ଓଡ଼ିଶା ପୁଣି ଏକ ନମ୍ବର, ଅମୃତ ଯୋଜନା କାର୍ଯ୍ୟକାରୀ କରିବାରେ ମିଳିଲା ୮୫.୬୭% ନମ୍ବର

୭୫.୦୮ ନମ୍ବର ପାଇ ଚଣ୍ଡିଗଡ଼ ଦ୍ବିତୀୟରେ
୧ ଲକ୍ଷ ୨୩ ହଜାର ପରିବାରକୁ ମିଳିଛି ଜଳ ସଂଯୋଗ
୨୦୨୧ ସୁଦ୍ଧା ସରିବ ସବୁ ପ୍ରକଳ୍ପ କାମ

ଭୁବନେଶ୍ୱର : ସହରାଞ୍ଚଳରେ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ପୁଣି ଥରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ଅମୃତ ଯୋଜନାର ସଫଳ ରୂପାୟନ କରିବାରେ ଦେଶର ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକାରେ ଓଡ଼ିଶାକୁ ମିଳିଛି ୮୫.୬୭% ନମ୍ବର। ସେହିପରି ଓଡ଼ିଶା ପଛକୁ ୭୫.୦୮ ନମ୍ବର ପାଇ ଚଣ୍ଡିଗଡ଼ ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାକୁ ମିଳିଥିବା ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

News Vibes of India

ଶ୍ରୀ ଜେନା କହିଛନ୍ତି, ଅମୃତ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପୁନର୍ବାର ଦେଶରେ ପ୍ରଥମ ସ୍ଥାନ ବଜାୟ ରଖିଛି। ପୂର୍ବରୁ ୨୦୧୫-୧୬, ୨୦୧୬-୧୭, ଓ ୨୦୧୭-୧୮ରେ ଜାତୀୟ ସ୍ତରରେ ରାଜ୍ୟ ଭଲ ପ୍ରଦର୍ଶନ କରିଥିଲା। ଲଗାତାର ଦୁଇବର୍ଷ ଧରି ପ୍ରଥମ ସ୍ଥାନ ହାସଲ କରିବାରେ ଓଡ଼ିଶା ସକ୍ଷମ ହୋଇଛି। ୨୦୧୫ ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିଲା। ରାଜ୍ୟର ୯ଟି ସହରରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଯଥା ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ବର, ଭଦ୍ରକ, ବ୍ରହ୍ମପୁର ଓ ପୁରୀରେ ଜଳ ଯୋଗାଣ, ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ ନିର୍ମାଣ ସହିତ ସବୁଜ ବଳୟ ସୃଷ୍ଟି କରାଯାଇଛି। ଏବେସୁଦ୍ଧା ହାତକୁ ନିଆଯାଇଥିବା ୧୯୧ଟି ପ୍ରକଳ୍ପ ମଧ୍ୟରୁ ୧୪୮ଟିର କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ୨୦୨୧ ମାର୍ଚ୍ଚା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜଳଯୋଗାଣ ପାଇଁ ଏସବୁ ସହରଗୁଡ଼ିକରେ ୨୪୦୦ କିଲୋମିଟର ପାଇପ୍‌ ବିଛାଯିବା ସହ ପୁରୁଣା ପାଇପକୁ ହଟାଯାଇଛି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ପାଇପ୍‌ ବିଛା କାମ ଶତ ପ୍ରତିଶତ ସମ୍ପୂର୍ଣ୍ଣ ହେବ। ୬ଟି ଜଳ ବିଶୋଧନ ପ୍ଲାଣ୍ଟ୍‌ ମଧ୍ୟରୁ ରାଉରକେଲା ଓ ଭୁବନେଶ୍ବରଠାରେ ଦୁଇଟି କାର୍ଯ୍ୟକାରୀ ହୋଇଛି। ୮୯ଟି ନୂତନ ସ୍ବୟଂକ୍ରିୟ ଇଏସ୍‌ଆର୍‌ ଓ ଜିଏସ୍‌ଆର୍‌ ବ୍ୟବସ୍ଥାରେ ଜଳ ଗଚ୍ଛିତ ଓ ପରିଚାଳନା କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରାଯାଇପାରିଛି।

ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି, ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବା ୯ଟି ସହରରେ ୧ ଲକ୍ଷ ୨୩ ହଜାର ପରିବାରକୁ ଜଳ ସଂଯୋଗ ସୁନିଶ୍ଚିତ ହୋଇଛି। ମୁଣ୍ଡଳି, ଭୁବନେଶ୍ବର ଓ ପୁରୀଠାରେ ସ୍ମାର୍ଟ୍‌ ଜଳ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ସେହିପରି ବ୍ରହ୍ମପୁର ଓ ବାରିପଦାରେ ଥିବା ପମ୍ପହାଉସ୍‌ଗୁଡ଼ିକରେ ସୌରଶକ୍ତି ଚାଳିତ ମଟର ଲଗାଯାଇଛି। ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ବର, ବ୍ରହ୍ମପୁର ଓ ପୁରୀଠାରେ ୮ଟି ସେପ୍ଟିକ୍‌ ଟ୍ୟାଙ୍କ୍‌ କାର୍ଯ୍ୟକାରୀ ହୋଇଛି। ଗୋଟିଏ ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ୍‌ ଭୁବନେଶ୍ବରେ ଚାଲୁ ହୋଇଥିବାବେଳେ ସମ୍ବଲପୁର ଓ ରାଉରକେଲା ପ୍ଲାଣ୍ଟ୍‌ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିମ୍‌, ଜଗିଂ ଟ୍ରେଲ୍‌ ଓ ପିଲାଙ୍କ ଖେଳଣା ସାମଗ୍ରୀ ଥାଇ ନିର୍ମାଣ ହେବାକୁ ଥିବା ୧୧୦ଟି ପାର୍କ ମଧ୍ୟରୁ ୮୫ଟି ସମ୍ପୂର୍ଣ୍ଣ ହୋଇଛି। ଏହି ଯୋଜନା ଫଳରେ ଥଇଥାନ କଲୋନିଗୁଡ଼ିକରେ ବିଷାକ୍ତ ପାନୀୟ ଜଳ ସେବନରୁ ଲୋକେ ରକ୍ଷା ପାଇବା ସହିତ ଶିଶୁମାନଙ୍କ ସ୍ବାସ୍ଥ୍ୟପ୍ରତି ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିଛି। ଏସବୁ ସହରାଞ୍ଚଳରେ ଆଗକୁ ଆହୁରି ଅଧିକରୁ ଅଧିକ ଆନୁସଙ୍ଗିକ ସୁବିଧା ସୁଯୋଗ ଓ ସ୍ଥାୟୀ ଭିତ୍ତିଭୂମି ଯୋଗାଣ ଉପରେ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ଜେନା କହିଥିଲେ।

ସମ୍ବନ୍ଧିତ ଖବର