ଭୁବନେଶ୍ବର : ଓଡ଼ିଶାର ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଜାତୀୟସ୍ତରରେ ସେଭଳି ଆଖିଦୃଶିଆ ସଫଳତା ହାସଲ କରିପାରି ନ ଥିବା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି।
ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ୨୦୨୨ ଏନ୍ଆଇଆରଏଫ୍ ରୢାକିଂରେ ୮୮ତମ ସ୍ଥାନରେ ରହିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନ୍ଆଇଆରଏଫ୍ ରୢାଙ୍କିଙ୍ଗ୍ରେ ୧୫୬ତମ ସ୍ଥାନରେ ଥିବା ବେଳେ ଫକୀର ମୋହନ ବିଶ୍ବବିଦ୍ୟାଳୟ ୧୫୧ରୁ ୨୦୦ ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ନାକ୍ରେ ‘ଏ’ ଗ୍ରେଡ୍ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟକୁ ‘ବି+’ ଗ୍ରେଡ୍ ମିଳିଛି। ୨୦୧୫ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ନାକ୍ ପାଇଁ ପ୍ରସ୍ତୁତି ଚଲାଇଛି। ସେହିପରି ୨୦୧୫ରେ ପ୍ରତିଷ୍ଠା ହୋଇଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏନ୍ଆଇଆରଏଫ୍ ରୢାଙ୍କିଂରେ ଭାଗନେବା ଲାଗି ପ୍ରସ୍ତୁତି ଚଲାଇଛି। ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟର ମୂଲ୍ୟାଙ୍କନ କରାଯାଇ ନ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।