ଓଡ଼ିଶାକୁ ଶ୍ରୀହୀନ କରିବାକୁ ଷଡ଼୍‌ଯନ୍ତ୍ର

୪ଟି କେନ୍ଦ୍ରୀୟ ପ୍ରତିଷ୍ଠାନ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି

ସିଫାକୁ କୋଲକାତା ସ୍ଥାନାନ୍ତର ଯୋଜନା
ସବୁ ଆଇସିଏଆର୍‌ ସଂସ୍ଥା ଏକାଠି ହେବ
ଜେଏନ୍‌ୟୁ/ଜାମିଆ ମିଲିଆ ସହ ମିଶିବ ଆଇଆଇଏମ୍‌ସି

ଭୁବନେଶ୍ୱର : ଓଡ଼ିଶା ପ୍ରତି କେନ୍ଦ୍ରୀୟ ଅବହେଳାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଠିକ୍‌ ଏମିତି ଏକ ସମୟରେ ଓଡ଼ିଶା ପ୍ରତି ଆଉ ଏକ ଚକ୍ରାନ୍ତ ଆରମ୍ଭ ହୋଇଥିବା ନେଇ ଚାଞ୍ଚଲ୍ୟକର ଖବର ମିଳିଛି। ରାଜ୍ୟର ପ୍ରମୁଖ କେନ୍ଦ୍ରୀୟ ପ୍ରତିଷ୍ଠାନ ଖୁବ୍‌ଶୀଘ୍ର ନିଜର ସତ୍ତା ହରାଇବେ। ରାଜ୍ୟରେ ଏବେ ଯେଉଁ କେତୋଟି କେନ୍ଦ୍ରୀୟ ପ୍ରତିଷ୍ଠାନର ମୁଖ୍ୟାଳୟ ଅଛି ସେଗୁଡ଼ିକ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା ଲାଗି ଯୋଜନା ଆରମ୍ଭ ହୋଇଛି। ଓଡ଼ିଶାରେ ଥିବା ମୁଖ୍ୟାଳୟଗୁଡ଼ିକ ଆଞ୍ଚଳିକ କାର୍ଯ୍ୟାଳୟର ମାନ୍ୟତା ପାଇବ ନଚେତ୍‌ ବନ୍ଦ କରିଦିଆଯିବ। ଏହିଭଳି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି। ନୀତି ଆୟୋଗର ସୁପାରିସ ଅନୁଯାୟୀ ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚ କାଟ୍‌ ଯୋଜନାରେ ଏଭଳି ଏକ ନକ୍ସା ପ୍ରସ୍ତୁତ ହୋଇଛି। ଖୁବ୍‌ ଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ଟି.ରଙ୍ଗସାମିଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟି ଦେଶର ସମସ୍ତ ଭାରତୀୟ କୃଷି ଗବେଷଣା ପରିଷଦକୁ (ଆଇସିଏଆର୍‌) ସଂସ୍ଥାକୁ ଏକାଠି କରିବାକୁ ପ୍ରସ୍ତାବ ଦେଇଛି। ଏଥିରେ ଓଡ଼ିଶାର କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)କୁ କୋଲକତାସ୍ଥିତ ସେଣ୍ଟ୍ରାଲ ଇନଲ୍ୟାଣ୍ଡ କ୍ୟାପଚର୍‌ଡ ଫିସରିଜ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (ସିଫ୍ରି) ସହ ମିଶାଇବାକୁ ପ୍ରସ୍ତାବ ରହିଛି। ଏହାବାଦ୍‌ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଫର୍‌ ଓ୍ଵମ୍ୟାନ ଇନ୍‌ ଏଗ୍ରିକଲଚର୍‌ (ସିଆଇଡବ୍ଲ୍ୟୁଏ)କୁ ନୂଆଦିଲ୍ଲୀ ସ୍ଥିତ ନାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ଏଗ୍ରିକଲଚର୍‌ ଇକୋନୋମିକ୍ସ ଆଣ୍ଡ ପଲିସି ରିସର୍ଚ୍ଚ ସହ, ଓ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ଵାଟର ମ୍ୟାନେଜମେଣ୍ଟ (ଆଇଆଇଡବ୍ଲ୍ୟୁଏମ୍‌)କୁ ପାଟଣାସ୍ଥିତ ଆଇସିଏଆର୍‌ ରିସର୍ଚ୍ଚ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରିବାକୁ ଆପାତତଃ ଯୋଜନା ହୋଇଛି।

ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଏହି ତିନିଟି ଅନୁଷ୍ଠାନର ମୁଖ୍ୟାଳୟ ଆଉ ଭୁବନେଶ୍ୱରରେ ରହିବନି। ଏଠାରୁ ମୁଖ୍ୟାଳୟ ସ୍ଥାନାନ୍ତର ହେବା ପରେ ଆଉ ଠିକା କର୍ମଚାରୀଙ୍କୁ ବି ରଖାଯିବନାହିଁ। ଥରେ ମୁଖ୍ୟାଳୟ ଉଠିଗଲେ, ଏହି ସବୁ କେନ୍ଦ୍ର ଜାତୀୟସ୍ତରର ଅନୁଷ୍ଠାନ ହୋଇଥିଲେ ହେଁ କେବଳ ଓଡ଼ିଶା ଉପରେ ହିଁ ସେମାନଙ୍କ ଗବେଷଣା ସୀମିତ ରହିବ। ତେଣୁ ଅଧାରୁ ଅଧିକ କର୍ମଚାରୀଙ୍କୁ ସ୍ଥାନାନ୍ତର ହେବାକୁ ଥିବା କାର୍ଯ୍ୟାଳୟକୁ ବଦଳି କରାଯିବ। ଯଦି କିଛି ବଳକା କର୍ମଚାରୀ ଏଠାରେ ରହିବେ ତେବେ ସେମାନଙ୍କୁ ଅବସର ପର୍ଯ୍ୟନ୍ତ ରଖାଯିବ। ଅବସର ପରେ ଏହି ପଦବିରେ ଆଉ ନିଯୁକ୍ତି ଦିଆଯିବନି। ଗବେଷଣା ସୀମା କମାଇବା ସହ, କର୍ମଚାରୀ କମାଇ ଏହିସବୁ ବିଭାଗର ଖର୍ଚ୍ଚ କାଟ୍‌ କରିବା ଯୋଜନା ହୋଇଛି। ଭବିଷ୍ୟତରେ ଏହାକୁ ବନ୍ଦ କରାଯିବ କି ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନକୁ ମିଶ୍ରଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଏହାର କାର୍ଯ୍ୟପ୍ରଣାଳୀ ନେଇ ଏକାଧିକ କମିଟି ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ବିଭାଗ, ଆଇନ ମନ୍ତ୍ରଣାଳୟ, ସିଏଜିଙ୍କ ପ୍ରତିନିଧିଙ୍କୁ ନେଇ ଗଠିତ ଓ୍ଵାଟାଲ ପ୍ୟାନେଲ୍‌ ତା’ର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟରେ କହିଛି ଯେ, କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଉଚ୍ଚଶିକ୍ଷା, ଗବେଷଣା ପ୍ରତିଷ୍ଠାନ, ସ୍ୱୟଂଶାସିତ ସଂସ୍ଥା ଆଦିକୁ ୨୦୧୭-୧୮ ଆର୍ଥିକ ବର୍ଷରେ ୭୨,୨୦୦କୋଟି ଟଙ୍କା ଦିଆଯାଇଥିବା ବେଳେ ଏଥିରୁ ୪୦% ବେତନ ଆକାରରେ ଖର୍ଚ୍ଚ ହେଉଛି। ଯାହା କମାଯାଇପାରିବ। ଗବେଷଣା ଅପେକ୍ଷା ମାନବସମ୍ବଳ ପରିଚାଳନାରେ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବାରୁ କମ୍‌ କର୍ମଚାରୀରେ ଅଧିକ କାର୍ଯ୍ୟ କରିବାକୁ ଓ୍ଵାଟାଲ ପ୍ୟାନେଲ୍‌ ପ୍ରସ୍ତାବ ଦେଇଛି। ଏଥିରେ ଦେଶରେ ଥିବା ୧୧୪ଟି ପ୍ରତିଷ୍ଠାନରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ଟି ପ୍ରତିଷ୍ଠାନକୁ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଛି।

ଓଡ଼ିଶାର ଉପରୋକ୍ତ ତିନିଟି ଅନୁଷ୍ଠାନ ବ୍ୟତୀତ ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସିକୁ ଜେଏନ୍‌ୟୁ କିମ୍ବା ଜାମିଆମିଲିଆ ବିଶ୍ୱବିଦ୍ୟାଳୟ ସହ ମିଶ୍ରଣ କରିବାକୁ ଯୋଜନା ହେଉଛି।
ବହୁ କେନ୍ଦ୍ରୀୟ ପ୍ରତିଷ୍ଠାନକୁ ବିଶେଷକରି ଆଇସିଏଆର୍‌ ସଂସ୍ଥାଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନେଇ ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ମନୋରଞ୍ଜନ କର କହିଛନ୍ତି ଯେ, ରାଷ୍ଟ୍ରୀୟ ପ୍ରତିଷ୍ଠାନଗୁଡ଼ିକ ସ୍ଥାନାନ୍ତର ହୋଇଗଲେ ଏଠାରେ ହେଉଥିବା ଗବେଷଣା କମିଯିବ। ଗବେଷଣାଗୁଡ଼ିକ ଓଡ଼ିଶା ଭିତ୍ତିକ ହେବ। ସ୍ୱାଭାବିକ ଭାବେ ଏବେ ଯେତିକି ଅନୁଦାନ ମିଳୁଛି ତାହା କମିବ। କିନ୍ତୁ ରାଜ୍ୟରେ ଗବେଷଣା ପାଇଁ ଯେତିକି ଅର୍ଥ ମିଳିବା କଥା ମିଳିବ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଥିବା ସଂସ୍ଥାଗୁଡ଼ିକୁ ମିଶ୍ରଣ କରିବା ପାଇଁ ନୀତି ଆୟୋଗ ସୁପାରିସ କରିବା ପରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ବିମଲ ଜଲାନଙ୍କ ଅଧ୍ୟକ୍ଷତାରେ ଗଢ଼ା ହୋଇଥିବା ଏକ୍ସପେଣ୍ଡିଚର୍‌ ମ୍ୟାନେଜମେଣ୍ଟ କମିସନ ଏହାର ତର୍ଜମା କରିଥିଲା। କମିସନ ରିପୋର୍ଟରେ କହିଥିଲେ ଯେ, ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଏମିତି କେତେଗୁଡ଼ିଏ ବିଭାଗ ଅଛି ଯେଉଁଗୁଡ଼ିକର କାର୍ଯ୍ୟ ପ୍ରାୟ ସମାନ। ଏପରିକି ଗୋଟିଏ କାର୍ଯ୍ୟକୁ ଭିନ୍ନ ଭିନ୍ନ ଉପାୟରେ କରୁଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କର ବହୁତ ଅର୍ଥ ଖର୍ଚ୍ଚ ହେଉଛି। ତେଣୁ ବିଭିନ୍ନ ମନ୍ତ୍ରଣାଳୟରେ ହାତଗଣତି ସଂସ୍ଥା ରଖି ଗବେଷଣାକୁ ଗୁରୁତ୍ୱ ଦିଆଯାଉ।

କେନ୍ଦ୍ର ସରକାରଙ୍କ ଏଭଳି ଯୋଜନା ଯୋଗୁଁ ତାମିଲନାଡୁ ମଧ୍ୟ କିଛି ପରିମାଣରେ କ୍ଷତିଗ୍ରସ୍ତ ହେବ। ଏହାକୁ ନେଇ ସେଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ତାମିଲନାଡୁର ସବୁ ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ନେଇ ତମ୍ବିତୋଫାନ ଆରମ୍ଭ କଲେଣି। ସଂପୃକ୍ତ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିଥିବା ସୂଚନା ମିଳିଛି। ହେଲେ ଏଭଳି ଷଡ଼ଯନ୍ତ୍ର ସଂପର୍କରେ ଓଡ଼ିଶା ସରକାର ସାମାନ୍ୟତମ ସୁରାକ ପାଇଛନ୍ତି ନା ବିରୋଧୀ। ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ତ ଦୂରର କଥା, ପ୍ରତିବାଦଟିଏ ମଧ୍ୟ କରାଯାଇନାହିଁ। ଗୋଟିଏ ପଟେ କେନ୍ଦ୍ରୀୟ ପ୍ରତିଷ୍ଠାନ ସ୍ଥାପନରେ ଓଡ଼ିଶା ଅନ୍ୟ ସମସାମୟିକ ରାଜ୍ୟ ତୁଳନାରେ ଅନେକ ପଛରେ ରହିଛି। ଗୋଟିଏ ଗୋଟିଏ ଅନୁଷ୍ଠାନ ଖୋଲିବା ପ୍ରସ୍ତାବ ଆସିବା ମାତ୍ରେ ସବୁ ଜିଲ୍ଲାରେ ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଏମିତି ଅବସ୍ଥାରେ ଓଡ଼ିଶାରୁ କେନ୍ଦ୍ରୀୟ ପ୍ରତିଷ୍ଠାନକୁ ସ୍ଥାନାନ୍ତର କରାଯିବା କେତେ ଯୁକ୍ତିଯୁକ୍ତ, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର