ପ୍ରେମିକ ପାଇଁ ଗୋରଖପୁରର ଯୁବତୀ ଭୁବନେଶ୍ବରରେ: ଓଡ଼ିଶା-ଉତ୍ତରପ୍ରଦେଶ ପୁଲିସ ମୁହାଁମୁହିଁ

ଅପହରଣ ଦର୍ଶାଇ ସାଙ୍ଗରେ ନେଇଯିବାକୁ ୟୁପି ପୁଲିସର ଉଦ୍ୟମ
ଥାନାର ଦ୍ବାରସ୍ଥ ପରେ ସୁରକ୍ଷା ଦେଲା କମିସନରେଟ୍ ପୁଲିସ
ଯୁବତୀଙ୍କୁ ସ୍ବଧାର ଗୃହରେ ଛଡ଼ାଗଲା, କୋର୍ଟ ନିଷ୍ପତ୍ତି ଆଜି

ପୁରୁଣା ଭୁବନେଶ୍ୱର : ଓଡ଼ିଆ ପ୍ରେମିକକୁ ବିବାହ କରିବାକୁ ଘରଲୋକଙ୍କୁ ପର କରି ଉତ୍ତରପ୍ରଦେଶର ଗୋରଖପୁରରୁ ଭୁବନେଶ୍ବର ଚାଲି ଆସିଛନ୍ତି ପ୍ରେମିକା। ୟୁପି ପୁଲିସ ବି ତାଙ୍କୁ ଖୋଜିଖୋଜି ତାଙ୍କ ପଛେପଛେ ଭୁବନେଶ୍ବରରେ ପହଞ୍ଚିଯାଇଛି। ସେ ଜଣେ ନାବାଳିକା ଏବଂ ଯୁବକ ଜଣକ ତାଙ୍କୁ ଅପହରଣ କରି ନେଇଆସିଥିବା ଦର୍ଶାଇ ଯୁବତୀଙ୍କୁ ସାଙ୍ଗରେ ନେଇଯିବାକୁ ଉଦ୍ୟମ କଲାବେଳେକୁ ବାଧକ ସାଜିଛି କମିସ‌ନରେଟ୍ ପୁଲିସ। ଏୟାରଫିଲ୍‌ଡ ଥାନାର ଦୃଢ଼ ବିରୋଧ ଯୋଗୁଁ ଉତ୍ତରପ୍ରଦେଶ ପୁଲିସକୁ ନିରାଶ ହେବାକୁ ପଡ଼ିଛି। ଯୁବକଙ୍କୁ ଗିରଫ କରିବା ତ ଦୂରର କଥା, ଯୁବତୀଙ୍କୁ ଫେରାଇ ନେବାରେ ମଧ୍ୟ ସକ୍ଷମ ହୋଇପାରିନାହିଁ। ଯୁବତୀ ଜଣକ ନିଜକୁ ସାବାଳିକା ଏବଂ ସେ ନିଜ ଇଚ୍ଛାରେ ପ୍ରେମିକକୁ ବିବାହ କରିବାକୁ ଆସିଛନ୍ତି ବୋଲି ଦର୍ଶାଇ ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ ରବିବାର ତାଙ୍କୁ ସ୍ବଧାରଗୃହରେ ଛାଡ଼ିଛି। ଏମିତି ଏକ ରୋଚକ ମାମଲାକୁ ନେଇ ଉଭୟ ରାଜ୍ୟର ପୁଲିସ ମୁହାଁମୁହିଁ ହୋଇଛନ୍ତି। ତେବେ ଆସନ୍ତାକାଲି କୋର୍ଟରେ ଏହାର ଫଇସଲା ହେବା ପରେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଗୋରଖପୁରର ଯୁବତୀ ଆକାଂକ୍ଷା ସିଂଙ୍କ ସହ ଏୟାରଫିଲଡ୍‌ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଉତ୍ତରପ୍ରଦେଶ ଯାଇ ସେଠାରେ ଯୁବତୀଙ୍କୁ ବିବାହ କରିବା ଯୁବକଙ୍କ ପାଇଁ ବିପଦପୂର୍ଣ୍ଣ ଥିବାରୁ ଯୁବତୀଜଣଙ୍କ ନିଜ ଇଚ୍ଛାରେ ଓଡ଼ିଶା ଚାଲି ଆସିଥିଲେ। ଗତ ୧୫ ତାରିଖରେ ସେ ଗୋରଖପୁରରୁ ଭୟା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ସେ ପ୍ରେମିକଙ୍କୁ କୋର୍ଟରେ ବିବାହ ମଧ୍ୟ କରିଥିଲେ। ପରେ ଏ ସଂପର୍କରେ ଯୁବତୀଜଣଙ୍କ ତାଙ୍କ ପରିବାରଲୋକଙ୍କୁ ସବୁ କଥା ଜଣାଇ ଦେଇଥିଲେ। କିନ୍ତୁ ପରିବାର ଲୋକ ଏ କଥାକୁ ସହଜରେ ହଜମ କରିପାରି ନ ଥିଲେ। ଆକାଂକ୍ଷା ନାବାଳିକା ଓ ଭୁବନେଶ୍ୱରର ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଛି ବୋଲି ସେ ଗୋରଖପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗୋରଖପୁର ପୁଲିସ ଗତକାଲି ଏୟାରଫିଲ୍‌ଡ ଥାନା ଅଧୀନ ହାଇଟେକ୍‌ ଅଞ୍ଚଳରେ ରହୁଥିବା ପ୍ରେମିକକୁ ଧରିବାକୁ ଏଠାରେ ପହଞ୍ଚିଥିଲା।

