ଓଡ଼ିଶା ଟ୍ରାଭେଲ୍‌ ବଜାରର ଦ୍ବିତୀୟ ଦିବସ : ଧଉଳି, ଖଣ୍ଡାଧାର, ବରୁଣେଇରେ ହେବ ରୋପ୍‌ୱେ

କ୍ରେତା ବିକ୍ରେତା ବୈଠକ

ଭୁବନେଶ୍ବର : ପର୍ଯ୍ୟଟନ ରାଜ୍ୟର ପ୍ରମୁଖ ଅଂଶବିଶେଷ ହୋଇଥିବାରୁ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ୪ ବର୍ଷରେ ୪୦୦ କୋଟି ଟଙ୍କା ବିନିଯୋଗ ହୋଇଛି। ଆଗକୁ ମଧ୍ୟ ରାଜ୍ୟରେ ଷ୍ଟାର୍‌ ହୋଟେଲ୍‌ ଖୋଲିବାକୁ ଯାଉଛି। ୫ରୁ ୬ଟି ବଡ଼ ଷ୍ଟାର୍‌ ହୋଟେଲ୍‌ ନିର୍ମିତ ହେବା ସହ ରାଜ୍ୟ ପର୍ଯ୍ୟଟନରେ ଅଭାବ ପରିଲକ୍ଷିତ ହେଉଥିବା ହୋଟେଲ୍‌ ଭିତ୍ତିଭୂମିକୁ ଏହା ଅନେକାଂଶରେ ପୂରଣ କରିବ। ଏଥିସହ ଧଉଳି, ଖଣ୍ଡାଧାର ଓ ବରୁଣେଇରେ ରୋପ୍‌ୱେ ସ୍ଥାପନ କରାଯିବ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି) ପକ୍ଷରୁ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍‌ ବଜାରର ଦ୍ବିତୀୟ ଦିବସର ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌ (ବି ଟୁ ବି) ବୈଠକକୁ ଉଦ୍‌ଘାଟନ କରି ଶ୍ରୀ ପଣ୍ଡା ଆଗାମୀ ଦିନରେ ‘କଲମ୍ବୋ’କୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ଆଲୋଚନା ଚାଲିଥିବା କହିଛନ୍ତି।

ବି ଟୁ ବି ବୈଠକ ପୂର୍ବରୁ ୨୩ଟି ଦେଶରୁ ଆସିଥିବା ୬୦ ଜଣ ବିଦେଶୀ ଟୁର୍‌ ଅପରେଟର୍‌ ଏବଂ ୨୦ ଜଣ ଦେଶୀୟ ଟୁର୍‌ ଅପରେଟର୍‌ମାନଙ୍କୁ ୩ ଭାଗରେ ବିଭକ୍ତ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲାଯାଇଥିଲା। ମୁଖ୍ୟତଃ ଐତିହ୍ୟ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ ଏବଂ ଆଦିବାସୀ ପର୍ଯ୍ୟଟନ କ୍ଷେତ୍ରକୁ ସେମାନଙ୍କୁ ବୁଲାଇ ନିଆଯାଇଥିଲା। ନିଜର ଉପଲବ୍ଧିକୁ ପାଥେୟ କରି ଆଜି ସେମାନେ ବି ଟୁ ବି ବୈଠକରେ ସମିଲ୍‌ ହୋଇ ରାଜ୍ୟର ବିଭିନ୍ନ ହୋଟେଲ୍‌ ଓ ଟୁର୍‌ ଅପରେଟର୍‌ମାନଙ୍କ ସହ ବ୍ୟକ୍ତିଗତ ବୈଠକ କରିଛନ୍ତି। ୨ଦିନରେ ଏହିପରି ପ୍ରାୟ ୧୮୦୦ ବି ଟୁ ବି ବୈଠକ ହେବ। ଫଳସ୍ବରୂପ ବିଦେଶୀ ଓ ଦେଶୀୟ ଟୁର୍‌ ଅପରେଟର୍‌ମାନେ ଓଡ଼ିଶାକୁ ପର୍ଯ୍ୟଟକ ଆଗମନ ବଢ଼ାଇବାରେ ପରବର୍ତୀ ସମୟରେ ସହାୟ ହେବେ।

ଆଜି ପ୍ରାୟ ୫୬ଟି ଟେବୁଲ୍‌ରେ ବି ଟୁ ବି ବୈଠକ ଅନୁଷ୍ଠିତ ହୋଇଛି। କିଣା ବିକା ପାଇଁ ଏହି ବୈଠକରେ ସୁଯୋଗ ସୃଷ୍ଟି କରିଛି। ଆଗାମୀ ଦିନରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏହା ବୁଝାମଣା ସ୍ବାକ୍ଷର ପାଇଁ ବାଟ ଖୋଲିବ ବୋଲି ଫିକିର ଯୁଗ୍ମ ନିର୍ଦେଶକ ସଂଜୀବ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର