ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଅଧିନିୟମ-୨୦୨୪ ବିଧାନସଭାରେ ପାରିତ ହୋଇଛି। ରାତି ତମାମ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ କଥା କଟାକଟି ପରେ ଐତିହାସିକ ଅଧିନିୟମରେ ମୋହର ବାଜିଛି। ଏହାଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହେବ। ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୦ଟିରେ ନିୟମିତ କୁଳପତି ନାହାନ୍ତି। କୁଳପତି ଚୟନ ହୋଇପାରୁ ନାହିଁ। ୬୫% ପ୍ରଫେସର ଓ ୭୩% ଅଣଶିକ୍ଷକ ପଦବି ମଧ୍ୟ ଖାଲି ପଡ଼ିଛି। ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଉ ନ ଥିବାରୁ ପାଠପଢ଼ା, ଗବେଷଣା ଏକପ୍ରକାର ଠପ୍‌ ହୋଇଯାଇଛି। ନୂଆ ଅଧିନିୟମ ଆସିବାପରେ ସେଥିରେ ସୁଧାର ଆସିବ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

Advertisment

ଅବସରର ୬ ମାସ ଆଗରୁ କୁଳପତି ଚୟନ ପ୍ରକ୍ରିୟା
ବିଶ୍ବବିଦ୍ୟାଳୟ ଦ୍ବାରା ହେବ ପ୍ରଫେସର ନିଯୁକ୍ତି

ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧିନିୟମ-୨୦୨୦ରେ ସିନେଟ୍‌ ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା। ମାତ୍ର ନୂତନ ଅଧିନିୟମରେ ସିନେଟ୍‌ ବ୍ୟବସ୍ଥା ଫେରିଛି। ବିଶ୍ବବିଦ୍ୟାଳୟରେ ସିନେଟ୍‌ ସମେତ ସିଣ୍ଡିକେଟ୍‌, ଏକାଡେମିକ କାଉନସିଲ୍‌, ଫାଇନାନ୍ସ କମିଟି, ବିଲଡିଂ ଆଣ୍ଡ ୱାର୍କସ କମିଟି ଏବଂ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନ୍ୟ କମିଟି ଗଠନ କରାଯାଇପାରିବ। କୁଳପତିଙ୍କ ଅବସରର ୬ ମାସ ପୂର୍ବରୁ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଚୟନ କମିଟିରେ ୩ଜଣ ସଦସ୍ୟ ରହିବେ। ଜଣେ କୁଳାଧିପତିଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ବେଳେ ଅନ୍ୟ ଜଣେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ଯୁଜିସି) ଦ୍ୱାରା ମନୋନୀତ ଓ ତୃତୀୟ ଜଣକ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ଦ୍ୱାରା ମନୋନୀତ ହୋବେ। ଚୟନ କମିଟି ଦ୍ୱାରା ୩ଟି ନାମ ଚୂଡ଼ାନ୍ତ ପରେ ଦୁର୍ନୀତି ନିବାରଣ ବିଭାଗ ସମେତ ଅନ୍ୟ କୌଣସି ସଂସ୍ଥାରେ ସେମାନଙ୍କ ନାମରେ ମାମଲା ଅଛି କି ନାହିଁ ତାହା ଯାଞ୍ଚ ହେବ। ତିନି ଜଣ ଆଶାୟୀ ପ୍ରଫେସରଙ୍କ ନାମ ତାଲିକା କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଯିବା ପରେ ସେଥିରୁ ଜଣଙ୍କ ନାମରେ କୁଳାଧିପତି ତଥା ରାଜ୍ୟପାଳ ଚୂଡ଼ାନ୍ତ ମୋହର ମାରିବେ।

ନୂତନ ଅଧିନିୟମରେ କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ରଖାଯାଇଛି। ୭୦ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ଭାବେ ଜଣେ ପ୍ରଫେସର କାର୍ଯ୍ୟ କରିପାରିବେ। ପୁନଃନିଯୁକ୍ତି ମାତ୍ର ଥରେ ପାଇପାରିବେ କିମ୍ବା କୁଳାଧିପତି ଚାହିଁଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆଉ ଗୋଟିଏ ବର୍ଷ ବଢ଼ାଇପାରିବେ। କୁଳପତି ଛୁଟିରେ ଗଲେ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ଦାୟିତ୍ୱରେ ରହିବେ। କୁଳପତି କୌଣସି ପରିଚାଳନାରେ ତ୍ରୁଟି କଲେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ବୋଲି କୁଳାଧିପତି ତଥା ରାଜ୍ୟପାଳ କାରଣଦର୍ଶାଅ ନିର୍ଦ୍ଦେଶ ଜାରି କରିପାରିବେ। ନିର୍ଦ୍ଦେଶ ଜାରି ପୂର୍ବରୁ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିବେ। ପ୍ରମାଣ ମିଳିଲେ ତାଙ୍କଠାରୁ ଆର୍ଥିକ କ୍ଷତି ଭରଣା କରାଯିବ। ବିଶ୍ବବିଦ୍ୟାଳୟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଓପିଏସ୍‌ସି ବଦଳରେ ଏଣିକି ବିଶ୍ବବିଦ୍ୟାଳୟ ଦ୍ବାରା ହେବ ଏବଂ ସ୍ବଚ୍ଛତା ରକ୍ଷା ଉପରେ ପ୍ରାଥମିକତା ଦିଆଯିବ। ତେବେ ଅଣଶିକ୍ଷକ ନିଯୁକ୍ତି ଏସ୍‌ଏସ୍‌ବି ଦ୍ବାରା ହେବ।