କିନ୍ତୁ ଏ ସଂପର୍କରେ ଜାଣିବା ପରେ ଯୁବତୀଜଣକ ଏୟାରଫିଲ୍‌ଡ ଥାନାର ଦ୍ବାରସ୍ଥ ହୋଇଥିଲେ। ତାଙ୍କୁ ୧୮ ବର୍ଷ ପୂରି ଯାଇଥିବାରୁ ସେ ଜଣେ ସାବାଳିକା ଏବଂ ନିଜ ଇଚ୍ଛାରେ ସେ ଯୁବକଙ୍କୁ କୋର୍ଟରେ ବିବାହ କରିଛନ୍ତି ବୋଲି ଆକାଂକ୍ଷା ପୁଲିସକୁ ଜଣାଇବା ସହ ପ୍ରମାଣପତ୍ର ବାବଦକୁ ନିଜ ଆଧାରକାର୍ଡ ଓ ମାଟ୍ରିକ୍‌ ସାର୍ଟିଫିକେଟ୍‌ ମଧ୍ୟ ଦେଖାଇଥିଲେ। ଏସବୁ ପ୍ରମାଣ ଦେଖିଲା ପରେ ଏୟାରଫିଲଡ଼୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତରପ୍ରଦେଶ ପୁଲିସ୍‌ ଟିମ୍‌କୁ ବାଧା ଦେଇଥିଲା। ଯୁବକଙ୍କୁ ଗିରଫ କିମ୍ବା ଆକାଂକ୍ଷାଙ୍କୁ ଏଠାରୁ ନେଇଯାଇପାରିବ ନାହିଁ ବୋଲି ରୋକଠୋକ୍‌ ମନା କରିଦେଇଥିଲା। ଏହାକୁ ନେଇ ଉଭୟ ରାଜ୍ୟର ପୁଲିସ ଟିମ୍ ମଧ୍ୟରେ ଦୀର୍ଘ ସମୟ ଧରି କଥା କଟାକଟି ହୋଇଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଏୟାରଫିଲ୍‌ଡ ଥାନା ପୁଲିସ ନିଜ ଜିଦ୍‌ରେ ଅଟଳ ରହିଥିଲା। ପରେ ପୁଲିସ ଆକାଂକ୍ଷାଙ୍କୁ ସ୍ବଧାର ଗୃହକୁ ପଠାଇ ଦେବାରୁ ଉତ୍ତରପ୍ରଦେଶ ପୁଲିସକୁ ନିରାଶ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର