କାହା ସ୍ୱାର୍ଥ ଜଗିଛି ପର୍ଯ୍ୟଟନ ବିଭାଗ?

ମୁହଁ ମୋଡ଼ିଲେଣି ବିଦେଶୀ ପର୍ଯ୍ୟଟକ
ପ୍ରଚାର ବେଶି, ସଫଳତା ହାର ଶୂନ
ଘରୋଇ ହୋଟେଲ ଲାଭ କରୁଛନ୍ତି
ସରକାରୀ ପାନ୍ଥନିବାସ କ୍ଷତି ସହୁଛି

ଭୁବନେଶ୍ବର : ସୁଦୀର୍ଘ ବେଳାଭୂମି। ଏହାସହିତ ଚିଲିକା ‌ହେଉ କି ଭିତରକନିକା, ଶିମିଳିପାଳ, ଶ୍ରୀମନ୍ଦିର, କୋଣାର୍କ, ଧଉଳି, ଖଣ୍ଡଗିରି, ଲଳିତଗିରି, ଉଦୟଗିରି, ହୀରାପୁର ଏମିତି ତାଲିକା କରୁଥିଲେ ଲମ୍ବୁଥିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଏଭଳି ମାଳ ମାଳ ପର୍ଯ୍ୟଟନ କେନ୍ଦ୍ର ରହିଛି ଓଡ଼ିଶାରେ। ଗତ ଦଶନ୍ଧି ଭିତରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ଉନ୍ନତୀକରଣ କରିଛନ୍ତି ଓ ବିଦେଶରେ ରୋଡ୍ ସୋ’ ମଧ୍ୟ କରାଯାଇଛି। କେବଳ ସେତିକି ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଟ୍ରାଭେଲ୍ ଏଜେଣ୍ଟଙ୍କ ସହିତ ବି ବ୍ୟାବସାୟିକ ସଂପର୍କ ସରକାର ସ୍ଥାପନ କରିଛନ୍ତି ଏବଂ ଜାତୀୟସ୍ତରର ଟେଲିଭିଜନ ସଂସ୍ଥାରେ ବିଜ୍ଞାପନ ବାବଦରେ ବେଶ୍ ଅର୍ଥ ଖର୍ଚ୍ଚ ହୋଇଛି।

ଏହା ସତ୍ତ୍ବେ କାହିଁକି ଓଡ଼ିଶାରୁ ବିଦେଶୀ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି? ପଡ଼ୋଶୀ ରାଜ୍ୟକୁ ଆସୁଛନ୍ତି, ଅଥଚ ଓଡ଼ିଶା ପ୍ରତି ତାଙ୍କର ମନ ବଳାଉନାହିଁ। ବାସ୍ତବରେ ପର୍ଯ୍ୟଟନକୁ ଆକର୍ଷିତ କରିବା ଲାଗି ରାଜ୍ୟର ଯୋଜନା ସକ୍ଷମ ହେଉନାହିଁ କି? ମନ୍ତ୍ରୀ, ଅଫିସର ବିଦେଶ ଗସ୍ତ କରି ପର୍ଯ୍ୟଟକଙ୍କ ପାଇଁ ଯେଉଁ ପ୍ୟାକେଜ ରଖୁଛନ୍ତି, ତାହାକୁ ସେମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି କି? ଓଡ଼ିଶାର ପ୍ରମୁଖ ଘରୋଇ ହୋେଟଲ ଶିଳ୍ପ ବେଶ୍ ଲାଭ କରୁଥିବା ବେଳେ ପାନ୍ଥନିବାସ କ୍ଷତି କରୁଛନ୍ତି କାହିଁକି? ଏମିତି ଅନେକ ପ୍ରଶ୍ନ ଏବେ ପର୍ଯ୍ୟଟନ ବଜାର ଉପରେ ନଜର ରଖିଥିବା ତଥା ରାଜ୍ୟ ପର୍ଯ୍ୟଟନ ବିଭାଗର କାର୍ଯ୍ୟକୁ ନିରେଖି ଦେଖୁଥିବା େଲାକଙ୍କ ମନରେ ଉଙ୍କିମାରୁଛି।

ସର୍ବଶେଷ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଓଡ଼ିଶା ଜିଡିପି ୮.୪ ପ୍ରତିଶତ ଥିଲା ଏବଂ ପର୍ଯ୍ୟଟନ ବିଭାଗ ପରିସରଭୁକ୍ତ (ଟ୍ରେଡ୍, େହାଟେଲ, େରସ୍ତୋରାଁ) ସେବା କ୍ଷେତ୍ରର ଅବଦାନ ଥିଲା ୬.୮ ପ୍ରତିଶତ। ବିଧାନସଭାରେ ବାରମ୍ବାର ରାଜ୍ୟ ସରକାର ସ୍ବୀକାର କରିଛନ୍ତି ଯେ ପର୍ଯ୍ୟଟନ ଏକ ବହୁ ନିଯୁକ୍ତି କ୍ଷେତ୍ରର ମାଧ୍ୟମ। ଏକ ଆକଳନ ଅନୁସାେର, ଦଶ ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗରେ ପର୍ଯ୍ୟଟନ କ୍ଷେତ୍ରରେ ୮୯ଟି ନିଯୁକ୍ତି ସୃଷ୍ଟି ହୋଇ ପାରିଥାଏ। ଏହି କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ଅନୁପାତ ହେଉଛି ୧:୩।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ, ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶ ନିମନ୍ତେ ଗତ ତିନି ବର୍ଷ ମଧ୍ୟରେ ପାଖାପାଖି ୧୯୫ େକାଟି ଟଙ୍କା ଖର୍ଚ୍ଚ େହାଇଛି। ଅଥଚ ୨୦୧୮ ମସିହାର ଭାରତ ସରକାରଙ୍କ ବିଦେଶୀ ପର୍ଯ୍ୟଟକ ପରିଭ୍ରମଣ ବା ପରିଦର୍ଶନ ବିବରଣୀ ଓ ସେଥିରେ ଓଡ଼ିଶାର ସ୍ଥାନ ଦେଖିଲେ ଯେ କେହି ତାଜୁବ ହେବେ। ଏହି ବର୍ଷ ଭାରତକୁ ଯେତିକି ପର୍ଯ୍ୟଟକ ଆସିଥିଲେ, ତାର ୩.୮% େକରଳ ଭଳି ରାଜ୍ୟକୁ ବୁଲିବାକୁ ପସନ୍ଦ କଲେ। ୩.୨୩% ଗୋଆ, ୨୧.୦୪% ତାମିଲନାଡୁ, ୧.୮୮% କର୍ଣ୍ଣାଟକ ଏବଂ ୫.୬% ପଶ୍ଚିମବଙ୍ଗ ଆସିଛନ୍ତି। ହେଲେ ଏତେ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଥିବା ସତ୍ତ୍ବେ ଓଡ଼ିଶାକୁ ମାତ୍ର ୧ଲକ୍ଷ ୧୦ ହଜାର ୮୧୮ ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି, ଯାହା ହେଉଛନ୍ତି ଭାରତକୁ ଆସିଥିବା େମାଟ ପର୍ଯ୍ୟଟକ ସଂଖ୍ୟାର ମାତ୍ର ୦.୩୮%।

ବି‌େଦଶୀ ପର୍ଯ୍ୟଟକ କାହିଁକି ଓଡ଼ିଶା ଆସୁନାହାନ୍ତି, ନିର୍ଦିଷ୍ଟ କି ପଦକ୍ଷେପ ନେଲେ, ଏଥିରେ ସୁଧାର ଆସିବ, ପଡ଼ୋଶୀ ପଶ୍ଚିମବଙ୍ଗ ଆସୁଥିବା ବେଳେ ଓଡ଼ିଶା ପ୍ରତି ବିମୁଖ ହେବା ପଛର କାରଣ କଣ େସସବୁ ସଂପର୍କରେ ପଦକ୍ଷେପ ନେଉ ନାହାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଜାତୀୟସ୍ତରର ବିଶେଷଜ୍ଞ ନିଯୁକ୍ତି କରି ଏହାର କାରଣ ଖୋଜିବା ଦରକାର। ଏଥିଲାଗି ମଧ୍ୟ ରାଜ୍ୟ ସରକାର ଏଯାଏ ଆଗ୍ରହ ଦେଖାଇନାହାନ୍ତି।

ବରଂ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଟାଣିବା ଆଳରେ ମନ୍ତ୍ରୀ ଓ ବିଭାଗର ବଡ଼ବ଼ଡିଆମାନେ ବିଦେଶ ବୁଲୁଥିବା ଅନେକ ନଜିର ରହିଛି।

