ସଫଳତା ବଖାଣିଲା ଓଡ଼ିଶା ଭିଜିଲାନ୍‌ସ: ମାମଲା ରୁଜୁରେ ୨୦୨୦ର ରେକର୍ଡ ଭାଙ୍ଗିଲା

୧୭୫ ସରକାରୀ ଅଧିକାରୀ, କର୍ମଚାରୀଙ୍କୁ ବାନ୍ଧିଛି ଭିଜିଲାନ୍‌ସ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ୯୭ ଜଣଙ୍କଠାରୁ ଜବତ ହୋଇଛି ୧୦୭ କୋଟିର ସମ୍ପତ୍ତି

କଟକ : ଓଡ଼ି‌ଶା ଭିଜିଲାନ୍‌ସ ଗତ ୨୦୨୧ ବର୍ଷରେ ହାସଲ କରିଥିବା ସଫଳତା ସଂପର୍କରେ ସୂଚନା ଦେଇଛି। ୨୦୨୦ରେ ୨୪୫ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ୨୬୭ଟି ମାମଲା ରୁଜୁ କରିଛି। ଭିଜିଲାନ୍‌ସ ୪୭୫ଜଣଙ୍କ ବିରୋଧରେ ଏହି ଅପରାଧିକ ମାମଲା ରୁଜୁ କରିଛି। ବିଭିନ୍ନ ମାମଲାରେ ୧୭୫ଜଣ ସରକାରୀ ଅଧିକାରୀ, କର୍ମଚାରୀଙ୍କୁ ଭିଜିଲାନ୍‌ସ ଗିରଫ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନସ ଗତ ବର୍ଷ ୯୨ ମାମଲା ରୁଜୁ କରିବା ସହିତ ପ୍ରାୟ ୧୦୭କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

ଏହି ମାମଲାରେ ଭିଜିଲାନ୍‌ସ ୧୧୧ଜଣ ସରକରୀ କର୍ମଚାରୀ, ୪୪ ଜଣ ଘରୋଇ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିଛି। ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ପାଖରୁ ସର୍ବାଧିକ ୧୪ କୋଟି ୮୮ଲକ୍ଷ ୯୧ ହଜାର ୧୯୪ ଟଙ୍କା ଜବତ କରାଯାଇଥିଲା। ସେହିଭଳି କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ପାଖରୁ ୬ କୋଟି ୯୭ଲକ୍ଷ ୧୫ ହଜାର ୫୭ ଟଙ୍କା, ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନର ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ପାଖରୁ ୩ କୋଟି ୫୧ଲକ୍ଷ ୫୧ ହଜାର ୯୨୧ଟଙ୍କା, ଅଙ୍ଗନବାଡି କର୍ମୀ କବିତା ମଥାନଙ୍କ ପାଖରୁ ୨କୋଟି ୯୬ଲକ୍ଷ ୩୯ ହଜାର ୪୭୫ ଟଙ୍କା, ସୁନ୍ଦରଗଡର ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେସନ ଅଧିକାରୀଙ୍କ ପାଖରୁ ୧୮ଲକ୍ଷ ୮୦ ହଜାର ୫୦୦ ଟଙ୍କା ଜବତ କରାଯାଇଥିଲା। ବାରିପଦାର ସହକାରୀ ଯନ୍ତ୍ରୀ ଆଇଟିଡିଏର ସନ୍ତୋଷ କୁମାର ଦାସ ପାଖରୁ ସର୍ବାଧିକ ୪୧ଲକ୍ଷ ୭୭ ହଜାର ଟଙ୍କାର ନଗଦ ଟଙ୍କା ଜବତ କରାଯାଇଥିଲା। ସେହିଭଳି ଲାଂଚ ନେଉଥିବା ବେଳେ ଚଢାଉ କରି ଭିଜିଲାନ୍‌ସ ୯୮ ମାମଲା ରୁଜୁ କରିବା ସହିତ ୧୦୯ ଜଣଙ୍କୁ ଗିରିଫ କରି ୨୦.୧୩ଲକ୍ଷ ଜବତ କରିଥିଲା।

ସେହିଭଳି ଟଙ୍କା ନେଇ ଯାଉଥିବା‌ ବେଳେ ୧୫ଜଣ ଅଧିକାରୀଙ୍କ ଉପରେ ଚଢାଉ କରି ୫୮.୮୪ଲକ୍ଷ ଜବତ କରିଥିଲା। ସର୍ବସାଧାରଣ ସମ୍ପତ୍ତି ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍‌ସ ପକ୍ଷରୁ ୭୭ଟି ମାମଲା ରୁଜୁ କରାଯାଇଥିଲା। ଏହି ମାମଲ‌ାରେ ମୋଟ ୮.୩୨କୋଟି ଟଙ୍କା ଜବତ କରାଯାଇଥିଲା। ଗତ ବର୍ଷ ରୁଜୁ ହୋଇଥିବା ୨୬୭ଟି ମାମଲା ମଧ୍ୟରୁ ୨୫୪ ମାମଲାର ତଦନ୍ତ କରାଯାଇ ୨୪୪ଟି ମାମଲାର ଚାର୍ଜସିଟ୍ ହୋଇସାରିଥିବା ଭିଜିଲାନ୍‌ସ ପକ୍ଷରୁ ପ୍ରେସ ବିବୃତ୍ତିରେ କୁହାଯାଇଛି। ମୋଟ ମାମଲାର ଶତକଡା ୯୬ ପ୍ରତିଶତ ଚାର୍ଜସିଟ୍ କରାଯାଇଛି। ମୋଟ ୧୭୫ଜଣଙ୍କୁ ଗିରଫ କରାଯାଇଛି। ସେଥିରେ ୨୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୨୮ ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୧୦୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି। ଦୁର୍ନୀତିର ଶୂନ୍ୟ ସହନଶୀଳତା ଅଭିଯୋଗରେ ୧୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ଯନ୍ତ୍ରୀଙ୍କୁ ଅବସର ଦିଆଯାଇଥିବା ନେଇ ଭିଜିଲାନ୍‌ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର