ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧିତ) ଅଧ୍ୟାଦେଶ ବିବାଦ : ହିସାବ ଦେଲେ ସରକାର

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୦ଟି ବିଶ୍ବବିଦ୍ୟାଳୟକୁ ଗତ ୩ ବର୍ଷରେ ରାଜ୍ୟ ସରକାର ୧୦୩୪ କୋଟି ଟଙ୍କା ଦେଇଛନ୍ତି। ସେହି ତୁଳନାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ମାତ୍ର ୧୦ କୋଟି ଟଙ୍କା ଦେଇଛି। ବିଶ୍ବବିଦ୍ୟାଳୟ ଉିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ଏତେ ଅର୍ଥ ଖର୍ଚ୍ଚ କରୁଥିବା ବେଳେ ତାଙ୍କର କୌଣସି ବି କର୍ତୃତ୍ତ୍ବ ରହିବନି। କୁଳପତି ଚୟନ, ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ କେହି ବି ପ୍ରତିନିଧି ରହିବେ ନାହିଁ। ଏହା କି ପ୍ରକାର ବ୍ୟବସ୍ଥା? ତେଣୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ସଂଶୋଧନରେ କୁଳପତି ଚୟନ ଓ ସିଣ୍ଡିକେଟ୍‌ରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସ‌ାମିଲ କରାଯାଇଛି। ନିଯୁକ୍ତି ପ୍ରକ୍ରିୟା ଓପିଏସ୍‌ସି ଦ୍ବାରା କରାଇବା ନିଷ୍ପତ୍ତି ଆଜିର ନୁହେଁ। ୨୦୧୮ ମସିହାରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ଏଭଳି କୌଣସି ସଂସ୍ଥା ଦ୍ବାରା ନିଯୁକ୍ତି ପ୍ରକ୍ରିୟା କରିବାକୁ ପରାମର୍ଶ ଦେଇଥିଲେ। ଯାହାକୁ ରାଜ୍ୟ ସରକାର ଏବେ ପାଳନ କରିଛନ୍ତି। କୁଳପତି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ-୨୦୨୦କୁ ନେଇ ପ୍ରବଳ ବିରୋଧ ପରେ ଅନୁଷ୍ଠିତ ୱେବିନାରରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ଏଭଳି ଢଙ୍ଗରେ ହିସାବ ଦେଇଛନ୍ତି।

ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ ସାହୁ ଅଧ୍ୟକ୍ଷତା କରି କହିଲେ ଯେ ନୂତନ ସଂସ୍କାର ଦ୍ବାରା କୁଳପତି କିମ୍ବା ବିଶ୍ୱବିଦ୍ୟାଳୟର ସ୍ବାତନ୍ତ୍ରୢ କ୍ଷୁଣ୍ଣ ହେବ ନାହିଁ। ବରଂ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ଦ୍ବାରା ସେମାନେ ବିଶ୍ୱବିଦ୍ୟାଳୟର ଦୀର୍ଘମିଆଦୀ ପରିବର୍ତନ ଆଣିବାରେ ସକ୍ଷମ ହେବେ। ଗୁଜରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ବିହାର ତୁଳନାରେ ଓଡ଼ିଶା ସରକାରଙ୍କ କୁଳପତି ଚୟନ କ୍ଷେତ୍ରରେ କୌଣସି ଭୂମିକା ନାହିଁ। ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟକୁ ପ୍ରଚୁର ଅର୍ଥ ଓ ସମୟ ବ୍ୟୟ କରିବାକୁ ପଡ଼ୁଛି। ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ଏପରି କ୍ଷେତ୍ରରେ ଓପିଏସ୍‌ସି ଓ ଓଏସ୍‌ଏସ୍‌ ଦ୍ବାରା ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ଆସିବା ସହ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ବିଶ୍ୱବିଦ୍ୟାଳୟର ଅଡିଟ ରିପୋର୍ଟ ୫୦୦ରୁ ଅଧିକ ପୃଷ୍ଠାର ହେଉଛି। ଫଳରେ ବିଧାନସଭାର ସମସ୍ତ ବିଧାୟକଙ୍କ ନିମନ୍ତେ ଅଡିଟ୍‌ ରିପୋର୍ଟ କପି ଯୋଗାଇବା କ୍ଷେତ୍ରରେ ଲକ୍ଷାଧିକ ପୃଷ୍ଠାର ଜେରକ୍ସ ଆବଶ୍ୟକ ପଡ଼ୁଛି। ଏବେ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ରେ ଅଡିଟ୍‌ ରିପୋର୍ଟ ଅପଲୋଡ୍ କରିବାର ବ୍ୟବସ୍ଥା ହୋଇଥିବାରୁ ସାର୍ବଜନୀନ ହୋଇପାରିବ। ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସିନେଟର ଭୂମିକା ରହୁନି। ବର୍ଷ ବର୍ଷ ଧରି ବୈଠକ ବସୁନି। ତେଣୁ ସିନେଟ୍‌ ଉଚ୍ଛେଦ କରାଯାଇ ସିଣ୍ଡିକେଟର ପୁର୍ନଗଠନ ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହି ୱେବିନାରରେ ୯୮୭ ଜଣ ସାମିଲ ହେଇଥିଲେ। ଯେଉଁମାନଙ୍କ ମଧ୍ୟରେ ପୂର୍ବତନ କୁଳପତି, ପ୍ରଫେସର, ଶିକ୍ଷାବିତ୍‌, ଛାତ୍ରଛାତ୍ରୀ ଥିଲେ। ତେବେ ମାତ୍ର ୪ ଜଣଙ୍କୁ କହିବାକୁ ସୁଯୋଗ ମିଳିଥିଲା। ସେଥିମଧ୍ୟରୁ ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଭାଗନେଇ ସଚିବ ଶ୍ରୀ ମିଶ୍ରଙ୍କ ହିସାବ ନିକାଶକୁ ବିରୋଧ କରିଥିଲେ। ଆମେ ଅର୍ଥ ଦେଉଛୁ ବୋଲି ପରିଚାଳନାରେ ରହିବା ଭାବନାକୁ ଦୂରେଇ ଦିଅନ୍ତୁ। ଅର୍ଥ ଖର୍ଚ୍ଚ କରିବା ରାଜ୍ୟ ସରକାରଙ୍କ କର୍ତବ୍ୟ ବୋଲି ସେ ମତ ଦେଇଥିଲେ। କୁଳପତି ଚୟନ କମିଟିରେ ୩ ଜଣଙ୍କ ସହ ସିଣ୍ଡିକେଟ୍‌ରୁ ଜଣେ ମନୋନୀତ ସଦସ୍ୟଙ୍କୁ ସାମିଲ କରିବା, ୟୁନିଭର୍ସିଟି ସିଲେକ୍ସନ କମିଟି ଗଠନ, ସିଣ୍ଡିକେଟ୍‌ରେ ଅମଲାତନ୍ତ୍ରର ପ୍ରଭାବ କମାଇବାକୁ ପ୍ରସ୍ତାବ ଦେଇଥିଲେ। ଅଧ୍ୟାଦେଶ ସଂଶୋଧନ କରିବା ପୂର୍ବରୁ ଆଲୋଚନା କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ରଙ୍କ ସମେତ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ପ୍ରଫେସର କମଳ ପ୍ରସାଦ ମହାପାତ୍ର ଆଲୋଚନାରେ ଭାଗନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ଯେଉଁମାନେ ଅଧ୍ୟାଦେଶକୁ ବିରୋଧ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ୱେବିନାରରୁ ଦୂରେଇ ରହିଥିବା ବେଳେ ଆଉ କେତେଜଣ ଭାଗନେଇଥିଲେ ମଧ୍ୟ କହିବାକୁ ସୁଯୋଗ ମିଳି ନ ଥିଲା।

ସମ୍ବନ୍ଧିତ ଖବର