ପର୍ଯ୍ୟଟନ ବିଭାଗର ପାରଦର୍ଶିତା କେତେ, ତାହା କେବଳ ଓଡ଼ିଶା ପର୍ଯ୍ୟଟନ ନିଗମର େଚହେରାକୁ ଦେଖିଦେଲେ ଜଣାପଡ଼ିବ। ଯେଉଁ ସବୁ ବେଳାଭୂମି ବା ପର୍ଯ୍ୟଟନ କେନ୍ଦ୍ରରେ ଘରୋଇ ହୋଟେଲ ଶିଳ୍ପ ବ୍ୟାପକ ଲାଭ ଉଠାଉଛନ୍ତି ଓ ଏକାଧିକ ପ୍ରକଳ୍ପରେ ମାତିଛନ୍ତି, େସସବୁ ସ୍ଥାନରେ ସରକାରୀ ପାନ୍ଥନିବାସର ସ୍ଥିତି ବୁଝାଇ ଦେଉଛି ଯେ ଅଫିସରମାନଙ୍କ ଭିତରେ କେତେ ପେସାଦାର ମନୋଭାବ ରହିଛି।

୨୦୧୮-୧୯ର ହିସାବ ଅନୁସାରେ, କଟକ ପାନ୍ଥନିବାସ ୮.୧୫ଲକ୍ଷ ଟଙ୍କା କ୍ଷତି ସହିଥିବା ବେଳେ କୋଣାର୍କ ୧୭.୪୭ଲକ୍ଷ, ସମ୍ବଲପୁର ୨.୧୮ଲକ୍ଷ, ଗଞ୍ଜାମ ତପ୍ତପାଣି ଠାରେ ଥିବା ପାନ୍ଥନିବାସ ୪.୩୪ଲକ୍ଷ, ବାଲେଶ୍ବର ୪.୧୭ଲକ୍ଷ, ସାତପଡ଼ା ଯାତ୍ରୀନିବାସ ୪.୪୪ଲକ୍ଷ, ତାଳସାରି ନିକଟସ୍ଥ ଚନ୍ଦନେଶ୍ବର ପାନ୍ଥଶାଳା ୧୦.୫୩ଲକ୍ଷ ଭଳି ୭ଟି ପାନ୍ଥନିବାସ ବ୍ୟାପକ କ୍ଷତି ସହିଛନ୍ତି। ତେବେ ଚାନ୍ଦିପୁର, ରାଉରକେଲା, ଚିଲିକା ବରକୁଳ, ରମ୍ଭା ପାନ୍ଥନିବାସ, ଗୋପାଳପୁର ପାନ୍ଥନିବାସ, ଚାନ୍ଦବାଲି ଆର୍ଯ୍ୟନିବାସ, ପଞ୍ଚଲିଙ୍ଗେଶ୍ବର ପାନ୍ଥଶାଳା, ପାରାଦୀପ ପାନ୍ଥନିବାସ, କେନ୍ଦୁଝର ପାନ୍ଥନିବାସ, ଧଉଳି ପାନ୍ଥିକା ୧୨ ହଜାର ଟଙ୍କାରୁ ୨୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ କରିଛନ୍ତି, ଯାହା ଆଜିର ବଜାରରେ କିଛି ନୁହେଁ। ଏହାଠାରୁ ସ୍ଥାନୀୟ ଅଞ୍ଚଳରେ ଗଢ଼ି ଉଠିଥିବା ହୋଟେଲ, ଲଜିଂ ଯଥେଷ୍ଟ ଅଧିକ ରୋଜଗାର କରିଥିବେ, ଏଥିରେ ସନ୍ଦେହ ନାହିଁ।

ଆହୁରି ବିସ୍ମୟକର କଥା ହେଉଛି, ଖୋଦ୍ ଭୁବନେଶ୍ବରରେ ପାନ୍ଥନିବାସର େମାଟ କାରବାର ମାତ୍ର ୭ େକାଟି ୭ଲକ୍ଷ ଟଙ୍କା, ଯେଉଁଥିରେ ସଂସ୍ଥା ମାତ୍ର ୧କୋଟି ୧୬ଲକ୍ଷ ଟଙ୍କା ଲାଭ କରିଛି। ପୁରୀରେ ମଧ୍ୟମ ଧରଣର େହାଟେଲ କୋଟି କୋଟି ଟଙ୍କା େରାଜଗାର କରୁଥିବା ବେଳେ ବେଳାଭୂମି ଉପରେ ଠିଆ ହୋଇଥିବା ପାନ୍ଥନିବାସର କାରବାର ୫କୋଟି ଟଙ୍କା ଛୁଇଁପାରିନି, ଲାଭ ମାତ୍ର ୮୮ଲକ୍ଷ ୬୫ ହଜାର ଟଙ୍କା।

ସମ୍ବନ୍ଧିତ ଖବର