ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଉପରେ ସୁପ୍ରିମ୍‌କୋର୍ଟଙ୍କ ସ୍ଥଗିତାଦେଶ ଜାରି ରହିଛି। ପାଖାପାଖି ୪ ବର୍ଷ ହେଲା କଟକଣା ଲାଗିଛି। ପ୍ରଫେସରମାନଙ୍କ ନିଯୁକ୍ତି ପ୍ରକ୍ରିୟା ହୋଇପାରୁ ନ ଥିବାରୁ ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପାଠପଢ଼ା ହୋଇପାରୁ ନାହିଁ। ଗବେଷଣା ମଧ୍ୟ ପ୍ରଭାବିତ ହେଉଛି। ତା’ସତ୍ତ୍ବେ ମଧ୍ୟରେ ଗତକାଲି ତିନି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ୨୦୨୦ର ଆଇନ ଏପର୍ଯ୍ୟନ୍ତ ଅପସାରିତ କରାଯାଇ ନ ଥିବା ବେଳେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ ଆଧାରରେ ତିନିଜଣ ଯାକ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ଶିକ୍ଷାବିତ୍‌ଙ୍କ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଯଦି ଏଭଳି କରିବାର ଥିଲା ତେବେ ପୂର୍ବରୁ କାହିଁକି ଭାରପ୍ରାପ୍ତ ବ୍ୟବସ୍ଥା ଗ୍ରହଣ କରି ଜଣେ କୁଳପତିଙ୍କୁ ଦୁଇଟି ବିଶ୍ବବିଦ୍ୟାଳୟ ଦାୟିତ୍ବ ଦିଆଯାଇ ବୋଝ ସୃଷ୍ଟି କରାଯାଉଛି।

Advertisment

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଚଳିତବର୍ଷ ଜୁନ୍‌ ୧୩ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୁଇଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟକୁ ବାଦ୍‌ ଦିଆଯାଇଥିଲା। ବିଭାଗୀୟ ଅଧିକାରୀମାନେ ଅତି ଚତୁରତାର ସହ ବିଜ୍ଞପ୍ତି ଜାରି କରିଥିଲେ। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ ନା ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଆଧାରରେ ନିଯୁକ୍ତି ପ୍ରକ୍ରିୟା ହେଉଛି ସେନେଇ ବିଜ୍ଞପ୍ତିରେ କିଛି ଦର୍ଶାଇ ନ ଥିଲେ। ବରଂ କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ରହିବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଅନୁଯାୟୀ ହିଁ ନିଯୁକ୍ତି ପ୍ରକ୍ରିୟା ହେଉଛି। ଧାର୍ଯ୍ୟ ସମୟ ଜୁଲାଇ ୧୦ ମଧ୍ୟରେ କୁଳପତି ପଦବି ପାଇଁ ଯୋଗ୍ୟ ପ୍ରଫେସରମାନେ ଆବେଦନ କରିଥିଲେ ମଧ୍ୟ ତାହାର ନିଯୁକ୍ତି ପ୍ରକ୍ରିୟା କେଉଁଆଡ଼େ ଗଲା? ଚୟନ ପ୍ରକ୍ରିୟା ହେଲାନି କାହିଁକି? ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ଆବେଦନପତ୍ର ଏବେ କେଉଁଠି?

ଖଲ୍ଲିକୋଟ ଓ ଏମ୍‌ଏସ୍‌ସିବିର ଆବେଦନପତ୍ର ଏବେ କେଉଁଠି?
ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ସଂସ୍କୃତ ବିଶ୍ବବିଦ୍ୟାଳୟ ଦାୟିତ୍ବ

ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଆବେଦନ ପାଇଁ ଜଣେ ପ୍ରଫେସରଙ୍କର ଦେଶର କୌଣସି ବିଶ୍ବବିଦ୍ୟାଳୟ କିମ୍ବା ସମାନ ଯୋଗ୍ୟତା ଥିବା ଗବେଷଣା ଅନୁଷ୍ଠାନ, ଏକାଡେମିକ ସଂସ୍ଥାରେ ୧୦ ବର୍ଷର ଶିକ୍ଷକତା ଅଭିଜ୍ଞତା ଥିବା ଆବଶ୍ୟକ। ଆବେଦନକାରୀଙ୍କ ବୟସ ଜୁଲାଇ ପହିଲା ସୁଦ୍ଧା ସର୍ବାଧିକ ୬୩ ବର୍ଷ ହୋଇଥିବା ଆବଶ୍ୟକ। କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ ହେବ। କାର୍ଯ୍ୟରେ ଯୋଗଦେବା ଦିନଠାରୁ ଏହାକୁ ଗଣନା କରାଯିବ। ନ ହେଲେ ସର୍ବାଧିକ ୬୭ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦରେ ରହିପାରିବେ। ଆବେଦନ ଶେଷ ହେବା ପରେ ପ୍ରତି ବିଶ୍ବବିଦ୍ୟାଳୟ ଲାଗି ଏକ ଚୟନ କମିଟି ଗଠନ କରାଯିବ। କମିଟିର ସଦସ୍ୟମାନେ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ୩ ଜଣଙ୍କ ନାମ ତାଲିକା ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟକୁ ପଠାଇବେ। ଉକ୍ତ ୩ ଜଣଙ୍କ ସାକ୍ଷାତକାର ନେବା ପରେ ରାଜ୍ୟପାଳ ଜଣଙ୍କୁ କୁଳପତି ଭାବେ ଚୟନ କରିବେ। ଏହି ଆଧାରରେ ଉଭୟ ବିଶ୍ବବିଦ୍ୟାଳୟ ପାଇଁ ୫୦ରୁ ଅଧିକ ଲେଖାଏଁ ପ୍ରଫେସର ଆବେଦନ କରି ଏବେ ପରବର୍ତ୍ତୀ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି। ସେପଟେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ଧାରା-୬ର ଉପଧାରା-୧୦ ଅନୁଯାୟୀ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କୁ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଏନେଇ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।