ଭୁବନେଶ୍ବର : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି ଓଡ଼ିଶା ଟ୍ରାଭେଲ୍ ବଜାର। ବିଶେଷତଃ ପରିବେଶ ପର୍ଯ୍ୟଟନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ବିଦେଶୀ ପର୍ଯ୍ୟଟକ। ତେବେ ଜଙ୍ଗଲ ଓ ପରିବେଶ ବିଭାଗର କଡ଼ା ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଦେଶୀ ଟୁର୍ ଅପରେଟର। ତେଣୁ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ନିୟମ କୋହଳ କରିବାକୁ ବିଦେଶୀ ଟୁର୍ ଅପରେଟରମାନେ ନିବେଦନ କରିଛନ୍ତି।
ସ୍ବସ୍ତି ପ୍ରିମିୟମ୍ରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାରର ଉଦ୍ଯାପନୀ ଦିବସରରେ ଏକ ପାରସ୍ପରିକ ଆଲୋଚନା ବୈଠକରେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିଥିବା ବିଦେଶୀ ଟୁର୍ ଅପରେଟରମାନେ ନିଜର ମତାମତ ରଖିଥିଲେ। ମାଲେସିଆ ଟୁର୍ ଅପରେଟରମାନେ ସ୍ବଳ୍ପ ଅବଧିର ଇ-ଭିସା ବ୍ୟବସ୍ଥା ଲାଗୁ କରିବାକୁ ନିବେଦନ କରିଥିଲେ। ଏହା ହୋଇପାରିଲେ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ସେମାନେ ମତ ରଖିଥିଲେ। ଏହାର ଉତ୍ତରରେ ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଲେ, ଏନେଇ ସେ ଭାରତ ସରକାରଙ୍କ ସହ ଆଲୋଚନା କରିବେ। ଏଥିସହ ଇ-ଭିସା ଯଥାଶୀଘ୍ର କାର୍ଯ୍ୟକାରୀ କରିବା ନେଇ ସେ ଆଲୋଚନା କରିବେ ବୋଲି କହିଥିଲେ। କିଛି ଟୁର୍ ଅପରେଟର ଓଡ଼ିଶାର କେତେକ ଐତିହାସିକ ସ୍ମାରକୀର ରକ୍ଷଣାବେକ୍ଷଣ ଠିକଣା ଢଙ୍ଗରେ ହେଉନାହିଁ ବୋଲି କହିଥିଲେ। ଶ୍ରୀ ଦେବ ଏହାକୁ ବିଚାରକୁ ନେଇ ଏହା ଉପରେ ରାଜ୍ୟ ସରକାରଙ୍କ ତରଫରୁ ଯଥେଷ୍ଟ ଗୁରୁତ୍ବ ଦେବା ନେଇ ମତ ରଖିଥିଲେ। ଆଦିବାସୀ ଅଞ୍ଚଳରେ ପଞ୍ଚ ତାରକା ହୋଟେଲ୍ ସ୍ଥାପନ ନେଇ କିଛି ଟୁର୍ ଅପରେଟରମାନେ ମତ ରଖିଥିଲେ ହେଁ ସ୍ଥାନ ଦୃଷ୍ଟିରୁ ସେଠାରେ ପଞ୍ଚତାରକା ହୋଟେଲ୍ ଆଶା କରାଯାଇ ନପାରେ ବୋଲି ସେ କହିଛନ୍ତି।
ପର୍ଯ୍ୟଟନ ନିର୍ଦେଶିକା ଅର୍ଚନା ପଟ୍ଟନାୟକ କହିଛନ୍ତି, ଆମେ ଟୁର୍ ଅପରେଟରମାନଙ୍କଠାରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଅତ୍ୟାଧୁନିକ ସୁବିଧା ନେଇ ମତାମତ ଗ୍ରହଣ କରିଥିବାରୁ ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ଗୁରୁତ୍ବ ଦେବୁ। ଏହି ଅବସରରେ ୨ଦିନ ଧରି କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ୨ ହଜାରରୁ ଅଧିକ ବି ଟୁ ବି ଆଲୋଚନା ହୋଇଥିଲା। ପୂର୍ବ ବର୍ଷ ୧୩୦୦ ବି ଟୁ ବି ବୈଠକ ହୋଇଥିବା ବେଳେ ଏଥର ଅଧିକ ବୈଠକ ହୋଇଥିବାରୁ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହେବ ବୋଲି ଫିକି ଓଡ଼ିଶାର ଯୁଗ୍ମ ନିର୍ଦେଶକ ସଂଜୀବ ମହାନ୍ତି କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କମ ମଧ୍ୟରେ ଫିକି ଓଡ଼ିଶା ରାଜ୍ୟ ପରିଷଦ ପର୍ଯ୍ୟଟନ ପ୍ୟାନେଲ୍ର ଚେୟାରମ୍ୟାନ୍ ଜେକେ ମହାନ୍ତି ଉପସ୍ଥିତ ରହି ଟୁର୍ ଅପରେଟରଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/odi.jpg)