ତୃତୀୟ ଲହର ଆଡ଼କୁ ଓଡ଼ିଶା, ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ନିକଟତର

ଭୁବନେଶ୍ୱର : ରାଜ୍ୟରେ କରୋନାର ତୃତୀୟ ଲହରର ଆଭାସ ମିଳିଲାଣି। ଡିସେମ୍ବର ଶେଷ ସପ୍ତାହରୁ ଦୈନିକ ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ପାଇବାରେ ଲାଗିଛି ସେଥିରୁ ଏଭଳି ସୂଚନା ମିଳୁଛି। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ପ୍ରକୃତରେ ଏଭଳି ଧାରା ଗତ ନଭେମ୍ବର ୨୪ତାରିଖରୁ ଆରମ୍ଭ ହୋଇଛି। ନଭେମ୍ବର ୨୪ତାରିଖରେ ଦୈନିକ ସଂକ୍ରମଣ ୩୩୫ ରହିଥିଲା। ଏହାପରେ କିଛି ଦିନ ଏଥିରେ ହ୍ରାସ ପାଇଥିଲେ ମଧ୍ୟ ପୁଣି ବଢ଼ିବା ଆରମ୍ଭ କରିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ଏକାଧିକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଲାଣି। ଆଗକୁ ଅନ୍ୟ ଜିଲ୍ଲା ଗୁଡ଼ିକରେ ଦ୍ରୁତ ସଂକ୍ରମଣ ନଜରକୁ ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କଲେଣି।

ଡିସେମ୍ବର ୨୭ତାରିଖରେ ରାଜ୍ୟରେ ଦୈନିକ ସଂକ୍ରମଣ ୨୦୦ ପାର୍ କରିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୪ଜଣ ଓମିକ୍ରନ୍‌ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇ ସାରିଲେଣି। ରାଜ୍ୟକୁ ହଜାର ହଜାର ବିଦେଶ ଫେରନ୍ତା ଆସିଥିବାରୁ ସେମାନଙ୍କୁ ଠିକ୍ ସମୟରେ ଚିହ୍ନଟ କରି ନମୁନା ପରୀକ୍ଷା ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। ଅନ୍ୟ ରାଜ୍ୟରେ ତୃତୀୟ ଲହର ଆରମ୍ଭ ହୋଇ ସାରିଲାଣି। ତେଣୁ ରାଜ୍ୟରେ ଓମିକ୍ରନ୍‌ ଜନିତ ତୃତୀୟ ଲହର ପାଇଁ ସଜାଗ ରହିବା ଲାଗି ସରକାର, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇଛନ୍ତି।

Image Courtesy of Republic World

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ଓମିକ୍ରନ୍‌ ସଂଖ୍ୟା ବଢ଼ୁଛି। ଏଥିପାଇଁ ସମସ୍ତଙ୍କୁ ସଜାଗ ରହିବା ଆବଶ୍ୟକ। ଗୋଷ୍ଠୀ ସଂକ୍ରମଣ ହେଉବା ନ ହେଉ କୋଭିଡ ସଂକ୍ରମଣ ରହିଛି। ଗୋଷ୍ଠୀ ସଂକ୍ରମଣ ନେଇ ଏ ପର୍ଯ୍ୟନ୍ତ ପ୍ରାମାଣିକ ତଥ୍ୟ ନାହିଁ। ରାଜ୍ୟର ଯେତିକି ସଂକ୍ରମଣ ହାର ରହିଛି ସେହି ଅନୁଯାୟୀ ସାମ୍ପୁଲ ସାଇଜ୍ ନାହିଁ। ସଂକ୍ରମଣ ହାର କେତେ ରହିଲେ କ’ଣ ପଦକ୍ଷେପ ନିଆଯିବ ତାହା ସଂପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି। ତେଣୁ ରାଜ୍ୟ ସରକାର ମଧ୍ୟ ସଂକ୍ରମଣ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ପ୍ରୋଟୋକଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସେ ଆହୁରିମଧ୍ୟ କହିଛନ୍ତି ଯେ ଯେଉଁମାନଙ୍କର ଥଣ୍ଡା କାଶ ଲକ୍ଷଣ ରହିଛି ସେମାନେ ପରୀକ୍ଷା କରାଇନେବା ଉଚିତ୍। ଖୋର୍ଧା ଜିଲ୍ଲା ମେଡିକାଲ ହବ୍‌ ରହିଥିବା କାରଣରୁ ଅଧିକ ସଂକ୍ରମଣ ରହୁଛି। ଲୋକଙ୍କ ସଂଖ୍ୟା ଅଧିକ ଓ ଚଳ ପ୍ରଚଳ ମଧ୍ୟ ଅଧିକ। ଦେଶର ସଂକ୍ରମଣ ହାରଠାରୁ ରାଜ୍ୟର ହାର କମ୍ ରହିଛି। ଯେତିକି ସଂଖ୍ୟକ ଲୋକ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ନମୁନା ଜିନୋମ ସିକ୍ବେନ୍‌ସିଂ ପାଇଁ ପଠାଯିବ ବୋଲି ଡା.ମହାପାତ୍ର କହିଛନ୍ତି।
ଖୋର୍ଧା ଜିଲ୍ଲାର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ୧୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କଟକ ୩୫, ସୁନ୍ଦରଗଡ଼ ୨୩, ସମ୍ବଲପୁର ୧୩, ପୁରୀ ୧୧ ଓ ଷ୍ଟେଟ୍‌ ପୁଲରୁ ୨୮ଜଣ ଚିହ୍ନଟ ହୋଇଛନ୍ତି। ୮ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୫ହଜାର ୧୩୨ରେ ପହଞ୍ଚିଛି। ଏହାସହ ଆଉ ୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୮୪୬୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୬୫୫ ଚିକିତ୍ସାଧୀନ ରହିଛନ୍ତି। ଡିସେମ୍ବର ୧୬ତାରିଖ ପରଠାରୁ କନ୍ଧମାଳ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ୍‌ ରହିଛି।

ସମ୍ବନ୍ଧିତ ଖବର