ଭୁବନେଶ୍ୱର : ପର୍ଯ୍ୟଟନର ଭଣ୍ଡାର ଓଡ଼ିଶାକୁ ବିଦେଶୀ ଓ ଦେଶୀୟ ପର୍ଯ୍ୟଟକଙ୍କ ଆଗମନ ବଢ଼ାଇବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି ଦ୍ବିତୀୟ ଓଡ଼ିଶା ଟ୍ରାଭେଲ୍‌ ବଜାର। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି) ପକ୍ଷରୁ ଆୟୋଜିତ ଏହି ୩ ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନୀ ଅଭିଭାଷଣରେ କହିଲେ, ଓଡ଼ିଶାରେ ପର୍ଯ୍ୟଟନର ପରିସର ଆଉ ସୀମିତ ରହିନାହିଁ। ବିବିଧ ପର୍ଯ୍ୟଟନର ଅଭ୍ୟୁଦୟ ହୋଇଛି। ପରିବେଶ ପର୍ଯ୍ୟଟନ, ଜଳ ପର୍ଯ୍ୟଟନ, ଜଙ୍ଗଲ ପର୍ଯ୍ୟଟନ, ବୁଦ୍ଧିଷ୍ଟ ପର୍ଯ୍ୟଟନ ଭଳି ବିବିଧତାର ସମ୍ଭାର ଓଡ଼ିଶାରେ ରହିଛି। ସମଗ୍ର ବିଶ୍ବରେ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଆଗମନ ବର୍ଷକୁ ୪ ପ୍ରତିଶତ ବୃଦ୍ଧି ପାଉଥିବା ବେଳେ ବର୍ଷକୁ ଓଡ଼ିଶାକୁ ୯ ପ୍ରତିଶତ ହାରରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଛି।

Advertisment

ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶା ଟ୍ରାଭେଲ୍‌ ବଜାରରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବସାୟ ପାଇଁ ୧୮୦୦ଟି ବ୍ୟକ୍ତିଗତ ବ୍ୟବସାୟିକ ଆଲୋଚନା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ଆଣିଦେବ। ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ ଏବଂ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ, ଫିକି ଓଡ଼ିଶା ରାଜ୍ୟ ପରିଷଦର ଚେୟାରମ୍ୟାନ୍‌ ତଥା ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେକେ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଫିକିର ‌େସକ୍ରେଟାରି ଜେନେରାଲ୍‌ ଦିଲ୍ଲୀପ ଚେନୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଶେଷରେ ପର୍ଯ୍ୟଟନ ନିର୍ଦେଶିକା ଅର୍ଚନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ବିତୀୟ ଅଧିବେଶନରେ ବିଦେଶୀ ଓ ଦେଶୀୟ ଟୁର୍‌ ଅପରେଟରଙ୍କୁ ନେଇ ଆଲୋଚନା ହୋଇଥିଲା। ବିଦେଶୀ ଟୁର୍‌ ଅପରେଟର ଆମେରିକାର କାରୋଲିନ୍‌ ଇ ଆଣ୍ଡେର୍‌ସନ୍‌ ଚିଲିକା ଓ ସ୍ବେଡେନ୍‌ର ସେସିଲିଆ ପୁରିଟ୍‌ସ ଆଦିବାସୀ ପର୍ଯ୍ୟଟନକୁ ନେଇ ଅଭିଭୂତ ହୋଇଥିବା କହିଥିଲେ। ‌ବିଶାଲ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ.କେ ମହାନ୍ତି, ମେ‌ ଫେୟାର୍‌ ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟ‌୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୌଭାଗ୍ୟ ମହାପାତ୍ର, ଜର୍ମାନିର ବ୍ରିଟା ସିଡେଲ୍‌, ଗୁଜରାଟର ହାର୍ଦିକ ଡୁଡାକିୟା, ଛତିଶଗଡ଼ର ରିତେଶ ମୁନ୍ଧରା, ଟ୍ରାଭେଲ୍‌ ଲିଙ୍କ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ବେଞ୍ଜାମିନ୍‌ ସାଇମନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଫିକିର ପରାମର୍ଶଦାତା ରାହୁଲ ଚକ୍ରବର୍ତୀ ଏହାକୁ ପରିଚାଳନା କରିଥିଲେ।