ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ଅବସର ବୟସ ୬୦ରୁ ୬୫ କରିବା ପାଇଁ ଅନୁରୋଧ କଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ମହାସଂଘ

ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ମହାସଂଘର ଶତାଧିକ ସଭ୍ୟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ରାଜ୍ୟର ବିଶ୍ୱବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ୟୁଜିସି ସୁପାରିଶ ଅନୁସାରେ ୭ମ ବେତନ କମିସନର ଦରମା ଲାଗୁ କରିବା ପରେ ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି। ଏଥି ସହିତ ମହାସଂଘ ଅବସର ବୟସ ସୀମା ୬୦ରୁ ୬୫ ଯାଏଁ ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ସେମାନେ ଏକ ଅନୁରୋଧ ପତ୍ର ମାଧ୍ୟମରେ ବୟସ ସୀମା ୬୦ରୁ ୬୫ ବର୍ଷକୁ ବୃଦ୍ଧି କରିବା ଏବଂ ୟୁଜିସି ନିୟମାବଳୀ, ୨୦୦୮କୁ ସଂପୂର୍ଣ୍ଣଭାବେ ଲାଗୁ କରିବା ପାଇଁ ମହାସଂଘର ସଭ୍ୟମାନେ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ଅଧ୍ୟାପକମାନଙ୍କ ଦାବି ସହୃଦୟତାର ସହ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ ଦେଶର ଅନ୍ୟ କିଛି ରାଜ୍ୟ ଗୁଡ଼ିକରେ ବିଶ୍ୱବିଦ୍ୟାଳୟର ଶିକ୍ଷକମାଙ୍କ ଅବସର ବୟସ ସୀମା ୬୫ ବର୍ଷ କରି ଦିଆଯାଇଛି ଏବଂ ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟ ମଂଜୁରୀ କମିସନଙ୍କ ନିୟମାବଳୀକୁ ଅବିକଳ ଲାଗୁ କରୁଛନ୍ତି।

ସମ୍ବନ୍ଧିତ ଖବର