ଆରମ୍ଭ ହେଲା ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ : ଓଡ଼ିଶା ବିଶ୍ୱର ପ୍ରମୁଖ ୩ଟି ନିବେଶ କ୍ଷେତ୍ର ମଧ୍ୟରେ ସ୍ଥାନିତ ହୋଇଛି

ଭୁବନେଶ୍ୱର : ଭ୍ରମଣ ଓ ପର୍ଯ୍ୟଟନ ଦ୍ରୁତ ଅଭିବୃଦ୍ଧିର କ୍ଷେତ୍ର ପାଲଟିଛି। ଓଡ଼ିଶା ମଧ୍ୟ ବିଦେଶୀ ଓ ଦେଶୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସ୍ବତନ୍ତ୍ର ଭୂମିକା ନେଇଛି। ବିଶ୍ବସ୍ତରରେ ପର୍ଯ୍ୟଟକଙ୍କ ଆଗମନ ହାର ୪ ପ୍ରତିଶତ ବୃଦ୍ଧି ପାଇଥିବା ବ‌େଳେ ରାଜ୍ୟରେ ପର୍ଯ୍ୟଟକଙ୍କ ଆଗମନ ୯ ପ୍ରତିଶତ ବୃଦ୍ଧି ପାଇଛି। ପର୍ଯ୍ୟଟନ କ୍ଷେତ୍ରକୁ ପରିପୁଷ୍ଟ କରିବା ଲାଗି ନିବେଶ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ବିଗତ ୧୫ ବର୍ଷରେ ଓଡ଼ିଶା ବିଶ୍ବର ପ୍ରମୁଖ ୩ଟି ନିବେଶ କ୍ଷେତ୍ର ମଧ୍ୟରେ ସ୍ଥାନିତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ରାଜ୍ୟ ପର୍ଯ୍ୟଟନ ବିଭାଗ’ ପକ୍ଷରୁ ‘ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି’ (ଫିକି)ର ମିଳିତ ଆନୁକୂଲ୍ୟରେ ମେ ଫେୟାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ର ତୃତୀୟ ସଂସ୍କରଣକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହି‌ଲେ, ଜୈବ ପର୍ଯ୍ୟଟନଠୁ ନେଇ କ୍ରୀଡ଼ା ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରିଛି। ବିଶ୍ବ ରଙ୍ଗଭୂମିରେ ଓଡ଼ିଶା ପର୍ଯ୍ୟଟନକୁ ସ୍ଥାନିତ କରିବା ଉଦ୍ଦେଶ୍ୟ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ମାସେ ବ୍ୟାପୀ ‘କୋଣାର୍କ ସନ୍‌ ସିଟି ଫେଷ୍ଟିଭାଲ୍‌’ର ଆୟୋଜନ କରିବାକୁ ଯାଉଛି। ଶାମୁକା ପ୍ରକଳ୍ପକୁ ନେଇ ମଧ୍ୟ ଆଶା ଜାଗିଛି ବୋଲି ସେ କହିଛନ୍ତି।

ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ, ଓଡ଼ିଶାକୁ ପସନ୍ଦର ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ନୂତନ ପର୍ଯ୍ୟଟନ ନୀତିରେ ଗଠନମୂଳକ ପଦକ୍ଷେପ ନିଆଯାଇଛି। ୨୦୨୧ ମସିହା ସୁଦ୍ଧା ୨.୫୦ କୋଟି ପର୍ଯ୍ୟଟକ ଯେପରି ଓଡ଼ିଶା ଆସିବେ ସେଥିପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରପାଠୀ, ଶାମୁକା ପ୍ରକଳ୍ପ ଓ ପୁରୀରେ ପରିକଳ୍ପିତ ପ୍ରକଳ୍ପ ସମ୍ବନ୍ଧରେ କହିବା ସହ ନିବେଶ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରାଯାଇଥିବା କହିଥିଲେ। ପର୍ଯ୍ୟଟନ ସଚିବ ବିଶାଳ ଦେବ କହିଲେ, ଓଡ଼ିଶାରେ ଆକର୍ଷଣୀୟ ପର୍ଯ୍ୟଟନ ନୀତି ରହିଛି। ଟୁର୍‌ ଅପରେଟରମାନେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନେଇ ସନ୍ତୋଷ ଜାହିର କରିଲେଣି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ୍ରାଇଭର, ଟ୍ରାଭେଲ୍ ଏଜେନ୍‌ସିର କର୍ମକର୍ତାଙ୍କୁ ତାଲିମ୍‌ ଦେଇ ସଶକ୍ତ କରାଯାଉଛି।

ଫିକି ପର୍ଯ୍ୟଟନ କମିଟିର ଅଧ୍ୟକ୍ଷା ତଥା ଲଳିତ ସୁରୀ ହସ୍ପିଟାଲିଟି ଗ୍ରୁପ୍‌ର ଜ୍ୟୋତ୍ସ୍ନା ସୁରୀ ରାଜ୍ୟରେ ପର୍ଯ୍ୟଟନର ବିପୁଳ ସମ୍ଭାବନା ଥିବା କହିବା ସହ ତାଙ୍କ ଗ୍ରୁପ୍‌‌ର ଚେନ୍‌ ପ୍ରତିଷ୍ଠା ନେଇ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। ସମାରୋହରେ ରାଜ୍ୟ ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ୍‌ ଯାଦବ, ଓଟିଡିସିର ପରିଚାଳନା ନିର୍ଦେଶକ ହେମକାନ୍ତ ସାଇ, ଫିକି ଜାତୀୟ ପର୍ଯ୍ୟଟନ କମିଟିର ଉପାଧ୍ୟକ୍ଷ ତଥା ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ ମହାନ୍ତି, ଫିକିର ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟି ଅଧ୍ୟକ୍ଷ ସୌଭାଗ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଶେଷରେ ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା।

ଏହି ଅବସରରେ ୧୬ଟି ଦେଶରୁ ୨୬ ଜଣ ବିଦେଶୀ ଟୁର୍‌ ଅପରେଟର, ଦେଶର ୧୯ଟି ସହରରୁ ୬୦ ଜଣ ଦେଶୀୟ ଟୁର୍‌ ଅପରେଟର ସାମିଲ୍‌ ହୋଇଛନ୍ତି। ଓଡ଼ିଶାରୁ ୫୦ ଜଣ ଟୁର୍‌ ଅପରେଟର ଓ ହୋଟେଲ୍‌ ବ୍ୟବସାୟୀ ଏବଂ ସାମିଲ୍ ହୋଇଥିବା ଟୁର୍‌ ଅପରେଟରଙ୍କ ମଧ୍ୟରେ ୨୪୦୦ଟି ବିଟୁବି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର