ଭୁବନେଶ୍ବର: ଶନିବାରଠାରୁ ଓୟୁଏଟି ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ପାଳନ କଲେଜର ୫ମ ବର୍ଷର ୩୫୦ ବିଦ୍ୟାର୍ଥୀ ଧାରଣା ଦେଇଛନ୍ତି। ସୋମବାରଠାରୁ ସେମାନେ ଶ୍ରେଣୀ ବର୍ଜନ କରିବାର ଧମକ ଦେଇଛନ୍ତି। ଆନ୍ଦୋଳନରତ ବିଦ୍ୟାର୍ଥୀଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଆଦି ୨୬ଟି ରାଜ୍ୟରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଶ୍ବବିଦ୍ୟାଳୟ ରହିଛି। ରାଜ୍ୟରେ ପ୍ରାଣୀଧନଙ୍କ ସୁରକ୍ଷା, ବିଦ୍ୟାର୍ଥୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୧ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କ୍ୟାବିନେଟ୍ ମଞ୍ଜୁରି ପାଇଥିଲା। ଏଥିପାଇଁ ୨୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହେଲା। କିନ୍ତୁ ଆଜି ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ଇଟା ଖଣ୍ଡେ ମଧ୍ୟ ପଡ଼ିପାରିନାହିଁ। ବିଶ୍ବବିଦ୍ୟାଳୟ ନଥିବାରୁ ଓଟି, ଆଇସିୟୁ ଥିବା ଉନ୍ନତ ପ୍ରାଣୀଚିକିତ୍ସା ଡାକ୍ତରଖାନା ନାହିଁ। ଯାହା ବି ଅଛି ଡିସ୍ପେନ୍ସରି ଭଳି କାର୍ଯ୍ୟ କରୁଛି। ଅଧିକାଂଶ ସମୟରେ ଓଡ଼ିଶା ଗୋଖାଦ୍ୟ, ଟିକା, ଔଷଧ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛି। ସେହିଭଳି ୮୦୦ ପ୍ରାଣୀ ଚିକିତ୍ସା ଡିସ୍ପେନ୍ସରିରେ ଡାକ୍ତର ନଥିବା ବିଦ୍ୟାର୍ଥୀମାନେ କହିଛନ୍ତି। କୃଷି ପାଇଁ ସ୍ବତନ୍ତ୍ର ବଜେଟ୍ ହେଉଛି, କିନ୍ତୁ ଏହାର ଏଲାଏଡ୍ ସେକ୍ଟର ପଶୁପାଳନ ଅବହେଳିତ ହୋଇରହିଛି। ଏହି ଅବସରରେ ସେମାନେ ପ୍ରାଣୀ ଚିକିତ୍ସକ ବିଦ୍ୟାର୍ଥୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ଓ ପ୍ରାଣୀ ଚିକିତ୍ସକଙ୍କ ଦାବିକୁ ସମର୍ଥନ କରିଛନ୍ତି।
ଉଲ୍ଲେଖଥାଉକି, ରାଜ୍ୟରେ ଦେବ୍ରିଗଡ଼, ସୁନାବେଡ଼ା, ଉଷାକୋଠି, ଚିଲିକା ସମେତ ୨୧ଟି ବନ୍ୟଜନ୍ତୁ ଅଭୟାରଣ୍ୟ ଅଛି। ଗତବର୍ଷର ବନ୍ୟଜନ୍ତୁ ଗଣନା ଅନୁଯାୟୀ ଓଡ଼ିଶାରେ ଗୋଟିଏ ମହାବଳ ବାଘ ସମେତ ୮୨ କଲରାପତରିଆ ବାଘ ଅଛନ୍ତି। ହାତୀ, ବାର୍ହାଙ୍କ ସମେତ ବିଭିନ୍ନ ପ୍ରକାର ପକ୍ଷୀଙ୍କ ସଂଖ୍ୟା କାହିଁରେ କେତେ। ଶିକାରୀଙ୍କ ଗୁଳିମାଡ଼, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ରୋଗ କାରଣରୁ ପ୍ରାଣୀମାନଙ୍କ ଅବସ୍ଥା ଗୁରୁତର ହେଲେ, ଚିକିତ୍ସା ପାଇଁ ରାଜ୍ୟରେ ବନ୍ୟପ୍ରାଣୀ ଚିକିତ୍ସା ବିଶେଷଜ୍ଞ ନାହାନ୍ତି। ଏଥିପାଇଁ ଆଜି ବି ବାହାର ରାଜ୍ୟ ଉପରେ ଭରସା କରିବାକୁ ପଡ଼ୁଛି। ଓଡ଼ିଶାର ଯେଉଁ ପ୍ରାଣୀ ଡାକ୍ତର ଚିକିତ୍ସା କରନ୍ତି, ସେମାନେ ଭେଷଜ ବିଶେଷଜ୍ଞ ଅଟନ୍ତି। ୨୦୧୯ ଗଣନା ଅନୁଯାୟୀ ଏଠାରେ ୯୯. ୦୩ ଲକ୍ଷ ଗୋରୁ, ୬୩. ୦୩ ଲକ୍ଷ ଛେଳି, ୪.୫୮ ଲକ୍ଷ ମଇଁଷି, ୧.୩୫ ଲକ୍ଷ ଘୁଷୁରି, ୧୨.୭୯ ଲକ୍ଷ ମେଣ୍ଢା, ୨୭୪ ଲକ୍ଷ କୁକୁଡ଼ା ପାଳନ କେନ୍ଦ୍ର ରହିଛି। ବିଭିନ୍ନ ପ୍ରକାର ରୋଗ ପାଇଁ ଏମାନଙ୍କୁ ଦିଆଯାଉଥିବା ଟିକା ଓଡ଼ିଶାରେ ଉତ୍ପାଦନ ହୁଏ ନାହିଁ। ସେହିଭଳି ପ୍ରାଣୀ ମଡ଼କ ହେଲେ, ଗବେଷଣା ମଧ୍ୟ କରାଯାଇପାରେ ନାହିଁ। ଏହା କେବଳ ଉଦାହରଣ ମାତ୍ର। ରାଜ୍ୟରେ ଚିଙ୍ଗୁଡ଼ି, ଅଣ୍ଡା, କ୍ଷୀର, ମାଛ, ମାଂସର ରେକର୍ଡ ଉତ୍ପାଦନକୁ ନେଇ ରାଜ୍ୟ ସରକାର ବାହାସ୍ଫୋଟ ମାରନ୍ତି। କିନ୍ତୁ ଚିକିତ୍ସା ବିଶେଷଜ୍ଞ, କ୍ଷୀର ବିଜ୍ଞାନ, ମାଂସ ବିଶେଷଜ୍ଞ, ବାୟୋଟେକ୍ନୋଲୋଜି, ପୋଷଣ ଭଳି ଅନେକ ବିଭାଗ ଅଛି, ଯାହାର ବିଶେଷଜ୍ଞ ଏଠାରେ ନାହାନ୍ତି। ଓୟୁଏଟି ପ୍ରାଣୀ ଚିକିତ୍ସା କଲେଜରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଏହିଭଳି କୌଣସି ସୁପରସ୍ପେସାଲିଷ୍ଟ ବିଷୟରେ ସ୍ନାତକୋତ୍ତର କରିବା ପାଇଁ ଚାହିଲେ ମଧ୍ୟ ଏଠାରେ କରିପାରିବେ ନାହିଁ। କାରଣ ରାଜ୍ୟରେ ଆଜି ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସା ବିଶ୍ବବିଦ୍ୟାଳୟ ଖୋଲିପାରି ନାହିଁ।