ଭାରତ ପର୍ଯ୍ୟଟନରେ ଓଡ଼ିଶାକୁ ଉଚିତ ସ୍ଥାନ ମିଳୁ

କେନ୍ଦ୍ର ପର୍ଯ୍ୟଟନ ସଚିବଙ୍କ ନିକଟରେ ଦାବି କଲା ହାରୋ, ଭୁବନେଶ୍ବରରେ ହେଲା ‘ପାଟା ଭାରତ’ର କାର୍ଯ୍ୟନିର୍ବାହୀ ବୈଠକ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟରେ ଓଡ଼ିଶା ପର୍ଯ୍ୟଟନକୁ ଗୁରୁତ୍ବ ମିଳୁ ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ବୃତ୍ତ ଚିତ୍ର, ପାୱାର୍ ପଏଣ୍ଟ୍‌ ପ୍ରେଜେଣ୍ଟେସନ୍‌ ଆଦିରେ ଓଡ଼ିଶା ପର୍ଯ୍ୟଟନକୁ ଆଦୌ ସ୍ଥାନ ଦିଆଯାଇ ନାହିଁ। ଏପରିକି ବିଦେଶରେ ଭାରତ ପର୍ଯ୍ୟଟନ କାର୍ଯ୍ୟାଳୟରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପୁସ୍ତିକା ବି ଉପଲବ୍ଧ ନୁହେଁ। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ହୋଟେଲ୍‌ ଆଣ୍ଡ୍‌ ରେ‌ଷ୍ଟୁରାଣ୍ଟ୍‌ ଆସୋସିଏସନ୍ ଅଫ୍ ଓଡ଼ିଶା(ହାରୋ)। କେନ୍ଦ୍ର ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀ ଗତକାଲି ଓଡ଼ିଶା ଆସିଥିଲା ବେଳେ ହାରୋ ପକ୍ଷରୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଓଡ଼ିଶାରେ ଦୀର୍ଘ ଦିନ ବ୍ୟବଧାନ ପରେ ପାସିଫିକ୍ ଏସିଆ ଟ୍ରାଭେଲ୍‌ ଆସୋସିଏସନ୍(ପାଟା)ର ଭାରତ ଶାଖା କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା। ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ଏହି ବୈଠକରେ ପାଟା ଭାରତ ଶାଖାର ଅଧ୍ୟକ୍ଷ ତଥା କେନ୍ଦ୍ର ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶାରୁ ‘ପାଟା ଭାରତ’ର ସଦସ୍ୟ ଥିବା ହାରୋର ଅଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ ସିଏମ୍‌ଡି ଜେ କେ ମହାନ୍ତିଙ୍କ ତତ୍ତ୍ବାବଧାନରେ ବୈଠକ ଆ‌େୟାଜନ କରାଯାଇଥିଲା।

ଏହି ଅବସରରେ ହାରୋ ପକ୍ଷରୁ ବିଭିନ୍ନ ଟ୍ରା‌େ‌ଭଲ୍‌ ସଂସ୍ଥା ସହ କେନ୍ଦ୍ର ସଚିବଙ୍କ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ତ୍ରିପାଠୀ ଓ ପାଟା ଭାରତ ଶାଖାର କର୍ମକର୍ତ୍ତାମାନେ ଯୋଗ ଦେଇ ଓଡ଼ିଶାରେ ପର୍ଯ୍ୟଟନର ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କେନ୍ଦ୍ର ସଚିବ ଶ୍ରୀ ତ୍ରିପାଠୀ ଓଡ଼ିଶାର ପର୍ଯ୍ୟଟନରେ ଥିବା ସୁଯୋଗ ଓ ସମ୍ଭାବନାକୁ କିପରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଚାର, ପ୍ରସାର କରାଯାଇପାରିବ, ସେ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ହାରୋର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଓଡ଼ିଶା ପର୍ଯ୍ୟଟନର ବିକାଶ ନେଇ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିଥ‌ିଲେ।

ହାରୋ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି, ପର୍ଯ୍ୟଟନ ମନ୍ତ୍ରଣାଳୟର ସମସ୍ତ ପ୍ରେଜେଣ୍ଟେସନ୍‌େର ଓଡ଼ିଶା ପର୍ଯ୍ୟଟନକୁ ସ୍ଥାନ ଦିଆଯାଉ। ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପତ୍ରିକା ଭାରତ ପର୍ଯ୍ୟଟନର ସମସ୍ତ କାର୍ଯ୍ୟାଳୟରେ ଉପଲବ୍ଧ କରିବା ପାଇଁ ପଦକ୍ଷେପ ନିଆଯାଉ। ଚିଲିକାକୁ ଏକ ଜଳକ୍ରୀଡ଼ାର ସ୍ଥାନ ଭାବେ ବିକାଶ କରିବା ନିମନ୍ତେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରୁ। କାରଣ ୧୧୦୦ ବର୍ଗକିଲୋମିଟର ବ୍ୟାପୀ ଚିଲିକା ହ୍ରଦ ପ୍ରକୃତିର ଅନନ୍ୟ ଉପହାର। ତେଣୁ ତାହାର ସୁଯୋଗ ନେଲେ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏହା ପ୍ରମୁଖ ସ୍ଥାନ ନେଇପାରିବ। ଓଡ଼ିଶାର ବୌଦ୍ଧ ସର୍କିଟ୍‌କୁ ଭାରତ ପର୍ଯ୍ୟଟନର ବୌଦ୍ଧ ସର୍କିଟ୍‌ରେ ଆବଶ୍ୟକ ଗୁରୁତ୍ବ ଦିଆଯାଇ ନାହିଁ। କିନ୍ତୁ ଓଡ଼ିଶାର ବୌଦ୍ଧ ସ୍ଥଳୀଗୁଡ଼ିକୁ ବିଦେଶରୁ ବହୁ ବୌଦ୍ଧ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ଓଡ଼ିଶାର ବୌଦ୍ଧ ସ୍ଥଳୀଗୁଡ଼ିକର ବିକାଶ କରିବାର ଆବଶ୍ୟକତା ରହିଛି।

ହାରୋ ପକ୍ଷରୁ ଆହୁରି କୁହାଯାଇଛି, ବର୍ତ୍ତମାନ ହୋଟେଲ୍‌ରେ ରୁମ୍ ଭଡ଼ା ୭୫୦୦ ଟଙ୍କାରୁ ଅଧିକ ରହିଲେ ୨୮% ଜିଏସ୍‌ଟି ଲାଗୁ ହେଉଛି। ଏହା ହୋଟେଲ୍‌ ଶିଳ୍ପ ଉପରେ ଭୀଷଣ ପ୍ରଭାବ ପକାଉଛି। ସାରା ବିଶ୍ବରେ ଏହା ସମ୍ଭବତଃ ସର୍ବାଧିକ ଟିକସ। ଆମେରିକା, ଶ୍ରୀଲଙ୍କା, ମାଲେସିଆ ଆଦି ଦେଶରେ ୧୩ ପ୍ରତିଶତ ଭିତରେ ଏହି ଟିକସ ସୀମିତ ରହିଛି। ଏପରି ଉଚ୍ଚ ଦରରେ ଟିକସ ରହୁଥିବା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ପ୍ରଭାବିତ‌ ହେଉଛି। ତେଣୁ ୭୫୦୦ ଟଙ୍କା ରୁମ୍‌ରେ ଟିକସ ହାରକୁ ୨୮ ପ୍ରତିଶତରୁ ୮ ପ୍ରତିଶତକୁ ଖସାଇବାକୁ ହାରୋ ଦାବି କରିଛି।

ସମ୍ବନ୍ଧିତ ଖବର