ଆଇକନିକ୍‌ ତାଲିକାରେ ସ୍ଥାନ ପାଇବ, ରାଜ୍ୟର ପର୍ଯ୍ୟଟନସ୍ଥଳ

ନୂଆଦିଲ୍ଲୀ: ଭାରତରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳ ତାଲିକାରେ ଓଡ଼ିଶା ସ୍ଥାନ ପାଇବା ନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ଆଜି ନୂଆଦିଲ୍ଲୀର ଅଶୋକ ହୋଟେଲରେ ଆୟୋଜିତ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକର ବିକାଶ କରିବାର ଆବଶ୍ୟକତା ରହିଛି। ପୁରୀ ଓ କୋଣାର୍କ ଭଳି ପର୍ଯ୍ୟଟନ ସ୍ଥଳକୁ ଅଣଦେଖା କରାଯାଇ ପାରିବ ନାହିଁ । ଏସବୁ ସ୍ଥାନକୁ ଆଇକନିକ୍ ପର୍ଯ୍ୟଟନ ସ୍ଥଳରେ ସାମିଲ କରାଯିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିଜେପିର ସମସ୍ତ ସାଂସଦମାନେ ତାଙ୍କୁ ପତ୍ର ଲେଖିଥିଲେ। ଆଜିର ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଏହି ପ୍ରସଙ୍ଗରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ଗୁରୁତ୍ବର ସହ ବିଚାର କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ କହିଥିଲେ।

ଅନ୍ୟପକ୍ଷରେ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାାହୀ ଓଡ଼ିଶାର ଦୁଃସାହସିକ କ୍ରୀଡ଼ା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବା ନେଇ ଦାବି କରିଥିଲେ। ଏଥିସହିତ କୋଣାର୍କ ସୂର୍ଯ୍ୟ ମନ୍ଦିରର ରକ୍ଷଣବେକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶାରେ ନୂଆନୂଆ କୀର୍ତ୍ତିରାଜିଗୁଡ଼ିକ ଏଏସ୍‌ଆଇ ଅଧୀନରେ ନେଇ ତା’ର ରକ୍ଷଣାବେକ୍ଷଣ ପାଇଁ ସେ ଦାବି କରିଥିଲେ। ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବକୁ ଶୀଘ୍ର ତ୍ବରାନ୍ବିତ କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର