ଭୁବନେଶ୍ୱର: ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଆଜି ୨୦୨୩ ବର୍ଷ ପାଇଁ ତିନିଟି ବର୍ଗରେ ତିନିଜଣ ସାରସ୍ବତ ସାଧକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସଂଧ୍ୟାରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉଭୟ ଉର୍ଦ୍ଦୁ ଗଦ୍ୟ ଓ ପଦ୍ୟ ସାହିତ୍ୟ ପାଇଁ ଭଦ୍ରକ ଜିଲ୍ଲାର ଜନାବ ସେକ୍ ଅନ୍ୱର ହୁସେନଙ୍କୁ ‘ଅମଜଦ୍ ନଜ୍ମୀ ପୁରସ୍କାର-୨୦୨୩’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ସେହିଭଳି ଉର୍ଦ୍ଦୁ ପଦ୍ୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ କଟକ ଜିଲ୍ଲାର ଜନାବ ଅବଦୁଲ ହକ୍ ବେତାବ୍ଙ୍କୁ ‘କରାମତ୍ ଅଲ୍ଲୀ କରାମତ୍ ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ଦିଆଯାଇଛି। ଏଥିସହ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଉଦ୍ୟମରତ କଟକ ଜିଲ୍ଲାର ଜନାବ୍ ସମିଉଲ୍ ହକ୍ ଶାକିରଙ୍କୁ ‘ରଶ୍ମିକାନ୍ତ ରାହି ପୁରସ୍କାର ୨୦୨୩’ ପ୍ରଦାନ କରାଯାଇଛି। ସେ ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପାଇଛନ୍ତି।
ପାଇଲେ ୩ ଲକ୍ଷ ଟଙ୍କାର ଅର୍ଥରାଶି
ଆଜିର କାର୍ଯ୍ୟକ୍ରମକୁ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ସେ କହିଥିଲେ, ଉର୍ଦ୍ଦୁ ଭାଷା ଏକ ମଧୁର ଭାଷା। ବହୁ ଲେଖକ ଓ କବି ନିଜର ସାହିତ୍ୟ ସର୍ଜନା ମାଧ୍ୟମରେ ଉର୍ଦ୍ଦୁ ଭାଷାକୁ ପରିପୁଷ୍ଟ କରିଛନ୍ତି। ଶ୍ରୀମତୀ ପାଢ଼ୀ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଜିର କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ। ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉର୍ଦ୍ଦୁ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦ ସାହିତ୍ୟ ଉପରେ ଆଲୋକପାତ କରିଥିଲେ।
ଆଜି ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ସହିତ ଶାମ୍-ଏ-ଗଜଲ୍ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପସଭାପତି ଜନାବ୍ ନଫିସ୍ ମଞ୍ଜର ହସନ୍, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।