ଓଡ଼ିଶାରେ ଆଦିମ ଜନଜାତି ସଂଖ୍ୟା ଅଧିକ, ଅନୁଦାନ କମ୍: କେନ୍ଦ୍ର ଅବହେଳା ନା ଅର୍ଥ ଦେଉନାହାନ୍ତି ରାଜ୍ୟ ସରକାର?
୧୫ ହଜାର କୋଟି ବଜେଟ୍ରୁ ରାଜ୍ୟକୁ ମିଳିବ କେତେ?
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ୧୨ ପ୍ରକାର, ମଧ୍ୟପ୍ରଦେଶରେ ୭ ପ୍ରକାର ଏବଂ ଓଡ଼ିଶାରେ ସର୍ବାଧିକ ୧୪ ପ୍ରକାର ଆଦିମ ଜନଜାତି ଅଛନ୍ତି। ଏହା ସତ୍ତ୍ବେ ଗତ ୫ବର୍ଷ ଧରି ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଆଦିମ ଜନଜାତିଙ୍କ ପାଇଁ ଅନୁଦାନ ଯେତେ ମିଳିଛି, ଓଡ଼ିଶାକୁ କେବେ ବି ସେତିକି ମିଳିପାରିନାହିଁ। ୨୦୨୨ ମସିହାରେ ସଂସଦରେ ଉପସ୍ଥାପିତ କିଛି ତଥ୍ୟ ଏହା ସ୍ପଷ୍ଟ କରିଛି। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦିମ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ଭାବରେ ୧୫ହଜାର କୋଟି ଟଙ୍କାର ଅନୁଦାନ ବ୍ୟବସ୍ଥା କରାଯାଇଛି। ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଏଥିରୁ ଓଡ଼ିଶାର ଭାଗ କେତେ ରହିବ?
ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ପରେ ଚଳିତ ଆର୍ଥିକ ବର୍ଷରେ ପ୍ରଥମଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦିମ ଜନଜାତି ବା ପିଭିଟିଜିଙ୍କ ପାଇଁ ଏତେ ବଡ଼ ବିପୁଳ ପରିମାଣର ବଜେଟ୍ ବ୍ୟବସ୍ଥା କରାଯାଇଛି। ଯାହା ଆଗାମୀ ୩ ବର୍ଷ ମଧ୍ୟରେ ଘର, ସ୍ବଚ୍ଛ ପାଣି, ଶିକ୍ଷା, ରାସ୍ତା, ଜୀବିକା ଏବଂ ଟେଲିକମ୍ କ୍ଷେତ୍ରରେ ଖର୍ଚ୍ଚ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟରେ ଓଡ଼ିଶା ସରକାର ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ଓପିଲିପି ପ୍ରକଳ୍ପ ଜରିଆରେ ପିଭିଟିଜିଙ୍କ ପାଇଁ ୭୧୧ କୋଟି ଟଙ୍କାର ଋଣ ୟୁଏନ୍ଠାରୁ ନେଇଛନ୍ତି। ଓପିଲିପି ନିର୍ଦେଶକ ପି. ଅର୍ଥନାରିଙ୍କ ସୂଚନାନୁସାରେ, ପ୍ରତିବର୍ଷ ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ଆଦିମ ଜନଜାତିଙ୍କ ବିକାଶ ପାଇଁ ମାତ୍ର ୧୦ରୁ ୧୨କୋଟି ଟଙ୍କା ମିଳିଥାଏ। ତେଣୁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସାମାଜିକ ସଙ୍ଗଠନ ‘ବସୁନ୍ଧରା’ର ନିର୍ଦେଶକ ଗିରି ରାଓଙ୍କ ସୂଚନାନୁସାରେ ଆନ୍ଧ୍ର ଭଳି ଓଡ଼ିଶା ସରକାର ବଜେଟ୍ ପ୍ରସ୍ତୁତ କରି କେନ୍ଦ୍ରକୁ ଦେଇ ପାରୁନଥିବାରୁ ହକ୍ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ଆଦିମ ଜନଜାତିଙ୍କ ବିକାଶ ପାଇଁ ଗ୍ରାମୀଣ ସ୍ତରକୁ ସୁଦୃଢ କରିବା ସହ ପଞ୍ଚାୟତକୁ ସିଧାସଳଖ ଅନୁଦାନ ଦେଲେ, ଏହାର ଉପଯୁକ୍ତ ବିନିଯୋଗ ହେବ। ନଚେତ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ।
ରାଜ୍ୟର ମୟୂରଭଞ୍ଜରେ ଲୋଧା, ମାଙ୍କଡ଼ିଆ, ଖରିଆ, କେନ୍ଦୁଝରରେ ଜୁଆଙ୍ଗ, କୋରାପୁଟରେ ଚକୁଟିଭୁଞ୍ଜିଆ, କଳାହାଣ୍ଡି ଏବଂ କନ୍ଧମାଳରେ କୁଟିଆକନ୍ଧ, କନ୍ଧମାଳ, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼ରେ ପାଉଡ଼ିଭୂୟାଁ, ରାୟଗଡ଼ାରେ ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସଉରା, ଗଞ୍ଜାମରେ ସଉରା, ଗଜପତିରେ ଲାଞ୍ଜିଆ ସଉରା, ସଉରା, ମାଲକାନଗିରିରେ ଦିଦାଇ, ବଣ୍ଡା ଆଦିମ ଜନଜାତି ଅଛନ୍ତି। ୧୯୭୦ ମସିହାରୁ ଦେଶରେ ପିଭିଟିଜିଙ୍କୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହା ସତ୍ତ୍ବେ ଅପପୁଷ୍ଟି, ରକ୍ତହୀନତା ଭଳି ସମସ୍ୟା ଏଠାରେ ଜଟିଳ ହୋଇ ରହିଛି। ଏପରିକି ଅନେକ ପିଭିଟିଜି ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥା ଜଟିଳ। ଟେଲିଫୋନ୍ ନେଟ୍ୱାର୍କ ଅଧିକାଂଶ ସ୍ଥାନରେ ନାହିଁ। ଏଥିଯୋଗୁଁ ଅନ୍ଲାଇନ ପାଠପଢ଼ା ସେଠାରେ ପ୍ରହସନ ହୋଇଥିଲା ବୋଲି କରୋନା ସଂକଟ କାଳରେ ଜଣାପଡ଼ିଥିଲା। ଏକ ସର୍ଭେ ଅନୁସାରେ, ଆଜି ବି ପିଭିଟିଜିଙ୍କ ପାଇଁ ସଦର ଚିକିତ୍ସାଳୟର ଦୂରତା ୭୦ରୁ ୮୦କିଲୋମିଟର, ସିଏଚ୍ସି ୨୦ରୁ୨୫ କିଲୋମିଟର, ପିଏଚ୍ସି ୩ରୁ୯ କିଲୋମିଟର ଦୂରତା ମଧ୍ୟରେ ରହିଛି। ଓପିଲିପି ନିର୍ଦ୍ଦେଶକଙ୍କ ସୂଚନାନୁସାରେ, ୨୦୨୪ ସୁଦ୍ଧା ରାଜ୍ୟର ଆଦିମ ଜନଜାତିଙ୍କ ବିକାଶ ସ୍ପଷ୍ଟ ହୋଇଯିବ।