ଭୁବନେଶ୍ବର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଏବେ ଶିଶୁଭବନ ଛକ ନିକଟସ୍ଥ ଏକ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛି। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭୁବନେଶ୍ବର ଉପକଣ୍ଠରେ ୨୦-୨୫ ଏକର ଜାଗା ଆବଶ୍ୟକ ରହିଛି। ଜାଗା ଚିହ୍ନଟ ପାଇଁ ଏକ କମିଟି ଗଠନ କରାଯାଇଛି। ଭବିଷ୍ୟତରେ ଏହାକୁ ଏକ ସ୍ବୟଂଶାସିତ ଓ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment

ରବିବାର ଦିନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶ୍ବବିଦ୍ୟାଳୟର ୱେବସାଇଟ୍ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତବର୍ଷଠାରୁ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ୨୦୨୧ ଜୁଲାଇ ମାସରେ ବିଧାନସଭାରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲ୍ ପାରିତ ହୋଇଥିଲା। ପରବର୍ତୀ ସମୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ଓ ଅଧ୍ୟକ୍ଷ ପ୍ରଫେସର ଡା.ଦତ୍ତେଶ୍ବର ହୋତାଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା।

ବୈଠକରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଜାତୀୟ ସ୍ବାସ୍ଥ୍ୟ ମିସନର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ପରିଚାଳନା ନିଗମର ପରିଚାଳନା ନିର୍ଦେଶକ ବୃନ୍ଦା.ଡି, ଡିଏମ୍‌ଇଟି ଡା.ରମାରମଣ ମହାନ୍ତି, ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଓଏସ୍‌ଡି ପ୍ରଫେସର ଡା.ଦତ୍ତେଶ୍ବର ହୋତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।