ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ପ୍ରତ୍ୟାହାର ଦାବି : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ବିଲ୍‌କୁ ଫେରାଯାଉ କିମ୍ବା ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଉ

ଭୁବନେଶ୍ୱର : ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ଏକ କଳା ଆଇନ। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱତନ୍ତ୍ରତା ନଷ୍ଟ ହେବ। ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ବିଶ୍ୱବିଦ୍ୟାଳୟ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ ଉଚ୍ଚଶିକ୍ଷାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟପାଳ ଏହି ଅଧିନିୟମକୁ ତୁରନ୍ତ ଫେରାଇ ଦିଅନ୍ତୁ କିମ୍ବା ଏହି ବିଲକୁ ରାଷ୍ଟ୍ରପତିଙ୍କ ପାଖକୁ ମତ ପାଇଁ ପଠାନ୍ତୁ। ରାଜ୍ୟପାଳଙ୍କୁ ଏମିତି ନିବେଦନ କରିଛି ବିଜେପି।

ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଥିଲେ। ସେମାନେ କହିଥିଲେ ଯେ ଓଡ଼ିଶାରେ ୟୁଜିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୧ଟି ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ସ୍ୱାଧୀନତା ପୂର୍ବରୁ ୧୯୪୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ୧୮୬୮ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଏହି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି। ୟୁଜିସି ଅଧିନିୟମ ଦ୍ୱାରା ପରିଚାଳିତ ହୋଇଥିବାରୁ ଏହା ସମ୍ଭବ ହୋଇପାରିଥିଲା। କିନ୍ତୁ ଗତ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ମଞ୍ଜୁରି ପ୍ରଦାନ କଲେ। ଏପରିକି ଏହି ଅଧିନିୟମ ପ୍ରସଙ୍ଗରେ କୌଣସି ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ବିଶିଷ୍ଟ ନାଗରିକଙ୍କ ସହ ଆଲୋଚନା ମଧ୍ୟ କରିଲେ ନାହିଁ। ଅନ୍ୟ ପଟେ ଏହି ଅଧିନିୟମ ଗୃହୀତ ନ ହେଉଣୁ ରାଜ୍ୟର ଉଚ୍ଚଶିକ୍ଷା ସଚିବ ବିଶ୍ୱବିଦ୍ୟାଳୟଗୁଡିକର କାର୍ଯ୍ୟରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାୟତତା କ୍ଷୁର୍ଣ୍ଣ ହେବା ସହ କୁଳାଧିପତିଙ୍କ ମର୍ଯ୍ୟାଦାର ହାନି ହେଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏହା ଦ୍ୱାରା ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ହ୍ରାସ ପାଇବ। କେନ୍ଦ୍ର ସରକାର ବିଶ୍ବବିଦ୍ୟାଳୟଗୁଡ଼ିକର ଶିକ୍ଷା ଭିତ୍ତିଭୂମି, ଲ୍ୟାବ, ଗବେଷଣା ଆଦିକୁ ଉନ୍ନତ ମାନର କରିବା ପାଇଁ ୟୁଜିସି ଶିକ୍ଷକମାନଙ୍କୁ ଅଧିକ ଅର୍ଥ ପ୍ରଦାନ କରୁଛନ୍ତି। ଯଦି କୁଳପତିଙ୍କ ଉପରେ ରାଜ୍ୟ ସରକାରଙ୍କ ଅଙ୍କୁଶ ରହିବ, ତେବେ ଅନ୍ୟ ସରକାରୀ କର୍ମଚାରୀ ପରି ସେ ଦାୟିତ୍ୱ ତୁଲାଇବେ। ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ପ୍ରକ୍ରିୟା ଅନୁସାରେ ନିଯୁକ୍ତି ଦେବା ହେଉଛି ବିଶ୍ୱବିଦ୍ୟାଳୟଗୁଡ଼ିକର ମୈାଳିକ ସ୍ୱାଧୀନତା ଏବଂ ଏଥି ସହ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାର ସ୍ୱାଧୀନତା ରହିଛି। ପ୍ରଶାସନିକ ଅଧିକାରୀମାନେ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନେଲେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କରିପାରିବା ନେଇ ପ୍ରଶ୍ନ ଉଠୁଛି । ରାଜ୍ୟର ଶିକ୍ଷାବିତ୍‌, ବୁଦ୍ଧିଜୀବୀମାନେ ଏହି ‘ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦’କୁ ବିରୋଧ କରୁଥିବା ବେଳେ ତରବରିଆ ଓ ଜୋରଜବରଦସ୍ତ ଭାବେ ଏହାକୁ କାର୍ଯ୍ୟକାରୀ କରାଇ ରାଜ୍ୟ ସରକାର ନିଜର ଉଚ୍ଚଶିକ୍ଷା ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ବୋଲି ବିଜେପି ପ୍ରତିନିଧି ଦଳ କହିଥିଲେ। ଏହି ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ ଓ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର