବାଧିକ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ଓଡ଼ିଶାରେ ୬୧୨ଟି ବନାଗ୍ନି ହୋଇଥିବା ବେଳେ କର୍ଣ୍ଣାଟକରେ ୨୮୩, ଆନ୍ଧ୍ରପ୍ରଦେଶରେ ୨୬୩, ମଣିପୁରରେ ୧୯୭ଟି ସ୍ଥାନରେ ଜଙ୍ଗଲ ଜଳିଛି। ସେହିପରି ନଭେମ୍ବର ୧ରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ୮୮୨, ଆନ୍ଧ୍ରପ୍ରଦେଶରେ ୭୬୬, କର୍ଣ୍ଣାଟକରେ ୬୮୮, ତେଲେଙ୍ଗାନାରେ ୪୮୮ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ଚିହ୍ନଟ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଦେଶର ୩୦୯ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ଜଳୁଥିବା ଏଫ୍ଏସ୍ଆଇ ପକ୍ଷରୁ କୁହାଯାଇଛି।
/sambad/media/post_attachments/wp-content/uploads/2018/03/vbk-forest-fire.jpg)
ସେଥିମଧ୍ୟରୁ ଓଡ଼ିଶାର ୨୫ଟି ସ୍ଥାନ ରହିଛି। ବାରିପଦା ସର୍କଲରେ ଆଜି ସର୍ବାଧିକ ବନାଗ୍ନି ଚିହ୍ନଟ କରାଯାଇଛି। ସର୍କଲର ଦେଓଗାଁ ରେଞ୍ଜ ସମେତ ସାତକୋଶିଆ, ଦୁଧିଆଣୀ, ଠାକୁରମୁଣ୍ଡା, କପ୍ତିପଦା, ଡୁକୁରା ରେଞ୍ଜ, ବେତନଟି ରେଞ୍ଜରେ ଜଙ୍ଗଲ ଜଳୁଛି। ଏହାବ୍ୟତୀତ କୋରାପୁଟ ସର୍କଲର ନାରାୟଣପାଟଣା, ଲକ୍ଷ୍ମୀପୁର, ରାୟଗଡ଼ା, ଗୁଡ଼ାରି, ବ୍ରହ୍ମପୁର ସର୍କଲର ବ୍ରାହ୍ମଣୀଗାଁ, ସୋରଡା ଓ ଚନ୍ଦ୍ରଗିରି ରେଞ୍ଜ, ରାଉରକେଲା ସର୍କଲର ହେମଗିରି, ଗୋପାଳପୁର ଓ ଘଟଗାଁ ରେଞ୍ଜ, ଅନୁଗୁଳ ସର୍କଲର କାମାକ୍ଷାନଗର ପୂର୍ବ ରେଞ୍ଜରେ ଏବେ ବି ହେକ୍ଟର ହେକ୍ଟର ଜଙ୍ଗଲ ଜଳୁଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକରେ ସର୍ବାଧିକ ୫୪ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ତେଲେଙ୍ଗାନାରେ ୪୬, ମିଜୋରାମରେ ୩୬, ମଣିପୁରରେ ୩୪ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ଚିହ୍ନଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/forest-fire.jpg)