ଭୁବନେଶ୍ବର: ଲଗାତାର ତୃତୀୟ ବର୍ଷ ଲାଗି ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଅଲୋଡ଼ା ରେକର୍ଡ କରିଛି ଓଡ଼ିଶା। ମ୍ୟାଲେରିଆ ନିୟନ୍ତ୍ରଣ ସରକାରଙ୍କ ଫୋକସରେ ନାହିଁ କି ସ୍ବାସ୍ଥ୍ୟ ବିଭାଗ ଏହା ଉପରେ ଯଥେଷ୍ଟ ଗୁରୁତ୍ବ ଦେଉନାହିଁ। ନିୟମିତ ବ୍ୟବଧାନରେ ବୈଠକ ସହ ରୋଗ ନିୟନ୍ତ୍ରଣ ପାଇଁ ଯେଉଁ ନିର୍ଦ୍ଦେଶାବଳୀ ରହିଛି ତାହା ଠିକ୍ ଢଙ୍ଗରେ ପାଳନ ହେଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଆସନ୍ତା କିଛି ବର୍ଷ ଭିତରେ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କରିବା ଏକପ୍ରକାର ଅସମ୍ଭବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି।
ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍ଭିବିଡିସିପି) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ମେ’ ସୁଦ୍ଧା ଦେଶରେ ୬୪ହଜାର ୨୪୫ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ତହିଁରୁ ଓଡ଼ିଶାରୁ କେବଳ ୨୪୪୭୨ଜଣ ରୋଗୀ ରହିଛନ୍ତି। ଯାହାକି ଦେଶର ସମୁଦାୟ ରୋଗୀଙ୍କ ୩୮%। ଛତିଶଗଡ଼, ଝାଡ଼ଖଣ୍ଡ ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ଓଡ଼ିଶା ତୁଳନାରେ ଯଥେଷ୍ଟ କମ୍ ରହିଛି। ଜୁନ୍ ବେଳକୁ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୬ହଜାର ୩୮୮ରେ ପହଞ୍ଚିଛି। କଳାହାଣ୍ଡି ୮୦୨୯, ରାୟଗଡ଼ା ୭୦୮୧, କନ୍ଧମାଳ ୪୫୮୧, ମାଲକାନଗିରି ୪୨୪୩, କୋରାପୁଟ ୩୯୯୬, ମୟୂରଭଞ୍ଜ ୩୪୨୧ ମ୍ୟାଲେରିଆ ରୋଗୀ ବାହାରିଛନ୍ତି। ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବେ ବୃଦ୍ଧି ହେଉଛି ଚଳିତବର୍ଷ ଶେଷ ବେଳକୁ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ପୂର୍ବ ବର୍ଷର ସଂଖ୍ୟାକୁ ଟପିଯିବ ବୋଲି ଆଶଙ୍କା କରାଯାଉଛି।
ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ୨୦୧୭ ମସିହାରେ ରାଜ୍ୟ ସରକାର ‘ଦମନ’ ଯୋଜନା ଆରମ୍ଭ କରିଥିଲେ। ଏଥିରେ ୭୮% ଲକ୍ଷଣବିହୀନ ଓ ୨୨% ଲକ୍ଷଣଯୁକ୍ତ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଯୋଜନାର ଅବଧିକୁ ଆହୁରି ୫ବର୍ଷ ପାଇଁ ବଢ଼ାଇ ଦିଆଯାଇଛି। ତେବେ ‘ଦମନ’ରେ ଚିହ୍ନଟ ହେଉଥିବା ରୋଗୀଙ୍କୁ ରାଜ୍ୟ ସରକାରଙ୍କ ବାର୍ଷିକ ମ୍ୟାଲେରିଆ ରୋଗୀ ତାଲିକାରେ ସାମିଲ କରାଯାଉନାହିଁ। ଫଳରେ ରାଜ୍ୟରେ ପ୍ରତି ବର୍ଷ ପ୍ରକୃତରେ କେତେ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ଏହା ସହ ‘ଦମନ’ ଯୋଜନାଟି କିଭଳି ଢଙ୍ଗରେ ଚାଲିଛି ତାହାର ମଧ୍ୟ ମୂଲ୍ୟାୟନ ହେଉନାହିଁ। ୨୦୩୦ ମସିହା ସୁଦ୍ଧା କେନ୍ଦ୍ର ସରକାର ମ୍ୟାଲେରିଆ ନିରାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ୨୦୨୭ସୁଦ୍ଧା ଇଣ୍ଡିଜିନିଅସ୍ ବା ନିଜ ଅଞ୍ଚଳରେ ମ୍ୟାଲେରିଆ ଚିହ୍ନଟକୁ ଶୂନ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମାତ୍ର ଓଡ଼ିଶାରେ ଯେଉଁଭଳି ଢଙ୍ଗରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଛି ତାହା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟକୁ ଝଟ୍କା ଦେଇପାରେ। ମ୍ୟାଲେରିଆ ବଢ଼ିବା ସଂପର୍କରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନାହିଁ।